Unknown

 

 

 

 

 

 

 

 

 

 

 

ଉଦ୍ଭିଦର ଔଷଧି ଗୁଣ

ଡକ୍ଟର ହରିହର ପଟ୍ଟନାୟକ

ଦ୍ୱିତୀୟ ଭାଗ

 

ସୂଚନା

 

ପୃଥିବୀରେ ଅସଂଖ୍ୟ ଔଷଧିଗୁଣ ଥିବା ଉଦ୍ଭିଦ ଅଛନ୍ତି । ବିଶେଷଭାବେ ଆମ ଦେଶର ଜଳବାୟୁ ଏପରି ଯେ, ବହୁ ଉଦ୍ଭିଦ ଏଠାରେ ଭଲ ଭାବରେ ବଢ଼ନ୍ତି । ହିମାଳୟଠାରୁ ଆରମ୍ଭ କରି କେପ୍ କମୋରିନ୍‌ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର ଜଳବାୟୁ ଦେଖାଯାଏ । ସେହି ଅନୁସାରେ ବିଭିନ୍ନ ଉଦ୍ଭିଦମାନ ଏଠାରେ ବଢ଼ନ୍ତି । ବର୍ଷସାରା ଲକ୍ଷ୍ୟ କଲେ ନାନା ସ୍ଥାନରୁ ବିଭିନ୍ନ ଉଦ୍ଭିଦ ଦେଖିବାକୁ ମିଳିବ । ସମସ୍ତଙ୍କର କିଛି ନା କିଛି ଔଷଧିଗୁଣ ଅଛି । ପ୍ରଥମ ଭାଗରେ କେତେକ ବିଶିଷ୍ଟ ଉଦ୍ଭିଦଙ୍କର ଔଷଧିଗୁଣ ବିଷୟରେ ଆଲୋଚନା କରାଯାଇଛି । ଏହି ଦ୍ୱିତୀୟ ଭାଗରେ ଆଉ କେତେକ ଦରକାରୀ ଔଷଧି ମିଳୁଥିବା ଉଦ୍ଭିଦମାନଙ୍କ ବିଷୟରେ ଆଲୋଚନା କରାଯାଉଛି । ପାଠକମାନଙ୍କର ଜାଣିବା ନିମନ୍ତେ ଓ ବିଭିନ୍ନ ଔଷଧିଗୁଣ ଥିବା ଉଦ୍ଭିଦମାନଙ୍କ ସଙ୍ଗେ ପରିଚୟ କରାଇବାପାଇଁ ଚେଷ୍ଟା କରାଯାଇଛି । ଅନ୍ତତଃ ଏକଶହ ବା ତଦୂର୍ଦ୍ଧ୍ୱ ଉଦ୍ଭିଦମାନଙ୍କ ବିଷୟରେ ଆଲୋଚନା କରିବାର ଇଚ୍ଛା ଅଛି ।

 

ପ୍ରଥମ ଭାଗରେ କୁହାଯାଇଛି ଯେ, ଆମ ଦେଶରେ ଦେଶୀୟ ଚିକିତ୍ସାପାଇଁ ଉଦ୍ଭିଦମାନଙ୍କରୁ ସିଧାସଳଖ ଔଷଧିମାନ ପ୍ରସ୍ତୁତ କରାଯାଏ । ଏହାଦ୍ଵାରା ସୁଫଳ ମିଳିବା ସଙ୍ଗେ ସଙ୍ଗେ ଅନ୍ୟ କୌଣସି ଉପସର୍ଗ ଦେଖାଯାଏ ନାହିଁ । ଆହୁରି ମଧ୍ୟ ଦେଶୀୟ ଔଷଧି ଓ ଦେଶୀୟ ପଥ୍ୟ ଖାଇ ରୋଗୀ ଆରୋଗ୍ୟ ହୁଏ । ଏଲୋପ୍ୟାଥିକ ଔଷଧପାଇଁ ଅନ୍ୟ ପଥ୍ୟ ଆବଶ୍ୟକ । ତେଣୁ ଆମେ ସବୁଦିନେ ଖାଉଥିବା ଓ ପିଲାଦିନରୁ ଖାଇଆସୁଥିବା ଖାଦ୍ୟ ବଦଳାଇବାକୁ ହୁଏ । ରୋଗରୁ ସମ୍ପୂର୍ଣ୍ଣ ଆରୋଗ୍ୟ ଲାଭପାଇଁ ଉପଯୁକ୍ତ ପଥ୍ୟର ଆବଶ୍ୟକତା ଅଛି । ଆମେ ଯେହେତୁ ଦେଶୀୟ ପଥ୍ୟ ଖାଇବାରେ ଅଭ୍ୟସ୍ତ, ନୂଆ ପଥ୍ୟ ଖାଇ ଖାଦ୍ୟ ପ୍ରତି ଅରୁଚି ବଢ଼ାଇବା କାହିଁକି ? ତେଣୁ ଆମ ବାଡ଼ିବଗିଚା ବା ଆମ ଦେଶରେ ହେଉଥ‌ିବା ଗଛ, ଲତା, ଗୁଳ୍ମ ଆଦିମାନଙ୍କରୁ ଔଷଧି ସଂଗ୍ରହ କରି ସହଜରେ ନାନା ରୋଗରୁ ମୁକ୍ତି ପାଇବାକୁ ଚେଷ୍ଟା କରିବା ନିତାନ୍ତ ଆବଶ୍ୟକ ।

 

ବର୍ତ୍ତମାନ ପରିସ୍ଥିତିରେ ଭାରତର ‘‘ଗାଟ୍’’ ରାଜିନାମା ଫଳରେ ବିଦେଶରୁ ଆମଦାନୀ ହେଉଥ‌ିବା ଔଷଧର ଦାମ ବହୁତ ବଢ଼ିଯିବ ବୋଲି ନେତାମାନେ ଚେତାବନୀ ଦେଲେଣି । ତେଣୁ ଆମକୁ ଆମରି ନିଜସ୍ୱ ଔଷଧି ବୃକ୍ଷଲତାମାନଙ୍କ ଉପରେ ନିର୍ଭର କରିବାକୁ ହେବ । ଆମପରି ଦରିଦ୍ର ଦେଶ, ଯେଉଁଠାରେ କି ଶତକଡ଼ା ପଚିଶ ଭାଗରୁ ଊର୍ଦ୍ଧ୍ଵ ଲୋକେ ଦାରିଦ୍ର୍ୟରେ ସଢ଼ନ୍ତି, ସେଠାରେ ବିଦେଶୀ ଦୁର୍ମୂଲ୍ୟ ଔଷଧର ବ୍ୟବହାର ଓ ସେହି ଅନୁସାରେ ମୂଲ୍ୟବାନ ପଥ୍ୟର ବ୍ୟବହାର ଛାଡ଼ି, ଆମକୁ ଦେଶୀ ଔଷଧ ଓ ପଥ୍ୟ ବ୍ୟବହାର କରିବାକୁ ହେବ । ଉଦାହରଣ ସ୍ଵରୂପ ‘‘ନିମ୍ବଗଛ’’ କଥା ବିଚାର କରାଯାଉ । ନିମ୍ବଗଛର ଛେଲି, ଚେର, ଡାଳ, ପତ୍ର, ଫୁଲ ଓ ଫଳ ସବୁ ଔଷଧରୂପେ ବ୍ୟବହାର କରାଯାଏ । କେଉଁ କାଳରୁ ନିମ୍ବଗଛ ଦ୍ଵାରା ଆମେ ଉପକୃତ ହେଉଛୁ । ୧୯୫୯ ଖ୍ରୀଷ୍ଟାବ୍ଦରେ ଜର୍ମାନ୍ କୀଟତତ୍ତ୍ୱବିତ୍ ଡକ୍ଟର ସ୍କୁମୁଟରର ନିମ୍ବଗଛର ଉପକାରିତା ବିଷୟ ପ୍ରଚାର କଲେ । ସେ ଦେଖିଲେ ଯେ, ସୁଦାନ ଦେଶରେ ପଙ୍ଗପାଳମାନଙ୍କ ଆକ୍ରମଣରେ ସମସ୍ତ ପ୍ରକାର ଗଛ ନଷ୍ଟ ହୋଇଗଲା । ପଙ୍ଗପାଳ ଦଳ ସବୁ ଗଛ ନଷ୍ଟ କରିଦେଲେ । ସେମାନେ କିନ୍ତୁ ନିମ୍ବଗଛକୁ ଛୁଇଁଲେ ନାହିଁ । ତେଣୁ ନିମ୍ବଗଛ ଉପରେ ଗବେଷଣା ପାଶ୍ଚାତ୍ୟ ଦେଶମାନଙ୍କରେ ଆରମ୍ଭ ହେଲା । ନିମ୍ବଗଛ ଆଉ କେବଳ ଭାରତ ବା ଏସୀୟ ଦେଶର ଗଛ ହୋଇ ନାହିଁ । ଏହା ଜର୍ମାନୀ, ବିଲାତ, ଆମେରିକା, ଜାପାନ ଆଦି ଦେଶମାନଙ୍କୁ ମାଡ଼ିଗଲାଣି । ପାଶ୍ଚାତ୍ୟ ଦେଶମାନେ ଏହି ନିମ୍ବଗଛର ଔଷଧିଗୁଣ ଓ କୀଟମାରୀ ଗୁଣ ଉପରେ ଗବେଷଣା ଚଳାଇଛନ୍ତି । କୃଷି ଓ ନାନା ରୋଗ ଉପଶମପାଇଁ ଏହାର ବ୍ୟବହାର ହେଲାଣି । ୧୯୯୨-୯୩ ମସିହାରେ ଭାରତର ବାଙ୍ଗାଲୋର ଠାରେ କେବଳ ନିମ୍ବଗଛର ଗୁଣ ଓ ସେ ବିଷୟରେ ଗବେଷଣାପାଇଁ ଏକ ବହୁଦେଶୀୟ ଆଲୋଚନା ସଭା ଅନୁଷ୍ଠିତ ହୋଇଥିଲା । ଏହିପରି ଆମର ବହୁ ନିଜସ୍ଵ ଗଛ ଅଛି, ସେମାନଙ୍କ ବିଷୟରେ କିଛି କିଛି ଜାଣିରଖିବା ଉଚିତ ।

 

ସୂଚୀ

 

ଈଶ୍ୱରୀମୂଳ

ଉତୁରୁଡ଼ି

କଳାପର୍ଣ୍ଣି (ଭାରତୀୟ ଜୁଲାପ)

ହରମଲ୍‌

କଟୁକୀ

ନୀଳକଣ୍ଠ ବା ଜେନ୍‌ସିଆନ

ଜାଷ୍ଟିମଧୁ

ତିଳପୁଷ୍ପୀ

ଅଳେଇଚ

୧୦

ଥାଲକୁଡ଼ି ବା ମଣ୍ଡୂକପର୍ଣ୍ଣୀ

୧୧

ସୋମରାଜ

୧୨

ଆକାନାଇଟ୍‌

୧୩

ପୋଦିନା

୧୪

କର୍ପୂର

୧୫

ଡାଲଚିନି

୧୬

ଦାରୁ ହରିଦ୍ରା

୧୭

ଇପିକାକ୍‌

୧୮

ଚନ୍ଦନ

୧୯

ଇସବଗୁଲ୍‌

୨୦

ଗ୍ରିନ୍ଦୋଳା (କାରାୟା)

୨୧

ଅର୍ଜ୍ଜୁନ

୨୨

ତେଜପତ୍ର

୨୩

ମେଥି

୨୪

କଳାଦାନା (କନିଖଣ୍ଡ)

୨୫

ହେଙ୍ଗୁ

୨୬

କେଶଦୁରା ବା କେଶଦୁଦୁରା

୨୭

ଘିକୁଆଁରୀ ବା ଘୃତକୁମାରୀ

୨୮

ରୁଞ୍ଜ ବା ରତି

୨୯

ଚିତାମୂଳ ବା ଚିତା

୩୦

ସଦାବିହାରୀ ବା ଆଇଁଷକାତି

୩୧

ଗଙ୍ଗଶିଉଳି

୩୨

ରାସନା

୩୩

ହାଡ଼ଭଙ୍ଗା

୩୪

ଅପରାଜିତା

୩୫

ଜଟାମାଂସ

୩୬

କେନ୍ଦୁ

୩୭

କଣ୍ଟାକୁସୁମ ବା ଅଗରା

୩୮

ବେଗୁନିଆଁ

୩୯

ପିଆଶାଳ (ବୀଜାଶାଳ)

୪୦

କରଞ୍ଜ

 

ଈଶ୍ୱରୀ ମୂଳ

 

ବଂଶ – Aristolochiaceae

ବୈଷୟିକ ନାମ - Aristolochia Indica L

 

ଭାରତୀୟ ନାମ –

ସଂସ୍କୃତ – ଈଶ୍ୱରୀମୂଳ

ଓଡ଼ିଆ - ଈଶ୍ୱରୀମୂଳ

ବଙ୍ଗଳା - ଈଶ୍ୱରୀମୂଳ

ତେଲୁଗୁ – ଗୁଟାଙ୍ଗାଦାରା

ହିନ୍ଦୀ – ଈଶ୍ୱରୀ

 

ବ୍ୟବସାୟିକ ନାମ ସାଧାରଣ ଇଂରାଜୀ ନାମ ଓ ବୈଜ୍ଞାନିକ ବା ବୈଷୟିକ ନାମରୁ ଆସିଛି ।

 

ବର୍ଣ୍ଣନା-ଏହା ଗୋଟିଏ ମହାଲତା । କାଣ୍ଡର ତଳ ଅଂଶ ଟାଣ । ଉପରକୁ ଲତାଟି ନରମ ଓ ମୂଳ ଅଂଶଟି କାଠୁଆ । ପତ୍ରଗୁଡ଼ିକ ନାନା ଆକାରର ଅଟେ । ପତ୍ର ସରୁ ଓ ରେଖାକାର ବା ଓଲଟ ଅଣ୍ଡାକୃତି ଅଟେ । ଫୁଲଗୁଡ଼ିକ ଛୋଟ ଛୋଟ ଓ ପେନ୍ଥାରେ ଥାଏ । ରଙ୍ଗ ସବୁଜ-ଧଳା ଅଟେ । ଫୁଲ ପେନ୍ଥାଗୁଡ଼ିକ ପତ୍ର କକ୍ଷରେ ଥାଏ । ଫୁଲ ଫୁଟିଗଲେ ବାଇଗଣି ରଙ୍ଗର ହୁଏ । ଏହା ତୂରୀ ଆକାରର ଅଟେ । ଫଳ ୫ ସେ.ମି. ଲମ୍ବର ହୁଏ । ଏଗୁଡ଼ିକ ଲମ୍ବାଳିଆ । ଏହା ଛଅଟି କପାଟ (valve) ଦ୍ଵାରା ବିଭକ୍ତ।

 

ବିସ୍ତୃତି- ଭାରତର ସବୁ ଜାଗାରେ ଏହା ପ୍ରାୟ ଦେଖାଯାଏ । ପାହାଡ଼ର ତଳଭାଗରେ ଓ ସମତଳ ଅଞ୍ଚଳରେ ଏହା ମିଳେ । ଭାରତର ପୂର୍ବାଞ୍ଚଳ ଓ ଦକ୍ଷିଣାଞ୍ଚଳରେ ଏହା ବହୁ ପରିମାଣରେ ଦେଖାଯାଏ ।

 

ଔଷଧିଗୁଣ- ଶୁଖିଲା ଡାଳ ଓ ଚେରରୁ ଔଷଧି ମିଳିଥାଏ । ଏହି ଔଷଧି କମ୍ ପରିମାଣରେ ବ୍ୟବହାର କରିବା କଥା । ଅଳ୍ପ ପରିମାଣରେ ସେବନ କଲେ ଏହା ହଜମକ୍ରିୟାରେ ସାହାଯ୍ୟ କରେ । ଟନିକ୍ ଭାବରେ ବ୍ୟବହାର ମଧ୍ୟ କରାଯାଏ । ସ୍ତ୍ରୀଲୋକମାନଙ୍କ ଋତୁସ୍ରାବ ଏହାଦ୍ଵାରା ନିୟନ୍ତ୍ରିତ ହୁଏ । ଔଷଧ ପରିମାଣ ଅଧିକ ହେଲେ ଖରାପ । ପରିମାଣ ଅଧିକ ହେଲେ ପାକନଳୀରେ ଅସହ୍ୟ ଯନ୍ତ୍ରଣା ହୁଏ ଏବଂ ଅଧିକ ପରିମାଣରେ ବାନ୍ତି ହୁଏ । ଗର୍ଭବତୀ ସ୍ତ୍ରୀମାନଙ୍କର ଗର୍ଭପାତ ମଧ୍ୟ ହୋଇପାରେ । ଗୁଦାରେ ମଧ୍ୟ ଯନ୍ତ୍ରଣା ହୁଏ । ତେଣୁ ଏହି ଔଷଧିର ପରିମାଣ ଚିକିତ୍ସକଙ୍କ ପରାମର୍ଶ ଅନୁସାରେ ଠିକ୍ କରିବା ଉଚିତ ।

 

ଏହି ଔଷଧ ଏକ ଉତ୍ତେଜକ ଭାବେ ବ୍ୟବହୃତ ହୁଏ । ଅତିମାତ୍ରାରେ ଜ୍ଵର ହେଲେ ମଧ୍ୟ ଏହା ଦିଆଯାଏ ଓ ସୁଫଳ ମିଳେ। ଉଚ୍ଚ ରକ୍ତଚାପ ରୋଗରେ ମଧ୍ୟ ଏହା ଦିଆଯାଏ ।

 

ଅନ୍ୟ ଜାତିର ଗଛ- ଧୂମ୍ରପତ୍ର (ଓଡ଼ିଆ) ନାମକ ଆଉ ଏକ ଜାତିର ଗଛ ଅଛି । ତାହାର ବୈଷୟିକ ନାମ ହେଉଛି ଆରିଷ୍ଟୋଲୋକିଆ ବ୍ରାଡ଼ିଓଲାଟା (Aristolochia_Bractiolata_Lamb)-। ଏହାକୁ ସଂସ୍କୃତରେ ଧୂମ୍ରପତ୍ର ମଧ୍ୟ କହନ୍ତି । ହିନ୍ଦୀରେ କିରାମର, ତେଲଗୁରେ ଓ କନ୍ନଡ଼ରେ କାଲାଗୁର୍କି କହନ୍ତି । ଏହା କୃଷ୍ଣକାର୍ପାସ ମୃତ୍ତିକା ଅଞ୍ଚଳରେ ହୁଏ । ଏଥିରେ କୃମି ଭଲ ହୁଏ । ଏହି ପତ୍ର ସିଝାଇ ସେହି ପାଣିରେ ପଚା ଘା’କୁ ଧୋଇଲେ ଘା’ ଭଲ ହୁଏ ।

 

ଉତୁରୁଡ଼ି

 

ବଂଶ – Asclepiadaccai (ଅର୍କବଂଶ)

ବୈଷୟିକ ନାମ – Pergularia Daemia Chiore Syn.p.Extensa

 

N.E.Br., Daemia extensa R.Br.,

ଓଡ଼ିଆ – ଉତୁରୁଡ଼ି, ଉତ୍ତରାଳି

ହିନ୍ଦୀ - ଉତ୍ତାନ, ଉତ୍ତାରନି, ସୀଡ଼ୋଭୀନି

ସଂସ୍କୃତ – ଯୁଗଫଲା

ତେଲୁଗୁ – ଦୁସ୍ତୁପାଟିଗି

 

ବର୍ଣ୍ଣନା -       ଏହା ଏକ କ୍ଷୁପଜାତୀୟ ଲତା । ଅନ୍ୟ ଆଶ୍ରୟରେ ଏହା ବଢେ । ବର୍ଷାଋତୁରେ ପ୍ରଚୁର ପରିମାଣରେ ହୁଏ । କାଣ୍ଡ ଦୁର୍ବଳ ଏବଂ ଲୋମଶ । ଏଥିରେ କ୍ଷୀର ଥାଏ । ପତ୍ରଗୁଡ଼ିକ ୪-୬ ସେ.ମି. ଲମ୍ବ । ଅଣ୍ଡାକାର ବା ଗୋଲାକାର । ପତ୍ର ତଳକୁ ତାମ୍ବୁଳାକାର ଦେଖାଯାଏ ।

 

ଫୁଲଗୁଡ଼ିକ ଛୋଟ ଛୋଟ ଓ ପେନ୍ଥାରେ ଥାଏ । ଫୁଲ ଧଳାରଙ୍ଗର ଅଟେ । ଫଳ ଯୋଡ଼ି ଯୋଡ଼ି ହୋଇଥାଏ । ଏହା ୫-୮ ସେ.ମି. ଲମ୍ବ । ଫଳ ଉପରେ କଣ୍ଟାର ଆବରଣ ଥାଏ ।

 

ବିସ୍ତୃତି- ଏହା ଭାରତର ସର୍ବତ୍ର ମିଳେ । ପ୍ରାୟ ୧୦୦୦ ମିଟର ଉଚ୍ଚା ସ୍ଥାନ ଓ ସମତଳ ଭୂମିରେ ପ୍ରଚୁର ପରିମାଣରେ ଅଗଛା ଭାବରେ ଦେଖାଯାଏ ।

 

ଔଷଧିଗୁଣ- ଗଛଟିର ଡାଳ, ଚେର, ପତ୍ର, ଫୁଲ ଆଦି ନାନା ଔଷଧରେ ବ୍ୟବହୃତ ହୁଏ । ପିଲାଙ୍କ ତରଳ ଝାଡ଼ାରେ ଏହା ବ୍ୟବହୃତ ହୁଏ । ଆଣ୍ଠୁଗଣ୍ଠି ବାତରେ ମଧ୍ୟ ଏହା ବ୍ୟବହାର କଲେ ଭଲ ଫଳ ଦିଏ । ଜରାୟୁକୁ ସୁସ୍ଥ ରଖିବାରେ ଏହା ଟନିକ୍ ଭାବରେ ବ୍ୟବହୃତ ହୁଏ । ନାନା ପ୍ରସୂତି ରୋଗରେ ମଧ୍ୟ ଏହାର ବ୍ୟବହାର ଅଛି । ଏହାର କ୍ଷୀରରେ ଥିବା ଉପକ୍ଷାର ନାନା ଔଷଧିରେ ବ୍ୟବହୃତ ହୁଏ । ଜରାୟୁରୁ ଅତ୍ୟଧିକ ରକ୍ତସ୍ରାବ ଏହା ବନ୍ଦ କରେ । ଏହି ଉତୁରୁଡ଼ିରୁ ବାହାରୁଥିବା କ୍ଷୀର ‘ପିଟିଉଟ୍ରିନ୍’' (Pituitrin) ପରି କାମ କରେ । ‘‘ପୀୟୂଷ ଗ୍ରନ୍ଥି” (Pituitary Gland)ରୁ ବାହାରୁଥିବା ପଦାର୍ଥ ଶରୀରର ନାନା ବୃଦ୍ଧିପାଇଁ ଅତି ଆବଶ୍ୟକ ।

 

ତେଣୁ ଉତୁରୁଡ଼ି ଅତି ଉପକାରୀ ଲତା ଅଟେ ।

 

କଳାପର୍ଣ୍ଣି : (ଭାରତୀୟ ଜୁଲାପ)

 

ବଂଶ – Convolvulaceae (କଳମୀଶାଗ ବଂଶ)

ବୈଷୟିକ ନାମ – Oprculina turpethune (L.)

Silvo manso

ଭାରତୀୟ ନାମ –

ଓଡ଼ିଆ – କଳାପର୍ଣ୍ଣି

ସଂସ୍କୃତ – ତ୍ରିପଟୀ ବା କଳାପର୍ଣ୍ଣି

ବଙ୍ଗଳା – ଦୁଧିଆ କଳମୀ

ତେଲୁଗୁ – ଟେଲ୍ଲାଟିଗାଡ଼ା

ହିନ୍ଦୀ – ନିଶୋଥ, ପିଥୋରି ।

 

ବୈଜ୍ଞାନିକ ବା ବୈଷୟିକ ନାମ ଅନୁସାରେ ବ୍ୟବସାୟିକ ନାମ ଦିଆଯାଇଛି ।

 

ଗଛର ବର୍ଣ୍ଣନା-ଏହା ଗୋଟିଏ ଗୁଡ଼ାଇ ହୋଇ ମାଡ଼ିଥିବା ଲତା । ଏହା କ୍ଷୁପ ଜାତୀୟ ଅଟେ । ଏଥ‌ିରେ କ୍ଷୀର ଅଛି । ଚେର ଲମ୍ବା । କାଣ୍ଡ ଶାଖାଯୁକ୍ତ ଓ ମାଂସଳ । ପତ୍ରଗୁଡ଼ିକ ୪-୧୦ ସେ.ମି. ଲମ୍ବା ଓ ୧.୫ରୁ ୭ ସେ.ମି. ଚଉଡ଼ା । ଆକାର ଅଣ୍ଡାକାର ବା ହୃଦୟାକାର ଅଟେ । ଫୁଲଗୁଡ଼ିକ ଧଳାରଙ୍ଗର ଅଟନ୍ତି । ଏହା ୪.୫ ସେ.ମି. ଲମ୍ବ ଓ କାହାଳୀ ଆକାରର ଅଟେ । ପୁଷ୍ପଗୁଚ୍ଛରେ ଅଳ୍ପ ଫୁଲ ଥାଏ । ଫୁଲର ବୃତି ୨ ସେ.ମି. ଲମ୍ବ ଅଟେ । ଫଳ ହେଲା ପରେ ମଧ୍ୟ ବୃତିର ବୃଦ୍ଧି ଘଟେ ଏବଂ ଏହା ଫଳକୁ ଘୋଡ଼ାଇ ରଖେ ।

 

ବିସ୍ତୃତି - ଭାରତରେ ପ୍ରାୟ ସର୍ବତ୍ର ହୁଏ । ଏହା ପ୍ରାୟ ୧୦୦୦ ମିଟର ଉଚ୍ଚତାରେ ମଧ୍ୟ ଦେଖାଯାଏ । ଫୁଲଗୁଡ଼ିକ ସୁନ୍ଦର ଦେଖାଯାଉଥ‌ିବାରୁ ଏହାକୁ ବଗିଚାରେ ମଧ୍ୟ ଲଗାଯାଏ ।

 

ଔଷଧିଗୁଣ- ଧଳାରଙ୍ଗର ଫୁଲ ଫୁଟୁଥିବା ଗଛର ଚେରରୁ ଔଷଧି ପ୍ରସ୍ତୁତ ହୁଏ । ଚେର ବକଳାରେ ହିଁ ଔଷଧ ଗୁଣ ବେଶୀ ଥାଏ ।

 

ଏହି ଚେରର ବକଳରେ ‘‘ଟରପେଥିନ୍’’ ଥାଏ । ଏହା ଜୁଲାପ (Julap) ଭାବରେ ବ୍ୟବହୃତ ହୁଏ-। କୋଷ୍ଠ-କାଠିନ୍ୟରେ ଏହା ବ୍ୟବହୃତ ହୁଏ । ଶୁଖିଲା ଚେରକୁ ଗୁଣ୍ଡ କରି ବ୍ୟବହାର କରାଯାଏ । କେବଳ ଚେରକୁ ଗୁଣ୍ଡ କରି ଖାଇଲେ ଭଲ ଫଳ ମିଳେ। ବଜାରରେ ମିଳୁଥିବା ‘‘ଟରପେଥ’’ରେ ଚେର ସହିତ କାଣ୍ଡ ଓ ପତ୍ରର ଗୁଣ୍ଡ ମଧ୍ୟ ମିଶ୍ରିତ ହୋଇଥାଏ । ତେଣୁ ବିଶେଷ ଫଳପ୍ରଦ ହୁଏ ନାହିଁ-। ତେଣୁ କେବଳ ଚେରକୁ ଶୁଖାଇ ଗୁଣ୍ଡ କରି ଔଷଧ ପ୍ରସ୍ତୁତ କରିବାକୁ ହେବ ।

 

ହରମଲ୍‌

 

ବଂଶ – Rutaceae ( (ଲେମ୍ବୁଜାତୀୟ)

ବୈଷୟିକ ନାମ - Peganum harmala L.

 

ଭାରତୀୟ ନାମ –

ଓଡ଼ିଆ – ‘‘ହରମଲ୍‌’’

ସଂସ୍କୃତ – ‘‘ହରମଲ୍‌’’

ହିନ୍ଦୀ – ଗନ୍ଧ୍ୟ, ହରମଲ୍‌

ତେଲୁଗୁ – ସୀମା ଗୋରନ୍ତି

ଇଂରାଜୀ – Wild Rue

 

ବ୍ୟବସାୟିକ ନାମ ଭାରତୀୟ ନାମରୁ ହୋଇଅଛି ।

 

ଗଛର ବର୍ଣ୍ଣନା- ଗଛଟି ଗୁଳ୍ମଜାତୀୟ । ପ୍ରାୟ ୩୦-୯୦ ସେ.ମି. ଉଚ୍ଚ ହୁଏ । ପତ୍ରଗୁଡ଼ିକ ଯୌଗିକ ଓ ୫-୭ ଟି ଉପପତ୍ର ଥାଏ । ଫୁଲ ଧଳାରଙ୍ଗର ଏବଂ ୨-୩ ସେ.ମି. ବ୍ୟାସର ଅଟେ । ଫଳ ସଂପୁଟ ବା କ୍ୟାପ୍‌ସୁଲ ଜାତୀୟ ଅଟେ ।

 

ବିସ୍ତୃତି- ଉତ୍ତର ଓ ଉତ୍ତର-ପଶ୍ଚିମାଞ୍ଚଳ ଭାରତରେ ଦେଖାଯାଏ । ଦାକ୍ଷିଣାତ୍ୟର ଶୁଷ୍କ ପାର୍ବତ୍ୟାଞ୍ଚଳରେ ମଧ୍ୟ ଦେଖାଯାଏ ।

ଔଷଧ ଓ ଔଷଧିଗୁଣ- ଏହି ଗଛର ଶୁଖିଲା ମଞ୍ଜିରୁ ହରମଲ୍ ଔଷଧ ପ୍ରସ୍ତୁତ ହୁଏ । ମଞ୍ଜିରେ ଏକ ଉପକ୍ଷାର ଥାଏ । ତାହା ଶ୍ଵାସ ରୋଗରେ ବ୍ୟବହୃତ ହୁଏ । ଏହା ବ୍ୟତୀତ ହିଷ୍ଟିରିଆ, ବାତରୋଗ, ପେଟର ଯନ୍ତ୍ରଣା, କାମଳ ଆଦି ରୋଗରେ ମଧ୍ୟ ବ୍ୟବହୃତ ହୁଏ। ଜରାୟୁର ନାନା ପ୍ରକାର ରୋଗରେ ମଧ୍ୟ ଏହାର ବ୍ୟବହାର ଅଛି । ଏହା ସମୟ ସମୟରେ ନିଶା ଭାବରେ ଓ ହଜମି ଔଷଧ ଭାବରେ ବ୍ୟବହୃତ ହୁଏ ।

 

ଏଥିରୁ ହାରମାଲିନ୍, ୟାଗେଇନ୍ ଓ ହାରିମିନ୍ ଉପକ୍ଷାରମାନ ବାହାରେ । ଏହି ଉପକ୍ଷାର ମସ୍ତିଷ୍କର ସ୍ନାୟୁକୁ ଉତ୍ତେଜିତ କରେ । ଅଧ‌ିକ ପରିମାଣରେ ବ୍ୟବହାର କଲେ ସ୍ନାୟବିକ ଅବମନନ ସୃଷ୍ଟି କରେ । ତେଣୁ ଅଧିକ ମାତ୍ରାରେ ବ୍ୟବହାର ଉଚିତ ନୁହେଁ । ଏହା ଅଧିକ ମାତ୍ରାରେ ବ୍ୟବହାର କଲେ ବିଷମୟ ଫଳ ହୁଏ ।

 

ଏହାର ବୀଜାଣୁ ନିରୋଧକ ଶକ୍ତି ଅଛି ବୋଲି ଜଣାଯାଇଛି । ମ୍ୟାଲେରିଆ ରୋଗରେ ଏହାର ପ୍ରୟୋଗ କରାଯାଇଛି । ଫଳ ବିଶେଷ ଆଶାଜନକ ହୋଇପାରି ନାହିଁ ।

 

ଅନ୍ୟ ବ୍ୟବହାର- ଏହାର ମଞ୍ଜିରୁ ଏକ ପ୍ରକାର ଲାଲ ରଙ୍ଗ ପ୍ରସ୍ତୁତ ହୁଏ । ଚେରକୁ ଶୁଖାଇ ଏହି ଚୂର୍ଣ୍ଣ ସୋରିଷ ତେଲରେ ମିଶାଇ ବ୍ୟବହାର କଲେ ଉକୁଣି ଦୂର ହୁଏ । ଏହି ଗଛ ଘରେ ଥିଲେ ମଶାମାନଙ୍କ ଦାଉରୁ ରକ୍ଷା ମିଳେ ବୋଲି ଅନେକେ କହନ୍ତି । ଏହା ପରୀକ୍ଷା ସାପେକ୍ଷ ।

 

କଟୁକୀ

 

ବଂଶ – scrophuliaraceae

ବୈଷୟିକ ନାମ – Picrorhiza Kurroa Royle ex Benth

 

ଭାରତୀୟ ନାମ –

ଓଡ଼ିଆ – କଟୁକୀ

ହିନ୍ଦୀ – କୁଟ୍‌କୀ, କୁରୁ

ବଙ୍ଗଳା – କଟକୀ

ସଂସ୍କୃତ – କଟୁକା

ତେଲୁଗୁ – କାଟୁକୁ ରୋନି

 

ବ୍ୟବସାୟିକ ନାମ ‘‘ପିକୋରାଇଜା’’; ଏହାର ବୈଷୟିକ ନାମ ବା ବୈଜ୍ଞାନିକ ନାମ ଉପରେ ଆଧାରିତ ।

ଗଛର ବର୍ଣ୍ଣନା- ଏହା ଗୋଟିଏ ଛୋଟ କ୍ଷୁପଜାତୀୟ ଉଦ୍ଭିଦ । ଏକବାର୍ଷିକ ବା ବହୁବାର୍ଷିକ ଅଟେ । ପତ୍ରର ଆକାର ଚମସାକାର । ପତ୍ରର ଲମ୍ବା ୫-୧୦ ସେ.ମି. ଅଟେ । ଏହାର କାଣ୍ଡ ରୂପାନ୍ତରିତ । ଧାବକ କନ୍ଦ ଜାତୀୟ ଅଟେ । ଏହି ଧାବକ କାଣ୍ଡ ୧୫-୨୫ ସେ.ମି. ଲମ୍ବ ଏବଂ କାଷ୍ଠଯୁକ୍ତ । ଗଣ୍ଠିମାନଙ୍କରୁ ବାୟବୀୟ କାଣ୍ଡ ବାହାରେ । ଫୁଲଗୁଡ଼ିକ ଛୋଟ ଛୋଟ । ସ୍ତବକ ଶୁକୀଜାତୀୟ ଅଟେ । ଏହି ସ୍ତବକ ବାୟବୀୟ ପତ୍ର ନ ଥିବା କାଣ୍ଡରୁ ମାଟି ତଳୁ ବାହାରେ । ମାଟି ତଳେ ଥ‌ିବା ଧାବକ କନ୍ଦରେ (କାଣ୍ଡ) ଶଳ୍କ ପତ୍ର ଥାଏ ।

 

ଦୁଇ ପ୍ରକାରର ଫୁଲ ଦେଖାଯାଏ । କେତେକ ଫୁଲର ପୁଷ୍ପଦଣ୍ଡ ଲମ୍ବା ଓ ଆଉ କେତେକର ପୁଷ୍ପଦଣ୍ଡ ଛୋଟ ଛୋଟ ହୋଇଥାଏ । ଫଳଗୁଡ଼ିକ ୧.୩ ସେ.ମି. ଲମ୍ବା ଅଟେ ।

 

ବିସ୍ତୃତି- ଏହା ସାଧାରଣତଃ ପାହାଡ଼ିଆ ଅଞ୍ଚଳରେ ମିଳେ । ପ୍ରାୟ ୩,୦୦୦ ରୁ ୪,୦୦୦ ମିଟର ଉଚ୍ଚତା ବିଶିଷ୍ଟ ହିମାଳୟ ଅଞ୍ଚଳ କାଶ୍ମୀରରୁ ସିକିମ୍ ପର୍ଯ୍ୟନ୍ତ ଦେଖାଯାଏ । ସମତଳ ଭୂମିରେ ଏହା ଦେଖାଯାଏ ନାହିଁ ।

 

ଔଷଧିଗୁଣ- ଶୁଖିଲା ଧାବକ କନ୍ଦରୁ ଔଷଧି ହୁଏ । ପିତ୍ତ କ୍ଷରଣରେ ଏହା ସାହାଯ୍ୟ କରେ । ଜେନ୍‌ସିଆନ୍ ନାମକ ଆଉ ଏକ ଗଛରୁ ମଧ୍ୟ ଏହି ପ୍ରକାରର ଔଷଧ ମିଳେ । ଏହି ଜେନ୍‌ସିଆନର ଓଡ଼ିଆ ନାମ ହେଉଛି ନୀଳକଣ୍ଠ ବା କୁଟକୀ । ଏହା କ୍ଷୁଧା ବୃଦ୍ଧି କରେ ଏବଂ ଜଠରୀୟ କ୍ଷରଣ ବୃଦ୍ଧିକରି ପାକଶକ୍ତି ବଢ଼ାଏ । ଜଳଉଦରୀ ରୋଗରେ ଏହା ମଧ୍ୟ ବ୍ୟବହାର କରାଯାଏ ।

 

ଏହାର ବୀଜାଣୁ ନିରୋଧ ଶକ୍ତି ମଧ୍ୟ ପ୍ରମାଣିତ ହୋଇଛି । ଭାରତରେ ହାରାହାରି ବର୍ଷକୁ ୪୦ କ୍ଵିଣ୍ଟାଲ୍ କଟୁକୀ ବା ପିକୋରାଇଜା ଆବଶ୍ୟକ ହୁଏ । ହିମାଳୟ ଅଞ୍ଚଳରେ ପ୍ରାୟ ୩,୦୦୦ ରୁ ୪,୦୦୦ ମିଟର ଉଚ୍ଚତାରେ ଏହା ସାଧାରଣତଃ ଚାଷ କରାଯାଏ । ଏହି ଗଛ ଅତି ଉପକାରୀ ଓ ଜେନ୍‌ସିଆନ୍ ବା ନୀଳକଣ୍ଠ ସ୍ଥାନରେ ବ୍ୟବହୃତ ହୁଏ ।

 

ନୀଳକଣ୍ଠ ବା ଜେନ୍‌ସିଆନ୍‌

 

ବଂଶ - Gentianaceae

ବୈଷୟିକ ନାମ – Gentiana Kurroo Royle

 

ଭାରତୀୟ ନାମ-

ଓଡ଼ିଆ – ନୀଳକଣ୍ଠ

ହନ୍ଦୀ – କମଲ ଫୁଲ, ନୀଳକଣ୍ଠ, କୁଟକୀ

ବଙ୍ଗଳା - କାରୁ, କୁଟକୀ

ସଂସ୍କୃତ – କମଲ, ନୀଳକଣ୍ଠ

 

ବ୍ୟବସାୟିକ ନାମ ବୈଷୟିକ ବା ବୈଜ୍ଞାନିକ ନାମ ଉପରେ ଆଧାରିତ ।

 

ଗଛର ବର୍ଣ୍ଣନା- ବହୁବାର୍ଷିକ କ୍ଷୁପ ଜାତୀୟ ଅଟେ । ୧୦-୩୦ ସେ.ମି. ଉଚ୍ଚା ହୁଏ । ଏହାର ପାର୍ଶ୍ଵାରୋହୀ କାଣ୍ଡ ଦେଖାଯାଏ । ମୂଳଟି ମୋଟା । ଗଛର ତଳ ପତ୍ରଗୁଡ଼ିକ ଲମ୍ବା ଓ ଏକତ୍ର ଥାଆନ୍ତି । ଏଗୁଡ଼ିକ ୭-୧୩ ସେ.ମି. ଲମ୍ବ ଓ ଉପର ପତ୍ରଗୁଡ଼ିକ ସରୁ ଓ ଲମ୍ବା । ଏହା ପ୍ରତ୍ୟେକ ଗଣ୍ଠିରେ ଦୁଇଟି କରି ଥାଆନ୍ତି । ଫୁଲଗୁଡ଼ିକ ନୀଳରଙ୍ଗର ଓ ତାହା ଦେହରେ ଧଳା ଦାଗ ଥାଏ । ଏଗୁଡ଼ିକ ୪-୫ ସେ.ମି. ଲମ୍ବା ଏବଂ ଏହାର ବ୍ୟାସ ପ୍ରାୟ ୨ ସେ.ମି. ଅଟେ । ଫୁଲଗୁଡ଼ିକ ଗୋଟା ଗୋଟା ହୋଇଥା’ନ୍ତି ବା ଏକତ୍ର ଏକ ଗୁଚ୍ଛରେ ଥା’ନ୍ତି । ଫଳଗୁଡ଼ିକ ୨ ସେ.ମି. ଲମ୍ବ ।

 

ବିସ୍ତୃତି- ଏହା ସାଧାରଣତଃ ଉଚ୍ଚା ଜାଗାରେ ହୁଏ । ଉତ୍ତର-ପଶ୍ଚିମ ହିମାଳୟ ଅଞ୍ଚଳରେ ଏହା ଦେଖାଯାଏ । ପ୍ରାୟ ୧,୫୦୦ ରୁ ୩,୫୦୦ ଉଚ୍ଚାରେ ଏହା ଦେଖିବାକୁ ମିଳେ । କାଶ୍ମୀର ଓ ତା’ପାଖରେ ଥିବା ପାହାଡ଼ମାନଙ୍କରେ ନୀଳକଣ୍ଠ ଗଛ ପ୍ରଚୁର ପରିମାଣରେ ମିଳେ । ସମତଳ ଅଞ୍ଚଳରେ ଏହା ଦେଖାଯାଏ ନାହିଁ ।

 

ଔଷଧିଗୁଣ- ଶୁଖିଲା ଧାବକ କନ୍ଦଜାତୀୟ କାଣ୍ଡଟିରୁ ଔଷଧ ପ୍ରସ୍ତୁତ ହୁଏ । ଏହି ଜେନ୍‌ସିଆନ୍ ଔଷଧ କ୍ଷୁଧାବର୍ଦ୍ଧକ ଅଟେ । ପାକରସର କ୍ଷରଣକୁ ଏହା ତ୍ୱରାନ୍ଵିତ କରେ । ଏହା ବହୁ ଟନିକ୍‌ରେ ବ୍ୟବହୃତ ହୁଏ । ଏକ ସୁଗନ୍ଧି ଯୋଗୁଁ ଏହାକୁ ସମସ୍ତେ ଭଲପାଆନ୍ତି । ଅଧିକ ମାତ୍ରାରେ ଖାଇଲେ ତରଳଝାଡ଼ା ହେବାର ସମ୍ଭାବନା ଅଛି ।

 

ଅନ୍ୟ ଜାତି- ହଳଦିଆ ଜେନ୍‌ସିଆନ୍ (Yellow Gentian) Gentiana Lutea L ଗୋଟିଏ ବିଦେଶୀ ଗଛ । ଏହା ବହୁ ପରିମାଣରେ ବିଦେଶରୁ ଭାରତକୁ ଆମଦାନି ହୁଏ । ଔଷଧିଗୁଣ ଏହାର ଅଧିକ । ଏହାର ଚାଷ ମଧ୍ୟ ୩,୦୦୦ ମିଟର ଉଚ୍ଚରେ କରିହେବ । ହିମାଳୟର ୩,୦୦୦ ମିଟର ଉଚ୍ଚ ସ୍ଥାନ ଏହି ଗଛର ଚାଷ ପାଇଁ ଅନୁକୂଳ ।

ଆଉ ଦୁଇ ପ୍ରକାରର ନୀଳକଣ୍ଠ ବା ଜେନ୍‌ସିଆନ୍ ହିମାଳୟରେ ମଧ୍ୟ ବଣୁଆ ଗଛ ଭାବରେ ବଢ଼େ । ଆଗରୁ ବର୍ଣ୍ଣିତ ହୋଇଥିବା କଟୁକୀ (Picorrhiza) ମଧ୍ୟ ହଳଦିଆ ଜେନ୍‌ସିଆନ୍ ବଦଳରେ ବ୍ୟବହାର କରାଯାଏ । .

 

ଯାଷ୍ଟିମଧୁ

 

ବଂଶ – Papilionaceae ବା ଶିମ୍ବିବଂଶ

ବୈଷୟିକ ନାମ – Glycyrrhiza glabara L.

 

ଭାରତୀୟ ନାମ –

ହିନ୍ଦୀ – ମୂଲ୍ଲାଟି, ମୂଲେଥି

ଓଡ଼ିଆ – ଯାଷ୍ଟିମଧୁ

ବଙ୍ଗଳା – ଯାଷ୍ଟିମଧୁ

ସଂସ୍କୃତ – ମଧୁଯଷ୍ଟି

ତେଲୁଗୁ - ୟଷ୍ଟି ମଧୁକମ୍‌

 

ବ୍ୟବସାୟିକ ନାମ ‘‘ଲିକ୍ୟୁଓରାଇମ୍‌’’ । ଅନେକ ସମୟରେ କାଇଁଚଗୁଞ୍ଜ ବା ରୁଞ୍ଜ (Abrus Precatorius L)ରୁ ମିଳୁଥିବା ‘‘ଭାରତୀୟ ଲିକ୍ୟୁଓରାଇସ୍‌କ୍’’କୁ ଏହି ‘‘ଲିକ୍ୟୁଓରାଇସ୍‌’’ ବୋଲି ଅନେକେ ଭୁଲ୍‌ରେ କହନ୍ତି । ଦୁଇଟିର ଗଛ ଅଲଗା । ଭାରତୀୟ ଲ୍ୟୁକୋରାଇସ୍‌ ଗୁଞ୍ଜ ବା ରୁଞ୍ଜ ଗଛରୁ ମିଳେ । ତେବେ ଦୁଇଟିଯାକର ବଂଶ ଏକା ।

 

ଗଛର ବର୍ଣ୍ଣନା- ଏହା ଗୋଟିଏ ସିଧାଭାବେ ବଢୁଥ‌ିବା କ୍ଷୁପ ବା ଛୋଟ ଗୁଳ୍ମଜାତୀୟ ଉଦ୍ଭିଦ ଅଟେ । ଉଚ୍ଚତା ପ୍ରାୟ ୧.୫ ମିଟର ଅଟେ । ପତ୍ର ଯୌଗିକ ଏବଂ ଉପପତ୍ର ପ୍ରାୟ ୪-୭ ଯୋଡ଼ା ଥାଏ । ଫୁଲଗୁଡ଼ିକ ସାମାନ୍ୟ ବାଇଗଣି ବା ପାଟଳ ରଙ୍ଗର ଅଟେ । ଏହି ଫୁଲଗୁଡ଼ିକ ଛୋଟ ଛୋଟ ଏବଂ ଶୁକୀଜାତୀୟ ସ୍ତବକରେ ଥାଆନ୍ତି । ସ୍ତବକର ଲମ୍ବା ପତ୍ରର ଲମ୍ବା ସଙ୍ଗେ ସମାନ । ଫଳଗୁଡ଼ିକ ୧-୩ ସେ.ମି. ଲମ୍ବ । ଏଗୁଡ଼ିକ ଚେପ୍‌ଟା ଓ ଏହା ଉପରେ ଛୋଟ ଛୋଟ କଣ୍ଟା ଥାଏ । ମୂଳରୁ ବହୁ ଶାଖାମୂଳ ବାହାରେ । ମୂଳକୁ ଲାଗିଥିବା କେତେକ ଶାଖାୟିତ କାଣ୍ଡ ମଧ୍ୟ ମାଟି ତଳେ ରହିଥାଆନ୍ତି ।

 

ବିସ୍ତୃତି- ଏହା କାଶ୍ମୀରର ଉତ୍ତରାଞ୍ଚଳରେ ହୁଏ । ଆଜିକାଲି ଏହା କାଶ୍ମୀର, ଡେରାଡୁନ୍ ଓ ଦିଲ୍ଲୀରେ ମଧ୍ୟ ଚାଷ କରାଯାଉଛି ।

 

ଔଷଧୀୟ ଓ ଅନ୍ୟାନ୍ୟ ଗୁଣ - ଏହାର ମୂଳ ଓ ମୂଳ ନିକଟସ୍ଥ ଭୂତଳ କାଣ୍ଡ ଔଷଧରେ ବ୍ୟବହୃତ ହୁଏ । ଯାଷ୍ଟିମଧୁ କଫ, ବ୍ରୋନ୍‌କାଇଟିସ୍, ଗଳା ଭିତର ଖସ୍ ଖସ୍ ଆଦି ରୋଗମାନଙ୍କରେ ଅବ୍ୟର୍ଥ ଔଷଧଭାବେ ବ୍ୟବହୃତ ହୁଏ । କଫ କିମ୍ବା ଗଳା ଖସ୍ ଖସ୍ ରୋଗରେ ଖଣ୍ଡେ ଯାଷ୍ଟିମଧୁ ଚୋବାଇ ଚୋବାଇ ଖାଇଲେ ବା ପାଟିରେ ଜାକିରଖିଲେ ସୁଫଳ ଦିଏ । ଅପସ୍ମାର ରୋଗ ଓ ପେଟର ନାନା ପ୍ରକାର ବ୍ୟଥାରେ ମଧ୍ୟ ଏହା ବ୍ୟବହୃତ ହୁଏ ।

 

ଯାଷ୍ଟିମଧୁ ପରିସ୍ରା ଅଧିକ କରାଇବାରେ ସାହାଯ୍ୟ କରେ । ଏହି ଗୁଣ ବ୍ୟତୀତ ଏହାର ଜୀବାଣୁ-ବିରୋଧୀ ଓ ବୀଜାଣୁ (bacteria) ବିରୋଧୀ ଗୁଣ ମଧ୍ୟ ଅଛି ।

 

ଏହାର ମିଠାଗୁଣ ଥିବାରୁ ଏହା ନାନା ଶିରପ୍‌ରେ ବ୍ୟବହୃତ ହୁଏ । ନାନା ଔଷଧର ତିକ୍ତ ଗୁଣ କାଟିବା ପାଇଁ ଏହାକୁ ବ୍ୟବହାର କରାଯାଏ । ତେଣୁ ଅନେକ ପିତା ଔଷଧରେ ଏହାକୁ ମିଶାଇ ମୁଖରୋଚକ କରାଯାଏ । ଜଠରରେ ହୋଇଥିବା ଘା' ବା ଗ୍ରହଣୀ (Duedenem)ରେ ହୋଇଥିବା ଘା’ ଏହା ଭଲ କରେ । ଯାଷ୍ଟିମଧୁ ଗୁଣ୍ଡକୁ ଘିଅରେ ମିଶାଇ କଟାଘା’ରେ ଲଗାଇଲେ ତାହା ଶୀଘ୍ର ଭଲ ହୋଇଯାଏ ।

 

ଯାଷ୍ଟିମଧୁର ପତ୍ରକୁ ବାଟି ମୁଣ୍ଡରେ ଲଗାଇଲେ ମଥାଧରା ଆଦି ରୋଗ ଦୂର ହୁଏ ।

 

ଅନ୍ୟ ବ୍ୟବହାର - ଏଥିରୁ ଛୋଟ ଖଣ୍ଡେ ପାନ ସହିତ ଖାଇଲେ ମୁଖଗହ୍ଵର ପରିଷ୍କାର ରହେ ।

 

କାଶ୍ମୀର, ପଞ୍ଜାବ, ହିମାଚଳ ପ୍ରଦେଶ, ଉତ୍ତର ପ୍ରଦେଶ ଓ ମାନ୍ଦ୍ରାଜ ପ୍ରଦେଶରେ ଏହା ସୁବିଧାରେ ଚାଷ କରାଯାଏ । ସ୍ପେନ୍ ଓ ଇଟାଲୀରେ ଧାନଜମିରେ ଏହି ଗଛ ଅଗଛା ଭାବେ ବଢ଼େ ।

 

ଭାରତରେ ପ୍ରାୟ ୪,୦୦୦ କ୍ୱିଣ୍ଟାଲ୍ ଯାଷ୍ଟିମଧୁର ବାର୍ଷିକ ଆବଶ୍ୟକତା ଅଛି । ତେଣୁ ଏହା ଗୋଟିଏ ଅତ୍ୟନ୍ତ ଦରକାରୀ ଅର୍ଥକାରୀ ଫସଲ ।

 

ତିଳପୁଷ୍ପ

 

ବଂଶ – Laliatae ( ତୁଳସୀ ବଂଶ)

ବୈଷୟିକ ନାମ –Ocimum Kilimandscharicum

ଭାରତୀୟ ନାମ -

ହିନ୍ଦୀ – ତିଲ୍‌ପୁଷ୍ପୀ

ଓଡ଼ିଆ -       ତିଳପୁଷ୍ପ

ବଙ୍ଗଳା – ତିଲ୍‌ପୁଷ୍ପ

ସଂସ୍କୃତ – ତିଲ୍‌ପୁଷ୍ପୀ

 

ଏହାର ବ୍ୟବସାୟିକ ନାମ ବା ବୈଜ୍ଞାନିକ ନାମ ଉପରେ ଆଧାରିତ । ଏହାର ଫୁଲ ରାଶି ବା ତିଳଫୁଲ ପରି ହୋଇଥିବାରୁ ନାମକରଣ ଏପରି ହୋଇଅଛି।

 

ଗଛର ବର୍ଣ୍ଣନା - ଏହା ଦ୍ୱିବାର୍ଷିକ ବା ବହୁବାର୍ଷିକ ଅଟେ । ଉଭିଦ କ୍ଷୁପ ଜାତୀୟ ଅଟେ । ଉଚ୍ଚତା ୧.୨ ମିଟର ଅଟେ । ତଳେ ଥିବା ପତ୍ରଗୁଡ଼ିକର ଡେମ୍ଫ ଲମ୍ବା, ଲୋମଯୁକ୍ତ ଓ ଅଣ୍ଡାକାର ଅଟେ । ଏଗୁଡ଼ିକ ୧୫-୩୦ ସେ.ମି. ଲମ୍ବ ହୁଏ । ଉପରର ପତ୍ରଗୁଡ଼ିକ ଡେମ୍ଫବିହୀନ ଓ ଉପରକୁ ଛୋଟ ଛୋଟ ଆକାରର ହୋଇଥାଏ । ଫୁଲଗୁଡ଼ିକ ଅସୀମ ସ୍ତବକରେ ଥାଏ । ଲମ୍ବ ୫-୮ ସେ.ମି. ଅଟେ-। ଏହା ଘଣ୍ଟାକାରର ଓ ପାଖୁଡ଼ାଗୁଡ଼ିକ ଲୋମଶ । ଫଳଗୁଡ଼ିକ ଗୋଲାକାର ଅଟେ ।

 

ବିସ୍ତୃତି - ଏହା ଭାରତର ନିଜସ୍ଵ ଗଛ ନୁହେଁ । ବିଦେଶରୁ ଆସିଛି । ସାଧାରଣତଃ ଉତ୍ତରାଞ୍ଚଳ ପାହାଡ଼ିଆ ସ୍ଥାନମାନଙ୍କରେ ଏହାର ଚାଷ କରାଯାଏ । କାଶ୍ମୀର, ଦାର୍ଜିଲିଂ, ନୀଳଗିରି ଆଦି ସ୍ଥାନରେ ଏହା ଚାଷ କରାଯାଏ । ଏହି ଗଛ ଆଜିକାଲି ଆମ ଦେଶରେ ଅଗଛା ଭାବେ ମଧ୍ୟ ବଢ଼ିଲାଣି ।

 

ଔଷଧଗୁଣ - ଶୁଖିଲା ପତ୍ରରୁ ଔଷଧ କରାଯାଏ । ପତ୍ର ତୋଳିବା ସଙ୍ଗେ ସଙ୍ଗେ ଶୀଘ୍ର ୬୦ ସେ.ଗ୍ରେଡ଼ି. ଉତ୍ତାପରେ ଏହାକୁ ଶୁଖାଯାଏ ।

 

ଏହାର ପ୍ରଧାନ ବ୍ୟବହାର ହୃଦ୍‌ରୋଗରେ ହୁଏ । ଏହା ପେଶୀତନ୍ତୁର ଉଦ୍ଦୀପନା ଶକ୍ତି ବଢ଼ାଏ । ତେଣୁ ଏହା ରକ୍ତସଞ୍ଚାଳନ ପ୍ରକ୍ରିୟା ବଢ଼ାଇଦିଏ । ହୃଦ୍ୟଯନ୍ତ୍ରକ୍ରିୟା ବନ୍ଦ ହେବା ସମୟରେ ଏହା ତାହାକୁ ସକ୍ରିୟ କରାଏ । ତେଣୁ ଏହା ହୃଦ୍ଵଯନ୍ତ୍ର କ୍ରିୟା ବନ୍ଦ କରାଇଦିଏ ନାହିଁ । ହୃଦ୍‌ଧମନୀକୁ ଏହା ରକ୍ତସଞ୍ଚାଳନ କରାଏ । ଏହା ଫଳରେ ହୃଦ୍‌ଯନ୍ତ୍ରର ପୁଷ୍ଟିସାଧନ ହୁଏ । ଆହୁରି ମଧ୍ୟ ରକ୍ତ ସଞ୍ଚାଳନ ବନ୍ଦ ହୋଇ ଶୋଥ ଆରମ୍ଭ ହେଲେ ତିଳପୁଷ୍ପୀର ପତ୍ର ତାହା କରାଇଦିଏ ନାହିଁ ।

 

ଏହା ବୃକ୍କ (Kidney)କୁ ରକ୍ତସଞ୍ଚାଳନ ବଢ଼ାଇଦିଏ ଓ ଭଲ ପରିସ୍ରା ହୁଏ । ତେଣୁ ବୃକ୍କକୁ ଏହା କାର୍ଯ୍ୟକ୍ଷମ କରାଏ ।

 

ତିଳପୁଷ୍ପୀର ମଲମ ପ୍ରସ୍ତୁତ କରି ଲଗାଇଲେ କଟା ଘା’ ଓ ପୋଡ଼ା ଘା’ ଭଲ ହୁଏ । ସମୟ ସମୟରେ ଏହାର କିଛି ବିଷାକ୍ତ ଗୁଣ ମଧ୍ୟ ଥାଏ । ତେଣୁ ଏହା ମୁଣ୍ଡବ୍ୟଥା ଆଦି କରାଏ । ସେଥ୍ୟପ୍ରତି ସାବଧାନ ହେବାକୁ ହେବ ।

 

ଅନ୍ୟ ଜାତି - ଡି. ଡିଜିଟାଲିସ୍ ଲାନାଟା Ehrl (Wooly Fox-glove) ବଣମାନଙ୍କରେ ହୁଏ ଓ କାଶ୍ମୀରରେ ଚାଷ କରାଯାଏ । ଏହାର ଫୁଲଗୁଡ଼ିକ ଛୋଟ ଛୋଟ, ଲୋମଶ ଓ ହଳଦିଆ ବା ବାଇଗଣି ରଙ୍ଗର ହୁଏ । ଏହା ମଧ୍ୟ ଔଷଧ୍ୟରେ ବ୍ୟବହୃତ ହୁଏ । ଏହାର ତିଳପୁଷ୍ପୀରେ ଥିବା ବିଷାକ୍ତ ଗୁଣ ନାହିଁ । ତେଣୁ ଏହାର ଆଦର ଏବେ ବଢ଼ିଛି ।

 

ବାର୍ଷିକ ପ୍ରାୟ ୩୦ କ୍ଵିଣ୍ଟାଲ୍ ତିଳପୁଷ୍ପୀ ଔଷଧ ଭାରତରେ ଆବଶ୍ୟକ ବୋଲି ଜଣାଯାଇଛି ।

 

ଅଳେଇଚ

 

ବଂଶ - Ziggiberaceae (Zingiberaceae) ଅଦାବଂଶ

ବୈଷୟିକ ନାମ – Electtaria cardamonum (L) Maton

 

ଭାରତୀୟ ନାମ –

ହିନ୍ଦୀ – ଇଲାଚି

ସଂସ୍କୃତ – ଇଲା, ଉଗ୍‌କୁଞ୍ଚିବା

ଓଡ଼ିଆ – ବଡ଼ ଅଳେଇଚ

ବଙ୍ଗଳା – ଇଲାଚି

ତେଲୁଗୁ – ଇଲାକି

 

ବର୍ଣ୍ଣନା - ଏହା ଗୋଟିଏ ବହୁବାର୍ଷିକ କ୍ଷୁପଜାତୀୟ ଗଛ । ଭୂତଳ ଧାବକକାଣ୍ଡ ଶାଖାୟିତ । କେତେକ ଶାଖା ଗଣ୍ଠିରୁ ମାଟି ଉପରକୁ ବାହାରିଥାଏ । ମାଟି ଉପରକୁ ଉଠିଥିବା କାଣ୍ଡଗୁଡ଼ିକର ଉଚ୍ଚତା ପ୍ରାୟ ୩ ମିଟର ହୁଏ । ପତ୍ରଗୁଡ଼ିକ ସରଳ ଓ ବଡ଼ ବଡ଼ । ଏଗୁଡ଼ିକର ଲମ୍ବା ୩୦-୯୦ ସେ.ମି. ହେବ । ଏହି ପତ୍ର ସରୁ ଓ ବର୍ଚ୍ଛାକାର ଅଟେ । ଏହାର ମଧ୍ୟ ଶିରାଟି ମୋଟା ଓ ସ୍ପଷ୍ଟ । ଶାଖା ଶିରା ସବୁ ଅସ୍ପଷ୍ଟ । ପତ୍ରଧାର ସରଳ । ଅଗ୍ରଭାଗ ସୂକ୍ଷ୍ମ । ପୁଷ୍ପଦଣ୍ଡ ଧାବକ କାଣ୍ଡରୁ ବାହାରି ମାଟି ଉପରେ ଥାଏ । ଫୁଲଗୁଡ଼ିକ ୪ ସେ.ମି. ଲମ୍ବ, ଧଳା କିମ୍ବା ଫିକା ସବୁଜ ରଙ୍ଗର ଅଟନ୍ତି । ପୁଷ୍ପ ସ୍ତବକଟି ୩୦-୯୦ ସେ.ମି. ଲମ୍ବ । ଫଳଟି ୧.୫ ସେ.ମି. ଲମ୍ବା । ତିନିକୋଣିଆ ଏବଂ ଏଥିରେ ବହୁତ ମଞ୍ଜି ଥାଏ । ମଞ୍ଜିଗୁଡ଼ିକ ଧୂସର କଳା ରଙ୍ଗର ଅଟନ୍ତି । ଗଛର ଆକାର ଜଳବାୟୁ ଓ ମୃତ୍ତିକା ଭେଦରେ ଛୋଟ ବା ବଡ଼ ହୁଏ । ଫଳ ଓ ମଞ୍ଜିର ଆକାର ପ୍ରାୟ ସବୁ ସ୍ଥାନରେ ଗଛର ଏକାପରି ।

 

ବିସ୍ତୃତି - ବଣୁଆଗଛ ଭାବରେ ଏହା ଦକ୍ଷିଣ ଭାରତରେ ପାହାଡ଼ିଆ ଓ ସନ୍ତସନ୍ତିଆ ଜଙ୍ଗଲମାନଙ୍କରେ ହୁଏ । ମହୀଶୂର (କର୍ଣ୍ଣାଟକ) ଓ କେରଳରେ ଏଗୁଡ଼ିକ ପ୍ରଚୁର ମିଳନ୍ତି । ଭାରତର ଅନ୍ୟ ସ୍ଥାନମାନଙ୍କରେ ମଧ୍ୟ ଏହା ଚାଷ କରାଯାଏ ।

 

ଔଷଧ ଓ ଅନ୍ୟାନ୍ୟ ଗୁଣ - ଶୁଖିଲା ଫଳରୁ ଔଷଧ ହୁଏ । ଏହା ଏକ ମସଲାଭାବେ ମଧ୍ୟ ବ୍ୟବହୃତ ହୁଏ । ଦରକାରବେଳେ ଫଳରୁ ମଞ୍ଜି କାଢ଼ି ବ୍ୟବହାର କରାଯାଏ । ମଞ୍ଜିଗୁଡ଼ିକ ସୁଗନ୍ଧିଯୁକ୍ତ । ଏହା ମୁଖବାସଭାବେ ମଧ୍ୟ ସାଧାରଣରେ ବ୍ୟବହୃତ ହୁଏ ।

 

ପେଟ ପୂରିଗଲା ଭଳିଆ ଲାଗିଲେ ଓ ତାହାଦ୍ଵାରା ଅସ୍ୱସ୍ତି ଅନୁଭବ ହେଲେ ଏହା କିଛି ପରିମାଣରେ ଚୋବାଇ ଖାଇଲେ ଅସ୍ୱସ୍ତି ଦୂର ହୁଏ । ଖାଦ୍ୟ ହଜମ ହୋଇଯାଏ । ଏହା ଝାଡ଼ା କରାଇବା ଔଷଧ ସଙ୍ଗେ ଏକ ସୁଗନ୍ଧି ପଦାର୍ଥଭାବେ ବ୍ୟବହୃତ ହୁଏ । ଲବଙ୍ଗ, ଅଳେଇଚ ଓ ଅଦାର ମିଶ୍ରଣ ଖାଇଲେ ଖାଦ୍ୟ ସହଜରେ ହଜମ ହୁଏ ।

 

ଏହା ସାଧାରଣତଃ ରୋଷେଇରେ ବ୍ୟବହୃତ ହୁଏ । ତାହାର ଏକ ସୁଗନ୍ଧି ଥ‌ିବାରୁ ଓ ହଜମିଗୁଣ ଥିବାରୁ ଏହା ରୋଷେଇ ପାଇଁ ଅତି ଆବଶ୍ୟକ । ଏହା ନାନା ମିଷ୍ଟାନ୍ନ ଓ କେକ୍ ଆଦିରେ ବ୍ୟବହୃତ ହୁଏ । ପାନୀୟକୁ ନାନା ସୁଗନ୍ଧିଯୁକ୍ତ କରିବା ପାଇଁ ଏହା ଅତି ଆବଶ୍ୟକ ।

 

ଥାଲକୁଡ଼ି ବା ମଣ୍ଡୂକପର୍ଣ୍ଣୀ

(Indian Pennywort)

 

ବଂଶ – Umbelliferae (ଧନିଆଁ ବଂଶ)

ବୈଷୟିକ ନାମ – Centella asiatica (L) Syn. Hydrocotyle asiatica L.

 

ଭାରତୀୟ ନାମ -

ହିନ୍ଦୀ – ବ୍ରାହ୍ମା, ବ୍ରହ୍ମାଯୁକୀ, ବୁଦ୍ଧବ୍ରାହ୍ମନି

ଓଡ଼ିଆ - ଥାଲକୁଡ଼ି

ବଙ୍ଗଳା - ଥାନ୍‌କୁରିଆ

ସଂସ୍କୃତ – ମଣ୍ଡୂକପର୍ଣ୍ଣୀ

ତେଲୁଗୁ – ବୋକ୍କୁଡୁ

 

ସଂସ୍କୃତ ନାମ ମଣ୍ଡୁକପର୍ଣ୍ଣୀ ପତ୍ର ଆକାରରୁ ହୋଇଅଛି ।

 

ବର୍ଣ୍ଣନା - ଗଛଟି ବହୁବାର୍ଷିକ । କାଣ୍ଡ ଦୁର୍ବଳ ଓ ଭୂଇଁ ଉପରେ ମାଡ଼େ । ସାଧାରଣତଃ ସନ୍ତସନ୍ତିଆ ଜାଗାରେ ହୁଏ । ପ୍ରତ୍ୟେକ ଗଣ୍ଠିରୁ ଚେର ବାହାରି ତାହାକୁ ମାଡ଼ିବାରେ ସାହାଯ୍ୟ କରେ-। ପତ୍ରଗୁଡ଼ିକ ଛୋଟ ଛୋଟ । ଏହା ୨-୪ ସେ.ମି. ବ୍ୟାସର ଅଟେ । ପତ୍ରଗୁଡ଼ିକ ଅନେକ ସମୟରେ ବଡ଼ ବଡ଼ ମଧ୍ୟ ହୁଏ । ଏହା ସାଧାରଣତଃ ଗୁର୍ଦା ଆକାରର ଅଟେ । ପତ୍ର ଧାର ଦନ୍ତୁରିତ । ଫୁଲଗୁଡ଼ିକ ଛୋଟ ଛୋଟ । ଈଷତ୍ ବାଇଗଣି ବା ଲାଲ ହୁଏ । ୩-୬ଟି ଫୁଲ ସ୍ତବକରେ ଥାଆନ୍ତି । ଫଳଗୁଡ଼ିକ ଛୋଟ ଛୋଟ । ଫଳ ଉପରେ ୭-୮ଟି ଗାର ଥାଏ ।

 

ବିସ୍ତୃତି - ଥାଲକୁଡ଼ି ଭାରତରେ ସର୍ବତ୍ର ସନ୍ତସନ୍ତିଆ ଜାଗାରେ ହୁଏ । ଏହା ପୋଖରୀକୂଳ, ନଦୀବନ୍ଧ ତଳେ, ଝରଣା ଓ ପାଣିଥିବା ପଡ଼ିଆମାନଙ୍କରେ ମଧ୍ୟ ହୁଏ ।

 

ଔଷଧି ଓ ଅନ୍ୟାନ୍ୟ ଗୁଣ - ଥାଲକୁଡ଼ି ରସ ଅଭ୍ୟାସ କରି ଖାଇଲେ ମସ୍ତିଷ୍କଭ୍ରମ ଦୂର ହୁଏ । ମେଧାଶକ୍ତି ଏହାଦ୍ଵାରା ବୃଦ୍ଧି ପାଏ । ସାଧାରଣତଃ ଏହାର କାଣ୍ଡ ଓ ପତ୍ରକୁ ଶୁଖାଇ ଔଷଧ କରାଯାଏ । ଚେର ଓ ଫଳ ମଧ୍ୟ ଔଷଧରେ ବ୍ୟବହୃତ ହୁଏ । ପୂରା ଗଛର ରସ ମଧ୍ୟ ଔଷଧରେ ବ୍ୟବହୃତ ହୁଏ ।

 

ପତ୍ର ଏବଂ ଗଛକୁ ପାଣିରେ ସିଝାଇ ସେହି ପାଣିକୁ କୁଷ୍ଠରୋଗୀମାନଙ୍କୁ ପିଇବାକୁ ଦେଲେ କୁଷ୍ଠରୋଗ ଭଲ ହୁଏ ।

ଏହି ଗଛରେ ‘‘ଏସିଆଟିକୋସାଇଡ୍’' ନାମକ ଉପକ୍ଷାର ଥିବାରୁ ତାହା କୁଷ୍ଠରୋଗ ଭଲ କରେ । ନାନା ପ୍ରକାର ଜନ୍ତୁମାନଙ୍କର ଚମଡ଼ା, କେଶ ଓ ନଖ ଏହା ବଢ଼ିବାରେ ସାହାଯ୍ୟ କରେ ।

 

ଯକ୍ଷ୍ମା ରୋଗରେ ମଧ୍ୟ ଏହା ବ୍ୟବହାର କରାଯାଏ । ମସ୍ତିଷ୍କ ସୁସ୍ଥ ରଖିବାରେ ଏହା ସାହାଯ୍ୟ

କରେ ।

 

ଆଣ୍ଠୁଗଣ୍ଠି ବାତ ରୋଗରେ ଥାଲକୁଡ଼ି ପାଉଡର ବା ରସକୁ ଫୁଲା ଜାଗାମାନଙ୍କରେ ମାଲିସ୍ କରିବା ସଙ୍ଗେ ସଙ୍ଗେ ଥାଲକୁଡ଼ି ରସକୁ କିଛି କିଛି ପାଣି ସହ ପ୍ରତିଦିନ ତିନିଥର ଖାଇଲେ ଏହି ରୋଗ ଭଲ ହୁଏ ।

 

କାମଳ (Jaundice)ରୋଗରେ ଏହାର ପତ୍ରର ରସକୁ କ୍ଷୀରସହ ଖାଇଲେ କାମଳ ଭଲ ହୁଏ ।

ସ୍ମୃତିଶକ୍ତି ହୀନତାରେ ଥାଲକୁଡ଼ି ଚୂର୍ଣ୍ଣ ବ୍ୟବହାର କରାଯାଏ ।

 

ଏହା ମଧ୍ୟ ଝାଡ଼ା ପରିଷ୍କାର କରାଏ ।

 

ଏହିପରି ଥାଲକୁଡ଼ିର ବହୁତ ଭଲ ଗୁଣ ଅଛି । ହରପେଶ୍‌ଟିସ୍ ମନିଆରା (Herpestis Monicra) ନାମକ ଗଛକୁ ମଧ୍ୟ ବ୍ରାହ୍ମୀ କହନ୍ତି । ଏହା ମଧ୍ୟ ସନ୍ତସନ୍ତିଆ ଜାଗାମାନଙ୍କରେ ହୁଏ । ଏହା Scrophulariaceae ବା ବେଙ୍ଗପାଟିଆ ବଂଶର ଅଟେ । ପତ୍ରଗୁଡ଼ିକ ସରୁ ସରୁ ଓ ମାଂସଳ । ଏହାର ଗୁଣ ମଧ୍ୟ ଥାଲକୁଡ଼ି ପରି ଅଟେ । ଏହା ନାନା ମସ୍ତିଷ୍କ ରୋଗରେ

ବ୍ୟବହୃତ ହୁଏ ।

 

ସେମାରାଜ

 

ବଂଶ - Compositae (ସୂର୍ଯ୍ୟମୁଖୀ ବଂଶ) (Asteraceae)

ବୈଷୟିକ ନାମ – Centratherum Anthelminticum (Wild) Kuntae.

 

ଭାରତୀୟ ନାମ –

ହିନ୍ଦୀ - ସୋମରାଜ, ସୋମରାଜି, ବନଜୀରା

ଓଡ଼ିଆ – ସୋମରାଜ

ବଙ୍ଗଳା - ସୋମରାଜ

ସଂସ୍କୃତ - ସୋମରାଜୀ

ତେଲୁଗୁ - ଆଡ଼ାଭିହି ଲାକାରା

ଉର୍ଦ୍ଦୁ - ଜଙ୍ଗଲି ଜୀରା

 

ବ୍ୟବସାୟିକ ନାମ Centratherum (ସେଣ୍ଟ୍ରାଥେରମ୍) ଓ ସୋମରାଜ ଯଥାକ୍ରମେ ବୈଷୟିକ ନାମ ଓ ସଂସ୍କୃତ ନାମରୁ ଆସିଅଛି । ଜାତି ନାମ ଆଥେଲ୍‌ମିନିଟିକମ୍ (Anthelminilicum) କୃମି ରୋଗରେ ଏହାର ବ୍ୟବହାର ପାଇଁ ଦିଆଯାଇଛି । ଏହି ଗଛର ଅନ୍ୟ ଏକ ନାମ ହେଲା Venu onia Anthelmintica Wild.1.

ଗଛର ବର୍ଣ୍ଣନା - ଗୋଟିଏ ସିଧା ଓ ଡେଙ୍ଗା କ୍ଷୁପ । ଗଛର କାଣ୍ଡ, ଶାଖା ଓ ପତ୍ର ଦେହରେ ଛୋଟ ଛୋଟ ଲୋମ ଥାଏ । ପତ୍ରଗୁଡ଼ିକ ୬-୧୦ ସେ.ମି. ଲମ୍ବ । ପତ୍ରଧାର ଦନ୍ତୁରିତ । ପତ୍ରର ଅଗ୍ର ସୂକ୍ଷ୍ମ-। ପତ୍ରମୂଳ ଗୋଜିଆ ଓ ଆକାର ଅଣ୍ଡାକାର । ସ୍ତବକ ମୁଣ୍ଡାକାର ବା ସୂର୍ଯ୍ୟମୁଖୀ ସ୍ତବକ ପରି ଅଟେ-। ସ୍ତବକଟି ୧.୫ରୁ ୨.୫ ସେ.ମି. ବ୍ୟାସ ବିଶିଷ୍ଟ । ପ୍ରତ୍ୟେକ ସ୍ତବକରେ ୩୦-୪୦ ଛୋଟ ଛୋଟ ବାଇଗଣି ରଙ୍ଗର ଫୁଲ ଥାଏ । ଫଳଗୁଡ଼ିକ ଛୋଟ ଛୋଟ ଓ ଏକବୀଜକ ଜାତୀୟ ଅଟେ । ଏଗୁଡ଼ିକ ଲମ୍ବାଳିଆ ଓ ଲୋମଶ ।

 

ବିସ୍ତୃତି - ଏହି ଗଛ ଅଗଛାଭାବେ ବଢ଼େ । ଭାରତରେ ସର୍ବତ୍ର ଏହା ଦେଖାଯାଏ । ଜନବସତି ନିକଟରେ ଥିବା ପତିତ ଜମିମାନଙ୍କରେ ଏହା ହୁଏ । କେତେକ ସ୍ଥଳରେ ୧୫୦୦ ମିଟର ଉଚ୍ଚତା ବିଶିଷ୍ଟ ସ୍ଥାନମାନଙ୍କରେ ମଧ୍ୟ ଏହା ଦେଖାଯାଏ ।

 

ଔଷଧ ଓ ଅନ୍ୟାନ୍ୟ ଗୁଣ - ଏହି ଗଛର ତଟକା ଶୁଖିଲା ମଞ୍ଜିରୁ ଔଷଧ ହୁଏ । ଗଛର ବୈଜ୍ଞାନିକ ନାମ ଏହାର ମୂଲ୍ୟବାନ ଔଷଧଗୁଣ ଯୋଗୁଁ ହୋଇଛି । ଏହି ଗଛର ମଞ୍ଜିରୁ ବାହାରୁଥିବା ଔଷଧ କୃମିନାଶକାରୀ ଅଟେ । ସାଧାରଣତଃ ଦଶିପୋକ ପେଟରେ ହେଲେ ଏହି ଗଛ ମଞ୍ଜିର ରସ ବାଟି ପରିମାଣ ଅନୁସାରେ ଖାଇଲେ ଦଶିପୋକରୁ ରକ୍ଷା ମିଳେ । ସାଧାରଣତଃ ପିଲାମାନଙ୍କର ଏହି ଦଶିପୋକ ହୋଇ ବହୁତ କଷ୍ଟ ଦିଅନ୍ତି । ତେଣୁ ଦଶିପୋକ ଦାଉରୁ ରକ୍ଷା ପାଇବାକୁ ହେଲେ ଏହି ମଞ୍ଜିର ରସ ଖାଇବାକୁ ଦିଆଯାଏ ।

 

ପୁରାକାଳରେ ଏହାକୁ ପୂତିରୋଧୀ (antiseptic) ଓ ଉତ୍ତେଜକ (stimulant) ଭାବେ ବ୍ୟବହାର କରାଯାଉଥିଲା । ନାନା ପରୀକ୍ଷାରୁ ଜଣାଗଲାଣି ଯେ, ଏହି ଗଛର ମଞ୍ଜିର ପୂତିରୋଧୀ ଓ ଉତ୍ତେଜକ ଗୁଣ ବିଶେଷ ନାହିଁ । ତେବେ ଏହାର ଦଶିପୋକ-ନାଶକ ଗୁଣପାଇଁ ଏହା ଖୁବ୍ ଉତ୍କୃଷ୍ଟ । ଡାକ୍ତରଖାନାମାନଙ୍କରେ ପରୀକ୍ଷା ଯୋଗୁଁ ଏହା ଜଣାଯାଇଛି । ତେଣୁ ଏହି ଗଛଟି ଅଗଛାଭାବେ ବଢୁଥିଲେ ମଧ୍ୟ ଆମର ଅତି ଉପକାରୀ ।

 

ଆକୋନାଇଟ୍‌

(Aconite)

 

ବଂଶ - Ronunculaceae (କଳାଜୀରା ବଂଶ)

ବୈଷୟିକ ନାମ – Aconitum Species

 

ଭାରତୀୟ ନାମ-

ହିନ୍ଦୀ - ସଫେଦ ବିଷ୍, ଅତିସ

ବଙ୍ଗଳା – ଅତିସ୍

ଓଡ଼ିଆ – ଆକୋନାଇଟ୍

 

ଏହା କାଶ୍ମୀରରେ ମିଳେ । ଏହି ପ୍ରଜାତିର ତିନୋଟି ଜାତି ଅଛି । ଯଥା :- Aconitum Chassuanthum Aconitum deinorrhizum ଏବଂ A. heterophyllum

 

ଏହି ତିନୋଟି ଗଛରୁ ଆକୋନାଇଟ୍ ମିଳେ । ବୈଜ୍ଞାନିକ ନାମ ବା ବୈଷୟିକ ନାମ “ଆକୋନାଇଟ୍’’ରୁ ଏହାର ବ୍ୟବସାୟିକ ନାମ ମଧ୍ୟ ‘‘ଆକୋନାଇଟ୍’’ ରଖାଯାଇଛି । ସ୍ନାୟୁଜନିତ ରୋଗରେ ଏହା ବ୍ୟବହୃତ ହୁଏ । ବିଷାକ୍ତ ହୋଇଥିବାରୁ ଏହା କେବଳ ଶରୀରର ବାହାରେ ବ୍ୟବହୃତ ହୁଏ ଶରୀର ଭିତରର ବ୍ୟବହାରପାଇଁ ଉପଯୁକ୍ତ ପରିମାଣରେ ଚିକିତ୍ସକଙ୍କ ପରାମର୍ଶ ଅନୁସାରେ ଦିଆଯାଏ ।

 

ବର୍ଣ୍ଣନା - ମାଟିତଳେ ଥିବା କାଣ୍ଡ ରୂପାନ୍ତରିତ ହୋଇ ଧାବକ କାଣ୍ଡରେ ପରିଣତ ହୋଇଥାଏ । ଏହା ମୂଳ ବା ଚେରପରି ଦେଖାଯାଏ । ଏହି ମାଟିତଳେ ଥ‌ିବା ଧାବକ କନ୍ଦରୁ ଔଷଧ ପ୍ରସ୍ତୁତ ହୁଏ । ମାଟିତଳେ ଥ‌ିବା କନ୍ଦରୁ ଏକପ୍ରକାର ଉପକ୍ଷାର (Alkaloid) ବାହାରେ । ଏହି ଉପକ୍ଷାର ବିଷାକ୍ତ ଓ ଆବିଷାଳୁ (Toxic) ଜାତୀୟ ଅଟେ । ନାନା ପ୍ରକାର ଔଷଧ ମାତ୍ରା ଅନୁସାରେ ଏଥୁରେ ପ୍ରସ୍ତୁତ ହୁଏ । ମାଟି ଉପରେ ଥିବା କାଣ୍ଡ ସରୁ ଓ ଏହା ସିଧା ବଢ଼େ । ଶାଖା, ପ୍ରଶାଖା ବେଶୀ ନ ଥାଏ । ପତ୍ରଗୁଡ଼ିକ ଏକାନ୍ତର ଭାବେ ସହିତ । ଏଗୁଡ଼ିକ ଅଣ୍ଡାକାର । ପତ୍ରଧାର ଦନ୍ତୁରିତ ଓ ଅଗ୍ରଭାଗ ସୂକ୍ଷ୍ମ ଅଟେ । ଫୁଲର ସ୍ତବକ ଅସୀମ (Racemose) । ଫୁଲଗୁଡ଼ିକ ନୀଳରଙ୍ଗର । ଫଳଗୁଡ଼ିକ ସ୍ଫୋଟକ ଜାତୀୟ ।

 

ବିସ୍ତୃତି - ଏହି କ୍ଷୁପଜାତୀୟ ଉଭିଦ ହିମାଳୟର ପାହାଡ଼ିଆ ଅଞ୍ଚଳରେ ଓ ହିମାଳୟର ଆଲ୍‌ପାଇନ୍ ଅଞ୍ଚଳରେ ହୁଏ । କାଶ୍ମୀରରେ ଏହା ପ୍ରଚୁର ହୁଏ ଓ ଚାରିଗୋଟି ଜାତିର ଚାଷ କରାଯାଏ । ବୈଜ୍ଞାନିକ ନାମ ‘‘ଆକୋନାଇଟ୍’’ରୁ ବ୍ୟବସାୟିକ ନାମ ଆସିଅଛି । ଏହା ମାଟିତଳେ ଥିବା କାଣ୍ଡରୁ ମିଳେ । କବିରାଜୀ, ହୋମିଓପ୍ୟାଥ୍ ଓ ଡାକ୍ତରୀ ବା ଏଲୋପ୍ୟାଥି ଔଷଧରେ ଏହାର ବହୁଳ ବ୍ୟବହାର ଅଛି । ହୋମିଓପ୍ୟାଥିରେ ତିନିଗୋଟି ବିଶିଷ୍ଟ ଔଷଧ “A”, ‘B’', ‘'C'' ରହିଅଛି । ଏଥୁରୁ ‘‘A’' ହେଲା ଏହି ଆକୋନାଇଟ୍ ।

 

ଆକୋନାଇଟମ୍ର ଚାରିଗୋଟି ଜାତି ଅଛି । - Aconitum Hcterophyllum (ଆକୋନାଇଟମ୍ ହେଟେରୋଫାଇଲମ୍) ଏହା ସାଧାରଣତଃ ଭାରତରେ ହିମାଳୟ ଅଞ୍ଚଳରେ ୨,୦୦୦—୪,୦୦୦ ମିଟର ଉଚ୍ଚରେ ମିଳେ । ଏହା କାଶ୍ମୀରରେ ଚାଷ କରାଯାଏ । ଏହାର ବିଷାକ୍ତ ଗୁଣ କମ୍ । ଏହା ସାଧାରଣ ଥଣ୍ଡାଜ୍ଵର, ଜ୍ଵର ପରର ଦୁର୍ବଳତା, ତରଳ ଝାଡ଼ା ଓ ନାଳ ଝାଡ଼ାରେ ବ୍ୟବହୃତ ହୁଏ । ନାନା ଟନିକ୍‌ରେ ମଧ୍ୟ ଏହା ବ୍ୟବହାର କରାଯାଏ । Aconitum Chasmanthum ଉପରିଲିଖିତ ହିମାଳୟ ଅଞ୍ଚଳରେ ଓ କାଶ୍ମୀରରେ ମଧ୍ୟ ମିଳେ । ଔଷଣ ଏହାର ନୂନ ।

 

Aconitum napellus (ଆକୋନାଇଟମ୍ ନାପେଲସ୍) ମଧ୍ୟ ଉପରିଲିଖିତ ଅଞ୍ଚଳରେ ଖୁବ୍ କମ୍ ମିଳେ । ଏହାର ବଦଳରେ ଅନ୍ୟ ଜାତିର ଆକୋନାଇଟ୍ ବ୍ୟବହାର କରାଯାଏ । “The British Pharmacopocia’’ରେ ଏହାର ଉଲ୍ଲେଖ ଅଛି। ଏହା ପାଶ୍ଚାତ୍ୟ ଦେଶମାନଙ୍କରେ ପ୍ରଚୁର ପରିମାଣରେ ମିଳେ । ଭାରତରେ ଖୁବ୍ କମ୍ ମିଳେ । ଏହା ବଦଳରେ ଅନ୍ୟଜାତିର ଗଛ ମଧ୍ୟ ବ୍ୟବହାର କରାଯାଏ ।

 

Aconitum Deinorrhizum ନାମକ ଏକ ଜାତି ମଧ୍ୟ ଭାରତରେ ମିଳେ ।

 

ଏସବୁ ବ୍ୟତୀତ ଅନ୍ୟ ଜାତିର ମଧ୍ୟ ଆକୋନାଇଟ୍ ଭାରତରେ ମିଳେ ।

 

ଔଷଧଗୁଣ - ଆକୋନାଇଟ୍‌ରୁ ବାହାରୁଥିବା ଉପକ୍ଷାରରେ ବିଷାକ୍ତ ଗୁଣ ଅଛି । ତେଣୁ ଏହାକୁ ଡାକ୍ତର ବା କବିରାଜଙ୍କ ପରାମର୍ଶ ଅନୁସାରେ ବ୍ୟବହାର କରିବା ଉଚିତ । କେତେକ ସ୍ନାୟବିକ ରୋଗରେ ଏହା ବ୍ୟବହାର କରାଯାଏ । ଏହା କରିବା । ତେଣୁ ନାନାପ୍ରକାର ଝାଡ଼ାରୋଗରେ ଏହା ବ୍ୟବହୃତ ହୁଏ । ବିଶେଷତଃ ତରଳ ଝାଡ଼ା, ଡିସପେପ୍‍ସିଆ ଆଦି ରୋଗରେ ଏହା ବ୍ୟବହାର କରାଯାଏ । କଫରୋଗରେ ମଧ୍ୟ ଏହା ବ୍ୟବହୃତ ହୋଇଥାଏ । ବାତରୋଗରେ ମଧ୍ୟ ଏହି ଆକୋନାଇଟ୍‌ ଦିଆଯାଏ । ସ୍ନାୟବିକ ଦୁର୍ବଳତା ଓ ମାନସିକ ବିକାରରେ ଏହାର ବ୍ୟବହାର ଅଛି । ଅତ୍ୟଧିକ ଭୟପାଇଁ ମଧ୍ୟ ଏହା ଦିଆଯାଏ । ସ୍ନାୟବିକ ଦୁର୍ବଳତାରୁ ଅଧିକାଂଶ ସମୟରେ ମନରେ ଭୟ ଜାତ ହୋଇଥାଏ । ଆକୋନାଇଟ୍‌ର ପରିମାଣ ଖାଇବା ଔଷଧରେ ଖୁବ୍ କମ୍ ପରିମାଣରେ ଦିଆଯାଏ । ଏହା ଗୋଟିଏ ଅତି ଉପକାରୀ ଔଷଧୀୟ କ୍ଷୁପ ଅଟେ ।

 

ପୋଦିନା

(Mentha Species)

 

ବଂଶ - (ତୁଳସୀ ବଂଶ)

ବୈଷୟିକ ନାମ –Mentha Species

 

ଭାରତୀୟ ନାମ-

ହିନ୍ଦୀ – ପୋଦିନା

ଓଡ଼ିଆ – ପୋଦିନା

ବଙ୍ଗଳା – ପୁଦିନ

ସଂସ୍କୃତ – ପୁଦିନ୍

 

ପ୍ରାୟ ସବୁ ଭାରତୀୟ ଭାଷାରେ ଏହାର ନାମ ପୁଦିନରୁ ଆସିଅଛି । ମେନ୍ଥା (Mentha) ପ୍ରଜାତିର ବହୁ ଜାତି ଅଛି ।

 

ଏହା ଗୋଟିଏ ଅତି ଉପକାରୀ କ୍ଷୁପ । ପୋଦିନାଗଛ ସୁଗନ୍ଧିଯୁକ୍ତ ବା ଆରୋମାଟିକ୍ । କେତେକ ଜାତି ଜଙ୍ଗଲିଆଭାବେ ବଢ଼େ ଓ ଆଉ କେତେକ ଚାଷ କରାଯାଏ । ସବୁ ଜାତିଗୁଡ଼ିକ ‘‘ପୋଦିନା’’ ଭାବେ ନାମକରଣ କରାଯାଏ । ପିପରମେଣ୍ଟ ଗଛ ମଧ୍ୟ ଏକଜାତିର

ପୋଦିନା ଅଟେ ।

 

ଗଛର ବର୍ଣ୍ଣନା - ଏହା ଏକ ଧାବକ କାଣ୍ଡ ଜାତୀୟ ଦୁର୍ବଳ ଗଛ ! ଭୂଇଁ ଉପରେ ମାଡ଼ିଥାଏ । ବାଲିଆ ଓ ସନ୍ତସନ୍ତିଆ ସ୍ଥାନରେ ଭଲ ବଢ଼େ । କାଣ୍ଡ ଶାଖାୟିତ ଭୂଇଁ ଉପରେ ଥିବା କାଣ୍ଡ ପ୍ରାୟ ୬୦ ସେ.ମି. ଉଚ୍ଚା ହୁଏ । ପତ୍ରଗୁଡ଼ିକ ଗାଢ଼ ସବୁଜ ରଙ୍ଗର ଅଟନ୍ତି । ପତ୍ର ପ୍ରାୟ ପାଞ୍ଚ ସେ.ମି. ଲମ୍ବ ହୁଏ । ପତ୍ରର ଫଳକ ଗୋଲାକାର ଅଟେ । ପତ୍ରର ଡେମ୍ଫ ପ୍ରାୟ ନ ଥାଏ । ପ୍ରତି ଗଣ୍ଠିରେ ଦୁଇଟି ଲେଖାଏଁ ବିପରୀତମୁଖୀ ପତ୍ର ଥାଏ । ଉପପତ୍ର ନାହିଁ । ପତ୍ର ଉପରେ ଅନେକ ସମୟରେ ଛୋଟ ଛୋଟ ଲୋମ ଥାଏ । ପତ୍ରଧାର ଦନ୍ତୁରିତ । ଅଗ୍ରଭାଗ ସ୍ଥୂଳ ଅଟେ । ଫୁଲ ଅତି ଛୋଟ ଛୋଟ । ସାମାନ୍ୟ ଲାଲ ରଙ୍ଗର ଅଟେ । ପତ୍ର ଅକ୍ଷରେ ଫୁଲଗୁଡ଼ିକ ମେଞ୍ଚା ମେଞ୍ଚା ହୋଇ ଥାଆନ୍ତି ।

 

କେତେକ ଜାତି - ସାଧାରଣ ପୋଦିନାର ବୈଷୟିକ ନାମ ହେଲା Mentha Arvenensis L. ଇଂରାଜୀରେ ଏହାକୁ Field Mint କହନ୍ତି । ଭାରତୀୟ ନାମ ପୋଦିନା ।

 

ଏହା ସାଧାରଣତଃ ଭାରତରେ ସର୍ବତ୍ର ହୁଏ ଏବଂ କାଶ୍ମୀର ଉପତ୍ୟକାରେ ପ୍ରାୟ ୧,୫୦୦ରୁ ୩,୦୦୦ ମିଟର ଉଚ୍ଚରେ ମଧ୍ୟ ହୁଏ । ଏହା ଚାଷ କରାଯାଏ । ଅନେକେ ବାଡ଼ିରେ ଏହାକୁ ଲଗାଇଥାଆନ୍ତି ।

 

ଏହା ହଜମକାରକ ଓ ଏହାକୁ ବାଟି ଆଣ୍ଠୁଗଣ୍ଠି ବାତରେ ମଧ୍ୟ ଲଗାଯାଏ ।

 

ଜାପାନରେ ମିଳୁଥିବା ଏକଜାତିର ଗଛ ଏବେ କାଶ୍ମୀରରେ ଚାଷ କରାଗଲାଣି । ଏହା M.arvens ଜାତିର ଏକ ଉପଜାତି ଅଟେ । ଏହି ଉପଜାତିର ନାମ M.Arvensis L. Subspecies Haplocalyx Briq. Var. Piperascens Holunes ଅଟେ । ଏଥିରୁ ଜାପାନିଜ୍ ମିଣ୍ଟ୍ ଅଏଲ୍ ବା ଜାପାନିଜ୍ ପିପରମିଣ୍ଟ ଅଏଲ୍ ମିଳେ । ଏହା ପ୍ରକୃତ ପିପରମିଣ୍ଟ୍‌ ତେଲ ସ୍ଥାନରେ ବ୍ୟବହୃତ ହୁଏ ।

 

Mentha longifolia (L.) Huds, (Syn. M. Sylvestris L) ଏହା ଆଉ ଏକ ଜାତିର ଅଟେ । ଇଂରାଜୀରେ ଏହାକୁ Horse Mint ଓ ହିନ୍ଦୀରେ ଜଙ୍ଗଲୀ ପୋଦିନା କହନ୍ତି । ଏହା ସାଧାରଣ ପୋଦିନାଠାରୁ ବଡ଼ କ୍ଷୁପ । କାଶ୍ମୀର, ପଞ୍ଜାବର ଉତ୍ତରାଞ୍ଚଳ ଓ ଉତ୍ତର ପ୍ରଦେଶରେ ଏହା ହୁଏ ।

 

ଏହି ଗଛ ମଧ୍ୟ ଔଷଧଭାବେ ବ୍ୟବହୃତ ହୁଏ ଏହା ପ୍ରତିରୋଧୀ (Antiseptic), ଉତ୍ତେଜକ ଏବଂ ହଜମୀ ଓ ନାନା ଜ୍ଵରରେ ମଧ୍ୟ ବ୍ୟବହୃତ ହୁଏ । ଏହା ଏବେ ଚାଷ କରାଗଲାଣି ।

 

ପିପରମିଣ୍ଟ୍ - ଏହା ଏହି ମେନ୍ଥାର ଏକ ଅତି ଉପକାରୀ ଜାତି । ଏହାକୁ Mentha Piperita L.. କୁହାଯାଏ । ଇଂରାଜୀରେ ଏହାକୁ ପିପରମିଣ୍ଟ୍ କହନ୍ତି । ଏହାକୁ ଆମେ ସମସ୍ତେ ଜାଣିଛୁ । ପଞ୍ଜାବୀ ଭାଷାରେ ବିଲାତି ପୋଦିନା କହନ୍ତି । ଏହା ଭାରତର ବିଭିନ୍ନ ସ୍ଥାନରେ ଯଥା :- କାଶ୍ମୀର, ଉତ୍ତର ପ୍ରଦେଶ, ମହୀଶୂର ଓ ମାନ୍ଦ୍ରାଜରେ ଚାଷ କରାଯାଉଛି ।

 

ଔଷଧଗୁଣ - ଶୁଖିଲା ପତ୍ର ଓ ପୁଷ୍ପ ସ୍ତବକର ଅଗ୍ରଭାଗରୁ ପିପରମିଣ୍ଟ ମିଳେ । ଏହା ବାନ୍ତିରୋଗ, ତରଳଝାଡ଼ା ଓ ନସିଆ ରୋଗରେ ବ୍ୟବହୃତ ହୁଏ । ପତ୍ରକୁ ଦଳି ମୁଣ୍ଡବ୍ୟଥା ଓ ଅନ୍ୟ ବ୍ୟଥାରେ ଦେଳେ ତାହା ଭଲ ହୁଏ । ଏହା ମଧ୍ୟ ପେଟ ଗୋଳମାଳ, ମୁଣ୍ଡବ୍ୟଥା, ଆଣ୍ଠୁଗଣ୍ଠି ବାତ ଓ ଅନ୍ୟ ସବୁ ବ୍ୟଥା, କଫରୋଗ, ନିଃଶ୍ଵାସ କଷ୍ଟ ଓ ପାଟି ଧୋଇବାପାଇଁ ବ୍ୟବହାର କରାଯାଏ । ଏହି ତେଲଟି ଅତ୍ୟନ୍ତ ପ୍ରତିରୋଧୀ ।

 

ପିପରମିଣ୍ଟ୍‌ ତେଲରୁ ‘‘ମେନ୍ଥଲ’’ ବାହାର କରାଯାଏ । ଏହି ମେହଲ ନାନାପ୍ରକାର ଔଷଧ୍ୟରେ ବ୍ୟବହୃତ ହୁଏ ।

 

ପ୍ରତିବର୍ଷ ପ୍ରାୟ କୋଡ଼ିଏ କୋଟି ଟଙ୍କାର ‘ମେନ୍ଥଲ’ ବିଦେଶରୁ ଆମଦାନୀ ହୁଏ । ଏହି ଉପକାରୀ ଗଛଟିର ବହୁଳ ଭାବରେ ଚାଷ ଆବଶ୍ୟକ ।

 

କର୍ପୂର

(Comphor)

 

ବଂଶ –

ବୈଷୟିକ ନାମ –

 

ଭାରତୀୟ ନାମ –

ଓଡ଼ିଆ – କର୍ପୂର

ହିନ୍ଦୀ – ବୁବାଇ ତୁଳସୀ

ବଙ୍ଗଳା – କର୍ପୂର ତୁଳସୀ

ସଂସ୍କୃତ – କର୍ପୁର

ଇଂରାଜୀ – କାମ୍‌ଫର୍‌ ବାସିଲ୍ ( camphor basil)

 

ଏହା ପୂର୍ବ ଆଫ୍ରିକା ଅଞ୍ଚଳରେ ହୁଏ । ଏହାର ରସରୁ କର୍ପୂର ପ୍ରସ୍ତୁତ ହୁଏ । ଆଜିକାଲି ଏହା ଭାରତର ବିଭିନ୍ନ ସ୍ଥାନରେ ଚାଷ କରାଯାଉଛି । କାଶ୍ମୀର, ଉତ୍ତର ପ୍ରଦେଶ, ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ମହୀଶୂର, ମାନ୍ଦ୍ରାଜ, କେରଳ ଆଦିରେ ଏହା ଆଜିକାଲି ଚାଷ କରାଯାଉଛି । ପ୍ରାୟ ଏକହଜାର ମିଟର ଉଚ୍ଚ ସ୍ଥାନରେ ଏହା ଚାଷ କରାଯାଏ । ଉତ୍ତର ପ୍ରଦେଶର ତରାଇ ଅଞ୍ଚଳରେ ଏହା ଚାଷ କରିବାପାଇଁ ଉପଯୁକ୍ତ ।

 

ବର୍ଣ୍ଣନା - ଏହା କ୍ଷୁପ ଜାତୀୟ ଉଦ୍ଭିଦ । ପତ୍ରଗୁଡ଼ିକ ତୁଳସୀପତ୍ର ପରି । ସୁବାସ ଅଛି । ପତ୍ର, କାଣ୍ଡ, ଚେର, ଫୁଲ ଆଦିକୁ ମକଚିଲେ କର୍ପୂର ବାସନା ହୁଏ ।

 

ଔଷଧିଗୁଣ - କର୍ପୂରର ନାନା ବ୍ୟବହାର ଅଛି । ନାନା ଔଷଧରେ ଏହା ମଧ୍ୟ ବ୍ୟବହୃତ ହୁଏ । ପେଶୀ ମକଚିଗଲେ, ବିନ୍ଧାଛିଟିକା ହେଉଥିଲେ, ମୁଣ୍ଡବିନ୍ଧା ହେଲେ ଏହା ଲଗାଇଲେ ଭଲ ହୁଏ ।

 

Cinnamomum camphor ନାମକ ଆଉ ଏକ ଗଛରୁ ମଧ୍ୟ କର୍ପୂର ମିଳେ । ଏହି ଗଛଟିକୁ କର୍ପୂର ଗଛ କହନ୍ତି । ଏହା ଗୁଳ୍ମ ଜାତୀୟ ମଧ୍ୟମ ଆକାରର ଗଛ । ଏହା ଭାରତର ବିଭିନ୍ନ ସ୍ଥାନରେ ଚାଷ କରାଯାଏ । ତେଜପତ୍ର, ଡାଲଚିନି ଆଦି ଗଛ ଏହି ବଂଶର ଅଟନ୍ତି । ଏହାକୁ Lauraceae ବଂଶ ବୋଲି କହନ୍ତି । ଏହା ନୀଳଗିରି ପାହାଡ଼ ଅଞ୍ଚଳରେ ହୁଏ । କେତେକ ଉଦ୍ଭିଦ ଉଦ୍ୟାନରେ ମଧ୍ୟ ଏହା ଭଲ ବଢ଼େ । ତେଣୁ ସମତଳ ସ୍ଥାନରେ ଏହା ଚାଷ କରାଯାଏ ।

 

କର୍ପୂର ଆଣ୍ଠୁଗଣ୍ଠି ବାତରେ ମଧ୍ୟ ବ୍ୟବହାର କରାଯାଏ । ଗଣ୍ଠି ଫୁଲା ଓ ନାନାଭାବେ ମକଚିଯାଇଥବା ସ୍ଥାନରେ କର୍ପୂର ବ୍ୟବହାର କରାଯାଏ । କେତେକ ପ୍ରକାର ଝାଡ଼ା ରୋଗରେ ମଧ୍ୟ ଏହା ଦିଆଯାଏ ।

 

ବର୍ଷକୁ ପ୍ରାୟ ୪୦୦,୦୦୦ କ୍ୱିଣ୍ଟାଲ୍‍ କର୍ପୂର ଆମର ଆବଶ୍ୟକ ହୁଏ । କେତେକ ଆମେ ଚାଷକରି ପାଉ ଓ ଆଉ କେତେକ ଆମଦାନୀ କରୁ ।

 

ଡାଲଚିନି

(Cinnamon)

 

ବଂଶ – Lauraceae (ତେଜପତ୍ର ବଂଶ)

ବୈଷୟିକ ନାମ – Cinnamomum Zeylanicum Blune

 

ଭାରତୀୟ ନାମ –

ହିନ୍ଦୀ – ଡାଲଚିନି

ଓଡ଼ିଆ – ଡାଲଚିନି

ବଙ୍ଗଳା – ଡାଲଚିନି

ସଂସ୍କୃତ – ଦାରୁଶୀଳା

ତେଲୁଗୁ – କାମ୍ନାଲଭଙ୍ଗପଟ୍ଟି

 

ଏହାର ବୈଜ୍ଞାନିକ ଜାତି ନାମ ଜେଲାନିକମ୍ ଶ୍ରୀଲଙ୍କାରୁ ଆସିଛି । ଶ୍ରୀଲଙ୍କାରେ ଏହା ମନକୁ ଜଙ୍ଗଲରେ ପ୍ରାକୃତିକ ଅବସ୍ଥାରେ ବଢ଼େ ।

 

ବର୍ଣ୍ଣନା - ଏହା ଏକ ଚିରହରିତ୍ ପତ୍ରବିଶିଷ୍ଟ ଗଛ । ବର୍ଷସାରା ଗଛରେ ସବୁଜ ପତ୍ର ଥାଏ । ଏହି ଗଛ ବହୁବାର୍ଷିକ । ତେଜପତ୍ର ଗଛପରି ଦେଖିବାକୁ ଅଟେ । ଗଛର ଉଚ୍ଚତା ୬-୮ ମିଟର ଅଟେ । ପତ୍ରଗୁଡ଼ିକ ଅଣ୍ଡାକାର ଓ ମୋଟା । ଅଗ୍ରଭାଗ ସୃଷ୍ଟି ଓ ପତ୍ରଧାର ସରଳ । ଶିରାବିନ୍ୟାସ ବହୁଶିରାଳ ଜାଲ ଜାତୀୟ ଅଟେ । ପତ୍ରର ଉପରିଭାଗ ଉତ୍କଳ ସବୁଜ ଓ ତଳଭାଗ ହାଲୁକା ସବୁଜ ଅଟେ । ପତ୍ରରେ ୩-୫ ମୋଟା ଶିରା ଥାଏ । ପତ୍ର ମୂଳରୁ ଅଗ୍ରଭାଗ ପାଖ ପର୍ଯ୍ୟନ୍ତ ଏହି ପ୍ରଧାନ ଶିରାଗୁଡ଼ିକ ରହିଥାଏ । ପତ୍ର ଆକାରରେ ମୋଟ ଉପରେ ତେଜପତ୍ରପରି ଅଟେ । ପୁଷ୍ପ ସ୍ତବକ ଅସୀମ । ପେନ୍ଥା ପେନ୍ଥା ହୋଇ ଛୋଟ ଛୋଟ ଫୁଲମାନ ରହିଥାଆନ୍ତି । ଫୁଲ ପେନ୍ଥାରେ ଲୋମ ଥାଏ । ଫଳ ଲମ୍ବାଳିଆ ବା ଅଣ୍ଡାକାର ଅଟେ । ୧.୫-୨ ସେ.ମି. ପର୍ଯ୍ୟନ୍ତ ଲମ୍ବ ହୁଏ । ଗାଢ଼ ବାଇଗଣି ରଙ୍ଗର ଫଳ ହୁଏ । ପ୍ରତ୍ୟେକ ଫଳରେ ଗୋଟିଏ ଲେଖାଏଁ ମଞ୍ଜି ଥାଏ ।

 

ବିସ୍ତୃତି - ଏହି ଗଛ ବେଶୀ ପରିମାଣରେ ଦକ୍ଷିଣ ଭାରତରେ ଦେଖାଯାଏ । ୨୦୦-୧,୫୦୦ ମିଟର ଉଚ୍ଚତାରେ ଏହା ଭଲ ବଢ଼େ । ଭାରତର କେତେକ ସ୍ଥାନରେ ଏହା ଚାଷ କରାଯାଏ । କେତେକ ଉଦ୍ଭିଦବିଜ୍ଞାନ ଉଦ୍ୟାନରେ ମଧ୍ୟ ଏହା ଦେଖାଯାଏ ।

 

ଔଷଧି ଓ ଅନ୍ୟାନ୍ୟ ଗୁଣ - ଡାଳ କାଟି ଖଣ୍ଡ ଖଣ୍ଡ କରାଯାଏ । ଉପର ବକଳ ଛଡ଼ାଇଦେଲେ ଭିତର ବକଳ ବାହାରେ । ଏହି ଭିତର ବକଳରୁ ସିନ୍ନାମୋନ (Cinnamon) ମିଳେ । ଏହା ତରଳ ଝାଡ଼ା, ନସିଆ ଓ ବାନ୍ତି ଆଦି ରୋଗରେ ବ୍ୟବହୃତ ହୁଏ । ସାଧାରଣତଃ ଏହା ଏକ ମସଲା ଭାବରେ ବ୍ୟବହୃତ ହୁଏ । ଏକ ସୁବାସ ଦ୍ରବ୍ୟରୂପେ ମଧ୍ୟ ଏହା ବ୍ୟବହାର କରାଯାଏ-। ପାକସ୍ଥଳୀର କେତେକ ରୋଗ ଏହା ଉପଶମ କରେ । କେତେକ ଜୀବାଣୁ ଓ କବକ ମଧ୍ୟ ଏହା ଦୂରକରେ ।

 

ଅନ୍ୟ ବ୍ୟବହାର - ଏହାର ପତ୍ରରୁ ମିଳୁଥିବା ତୈଳ ଏକ ସୁଗନ୍ଧି ଦ୍ରବ୍ୟରୂପେ ବ୍ୟବହାର କରାଯାଏ-। ମିଠା ପଦାର୍ଥ ଓ ସାବୁନ୍ ଇତ୍ୟାଦିରେ ଦେଲେ ସେ ସବୁ ଜିନିଷ ବହୁଦିନ ରହେ । କେତେକ ସ୍ଥଳରେ ଏହି ଡାଲଚିନି ତେଲ ଆଣ୍ଠୁଗଣ୍ଠି ବାତରେ ବ୍ୟବହାର କରାଯାଏ । ଭାରତରେ ଡାଲଚିନି ବକଳ ବର୍ଷକୁ ପ୍ରାୟ ୪୦,୦୦୦ କ୍ୱିଣ୍ଟାଲ୍ ବ୍ୟବହୃତ ହୁଏ ।

 

ଡାଲଚିନି ଚାଷ ଦକ୍ଷିଣ ଭାରତ, ବଙ୍ଗଳା, ଆସାମ ଓ ଆଣ୍ଡାମାନ ଦ୍ୱୀପପୁଞ୍ଜରେ ଚାଷ କରାଯାଏ । ଏହି ଅଞ୍ଚଳର ଜଳବାୟୁ ଡାଲଚିନି ଚାଷପାଇଁ ଅନୁକୂଳ ।

 

ଅନ୍ୟ ଜାତି - Cinnamomum Camphora sieb ଗଛରୁ କର୍ପୂର ବାହାର କରାଯାଏ । କର୍ପୂର ମଧ୍ୟ ତୁଳସୀ ଜାତୀୟ ଗଛ “Camphor Basil’ ରୁ ବାହାରେ ବୋଲି ଅନ୍ୟ ସ୍ଥାନରେ ଲେଖାଯାଇଛି । ଏହି Cinnamomum camphor ନୀଳଗିରି ପାହାଡ଼ିଆ ଅଞ୍ଚଳରେ ଚାଷ କରାଯାଏ । ଏହାର କାଠ ଓ ପତ୍ରରୁ ପରିସ୍ରବଣ (Distillation) ପ୍ରକ୍ରିୟାରେ କର୍ପୂର ବାହାର କରାଯାଏ । କର୍ପୂରର ବ୍ୟବହାର କଥା ମଧ୍ୟ ଅନ୍ୟ ସ୍ଥାନରେ ବର୍ଣ୍ଣନା କରାଯାଇଛି । ପ୍ରାୟ ୫,୦୦୦ କ୍ୱିଣ୍ଟାଲ୍ କର୍ପୂର ଭାରତକୁ ପ୍ରତିବର୍ଷ ଆମଦାନୀ ହୁଏ ।

 

Cinnamomum Tamala Nees & Eberm ଗଛ ସହିତ ପ୍ରାୟ ସମସ୍ତେ ପରିଚିତ । ଏହାକୁ ଓଡ଼ିଆରେ ତେଜପତ୍ର, ହିନ୍ଦୀରେ ତେଜପାତା, ବଙ୍ଗଳାରେ ତେଜପାତା, ସଂସ୍କୃତରେ ତମାଲପତ୍ର, ତେଲୁଗୁରେ ତଲିସ୍ ପତ୍ରୀରି ଓ ଇଂରାଜୀରେ Indian Cassia ବୋଲି କହନ୍ତି । ଏହି ଗଛ ଅନେକ ବାଡ଼ିବଗିଚାରେ ଓ ଉଭିଦବିଜ୍ଞାନ ଉଦ୍ୟାନମାନଙ୍କରେ ଥାଏ । ଏହା ମଧ୍ୟ ଚାଷ କରାଯାଏ । ହିମାଳୟର ପାଦଦେଶରେ, ବଙ୍ଗଳା ଓ ଆସାମରେ ଏହା ସାଧାରଣତଃ ଚାଷ କରାଯାଏ ।

 

ବ୍ୟବହାର - ଏହାର ପତ୍ର ମସଲାଭାବେ ବ୍ୟବହୃତ ହୁଏ । ଏହାର ଏକ ସୁଗନ୍ଧି ଅଛି । ଏହା ହଜମକାରକ ଏବଂ ପେଟମରା ଓ ତରଳ ଝାଡ଼ାରେ ସୁଫଳ ଦିଏ ।

 

ଦାରୁ ହରିଦ୍ରା

(Indian Berberry)

 

ବଂଶ – Berberidaceae

ବୈଷୟିକ ନାମ – Beberis aristata DC

 

ଭାରତୀୟ ନାମ –

ଓଡ଼ିଆ – ଦାରୁ ହରିଦ୍ରା

ହିନ୍ଦୀ – ଦାରୁ ହଲ୍‌ଦି, ରାସାଉତ୍, କିଲ୍‌ମୋରା

ବଙ୍ଗଳା - ଦାରୁ ହଲ୍‌ଦି

ସଂସ୍କୃତ - ଦାରୁ ହରିଦ୍ରା

ଇଂରାଜୀ – Berberis

 

ଗଛର ବର୍ଣ୍ଣନା - ଏକ ବଡ଼ କଣ୍ଟାଳିଆ ବୁଦା ଗଛ । କାଠ ହଳଦିଆ ରଙ୍ଗର । ଶାଖାଗୁଡ଼ିକ ଧଳା ବା ଫିକା ଧୂସର ରଙ୍ଗର ଅଟନ୍ତି । ପତ୍ରଗୁଡ଼ିକ କଣ୍ଟା କକ୍ଷରେ ଶାଖାୟିତ ଡାଳରେ ରହିଥାଆନ୍ତି । କଣ୍ଟାଗୁଡ଼ିକ ସରଳ । ପତ୍ରଗୁଡ଼ିକ ସହଜରେ ଭାଙ୍ଗିଯାଏ । ପତ୍ରଧାର ଦନ୍ତୁରିତ । ଅଗ୍ରଭାଗ ସୂକ୍ଷ୍ମ । ଜାଲକ ଶିରା ବିନ୍ୟାସ ଅଟେ । ଫୁଲଗୁଡ଼ିକ ହଳଦିଆ । ଛୋଟ ଛୋଟ ଶାଖାରେ ଏହା ରୂପାନ୍ତରିତ ପତ୍ରକକ୍ଷରେ ଥାଏ । ପତ୍ରଗୁଡ଼ିକ ସାଧାରଣତଃ କଣ୍ଟାରେ ରୂପାନ୍ତରିତ ହୋଇଥାଏ । ଫଳଗୁଡ଼ିକ ଅଣ୍ଡାକାର, ନୀଳ-ବାଇଗଣି ରଙ୍ଗର ଅଟନ୍ତି । ଅଳ୍ପ ମଞ୍ଜି ଥାଏ ।

 

ବିସ୍ତୃତି - ଏହା ଉଚ୍ଚା ସ୍ଥାନମାନଙ୍କରେ ପାହାଡ଼ରେ ହୁଏ । ସାଧାରଣତଃ ଏହା ୨,୦୦୦ - ୩,୦୦୦ ମିଟର ଉଚ୍ଚାରେ ହିମାଳୟ ଅଞ୍ଚଳରେ ହୁଏ ଏହା ମଧ୍ୟ ଭାରତର ମଧ୍ୟଭାଗରେ ନୀଳଗିରି ପାହାଡ଼ରେ ହୁଏ ।

 

ଔଷଧ ଓ ଅନ୍ୟାନ୍ୟ ଗୁଣ - ଏଥିରୁ ବରବେରିସ୍ ନାମକ ଔଷଧ ମିଳେ । ଶୁଖିଲା ଚେରରୁ ଔଷଧ ମିଳେ । ଅନ୍ୟ ଦୁଇଜାତିର ଗଛରୁ ମଧ୍ୟ ଔଷଧ ହୁଏ । ସେଗୁଡ଼ିକ ହେଲା, Berberis_asiatice Roxb ଓ Berberis Lycium Royle.

 

ଶୁଖିଲା ଚେରରୁ ବରବେରିନ୍‌ ନାମକ ଏକ ଉପକ୍ଷାର ମିଳେ । ଏହା ଔଷଧରେ ବ୍ୟବହୃତ ହୁଏ । ଚେରର ବକଳା, ଚେର ଏବଂ କାଣ୍ଡର ତଳ ଅଂଶ ପାଣିରେ ସିଝାଯାଏ । ଜଳତକ ବାଷ୍ପୀଭବନ ହୋଇ ଶୁଖିଗଲା ପରେ ଏହାକୁ ଛାଣି ପୁଣି ଗରମ କଲେ ଏକ ଘନୀକୃତ ପଦାର୍ଥ ବାହାରେ । ଏହାକୁ ରସଉଡ୍ ବା ରସ କହନ୍ତି । ଏହି ଘନୀକୃତ ରସଉତ୍ ଜଳରେ କିଞ୍ଚିତଭାବେ ମିଶେ ବା ଦ୍ରବୀଭୂତ ହୁଏ ।

 

ବ୍ୟବହାର - ଏହି ପଦାର୍ଥ ବା ରସଉତ୍ ଲହୁଣୀ ଓ ଫିଟିକିରି ବା ଅଫିମ ଓ ଲେମ୍ବୁରସ ସହିତ ମିଶାଇ ନାନା ପ୍ରକାର ଆଖିରୋଗରେ ବ୍ୟବହାର କରାଯାଏ । ଏହି ରସର ମିଶ୍ରଣ ଆଖିର ବାହାରେ ଦିଆଯାଏ, ଆଖି ଭିତରେ ନୁହେଁ । ନାନାପ୍ରକାର ଘା’ ଏହା ମଧ୍ୟ ଭଲ କରେ । ଘା’ରେ ସିଧାସଳଖ ନ ଦେଇ ଘା’ପାଖରେ ଇଞ୍ଜେକ୍ସନ୍ ସାହାଯ୍ୟରେ ଏହା ଦିଆଯାଏ । ରସଉତ୍କୁ ସାଧାରଣ ଜ୍ଵର ରୋଗରେ ବ୍ୟବହାର କରାଯାଏ । ଏହା ମଧ୍ୟ ଏକ ଟନିକ୍ ଭାବରେ ବ୍ୟବହାର କରାଯାଏ ଓ ଝାଡ଼ା ପରିଷ୍କାର ପାଇଁ ମଧ୍ୟ ବ୍ୟବହୃତ ହୁଏ । ପେଟ ଗୋଳମାଳରେ ମଧ୍ୟ ଏହା ବ୍ୟବହୃତ ହୁଏ । କଲେରା ଓ ତରଳ ଝାଡ଼ାରେ ମଧ୍ୟ ଏହାର ବ୍ୟବହାର କରାଯାଏ ।

 

ମ୍ୟାଲେରିଆ ଜ୍ଵରର ଚିକିତ୍ସାରେ ମଧ୍ୟ ଏହା ସୁଫଳ ଦିଏ ବୋଲି ଜଣାଯାଇଛି ।

 

ଏହି ଔଷଧର ହୃଦ୍‌ଯନ୍ତ୍ର ଉପରେ ଖରାପ ପ୍ରଭାବ ଅଛି । ଶ୍ଵାସକ୍ରିୟାରେ ମଧ୍ୟ ଏହାର ଖରାପ ପ୍ରଭାବ ଅଛି ବୋଲି କେତେକ ପରୀକ୍ଷାରୁ ଜଣାଯାଇଛି । ତେଣୁ ଡାକ୍ତର ବା କବିରାଜଙ୍କ ପରାମର୍ଶ ନେଇ ଏହି ଔଷଧ ବ୍ୟବହାର କରିବା ଉଚିତ । ଅନେକେ ଏହାକୁ ଯକ୍ଷ୍ମା ରୋଗରେ ମଧ୍ୟ ବ୍ୟବହାର କରିବାକୁ ପରାମର୍ଶ ଦିଅନ୍ତି ।

 

ଅନ୍ୟ ବ୍ୟବହାର - ଆଉ ଏକ ଜାତି ଯଥା :- Berberis aristaରୁ ଏକ ହଳଦିଆ ରଙ୍ଗ ବାହାରେ । ଏହି ରଙ୍ଗ ଚମଡ଼ା ରଙ୍ଗାଇବାପାଇଁ ବ୍ୟବହୃତ ହୁଏ ।

 

ଇପିକାକ୍

(Ipeacac)

 

ବଂଶ - Rubiaceae (କଦମ୍ବ ବଂଶ)

ବୈଷୟିକ ନାମ – Cephealis Ipecacuanha (Brot.) A.Rich

 

ଭାରତୀୟ ନାମ –

ହିନ୍ଦୀ – ଇପିକାକ୍

 

ଏହା ବ୍ରାଜିଲ୍‌ରୁ ଆସିଅଛି । ଔଷଣ ଥିବାରୁ ଏବେ ଭାରତରେ କେତେକ ସ୍ଥାନରେ ଚାଷ କରାଯାଉଛି । ସାଧାରଣତଃ ଏହା ଆମ ଦେଶରେ ଆସାମ, ବଙ୍ଗଳା ଓ ଦକ୍ଷିଣ ଭାରତରେ ଚାଷ କରାଯାଉଛି । ଆମ ଦେଶର ଗଛ ହୋଇ ନ ଥିବାରୁ ଏହାର ଭାରତୀୟ ନାମ ନାହିଁ । ଇଂରାଜୀ ନାମ ଇପିକାକ୍‌କୁ ହିନ୍ଦୀରେ ମଧ୍ୟ ଗ୍ରହଣ କରାଯାଇଛି ।

 

ଗଛର ବର୍ଣ୍ଣନା - ଏହା ଗୋଟିଏ ଛୋଟ ଗୁଳ୍ମ । ମାଟିତଳେ ଧାବକ କନ୍ଦ ଥାଏ । ଧାବକ କାଣ୍ଡରେ ମୁଦିପରି ଚିହ୍ନମାନ ପ୍ରତ୍ୟେକ ଗଣ୍ଠିରେ ଥାଏ । ମାଟି ଉପରକୁ ଆସିଥୁବା କାଣ୍ଡ ସରଳ ଓ ସମ୍ମୁଖୀ ପତ୍ର ଥାଏ । ପତ୍ରଗୁଡ଼ିକ ସରଳ ଓ ଅଣ୍ଡାକାର ଅଟେ । ପତ୍ରଧାର ସରଳ ଓ ଅଗ୍ରଭାଗ ସୂକ୍ଷ୍ମ ଅଟେ । ଧାବକ କନ୍ଦରେ ପ୍ରତ୍ୟେକ ଗଣ୍ଡିରେ ଶବ୍ଦ ପତ୍ର ଥାଏ । ଧାବକ କନ୍ଦରୁ ହିଁ ଔଷଧ ମିଳେ ।

 

ଔଷଧି ଓ ଅନ୍ୟାନ୍ୟ ଗୁଣ - ମାଟିତଳେ ଥିବା ଧାବକ କନ୍ଦରୁ ହିଁ ଔଷଧ ପ୍ରସ୍ତୁତ ହୁଏ । ଏହି ଔଷଧ ପ୍ରଧାନତଃ ଆମିବିକ୍ ନାଳ ଝାଡ଼ାରେ ଅବ୍ୟର୍ଥ । କ୍ଷୁଧାହୀନତାରେ ମଧ୍ୟ ଏହା ସୁଫଳ ଦିଏ । ଅଧିକ ପରିମାଣରେ ଇପିକାକ୍ ଖାଇଲେ ବାନ୍ତି ହୁଏ । କଫ ରୋଗରେ ସାଧାରଣତଃ ଏହା କଫ ବାହାର କରିବାକୁ ଦିଆଯାଏ । ଏହା ଅଧିକ ଖାଇଲେ ବାନ୍ତି ହୁଏ ଓ କଫସବୁ ବାହାରିଆସେ । ତେଣୁ ରୋଗୀର କଷ୍ଟ ଉପଶମ ହୁଏ । ଶରୀରରୁ ଝାଳ ବୋହିବାରେ ଏହା ସାହାଯ୍ୟ କରେ ।

ଭାରତରେ ଏହି ଗଛ ଯଥେଷ୍ଟ ନାହିଁ । ଏହା ବ୍ରାଜିଲ୍‌ରୁ ଆସି ଏଠାରେ ଚାଷ କରାଯାଉଛି । ତେଣୁ ଔଷଧପାଇଁ ଆମକୁ କିଛି ବିଦେଶରୁ ଆମଦାନୀ କରିବାକୁ ହେଉଛି । ଆମର ବାର୍ଷିକ ପ୍ରାୟ ୭୦୦ କ୍ରିଷ୍ଟାଲ୍ କଦ ଆବଶ୍ୟକ । ତେଣୁ ଏହାର ଚାଷପ୍ରତି ଅଧିକ ଧ୍ୟାନ ଦେବା ଉଚିତ । ବଙ୍ଗଳା, ଆସାମ ଓ ଓଡ଼ିଶାର କେତେକ ଅଞ୍ଚଳ ଏହି ଇପିକାକ୍ ଚାଷପାଇଁ ଉପଯୁକ୍ତ । ତେଣୁ ଏହି ଗଛର ଚାଷପାଇଁ ଅଧିକ ଧ୍ୟାନ ଦିଆଯାଉଛି ।

 

ଚନ୍ଦନ

(Sandal wood)

 

ବଂଶ - Santalaceae (ଚନ୍ଦନ ବଂଶ)

ବୈଷୟିକ ନାମ – Santalum Album L.

 

ଭାରତୀୟ ନାମ –

ଓଡ଼ିଆ – ଚନ୍ଦନ

ହିନ୍ଦୀ – ଚନ୍ଦନ, ସାଣ୍ଡାଲ

ସଂସ୍କୃତ - ମଳୟଜ, ଭୋଗିବଲ୍ଲଭ

ତେଲୁଗୁ - ଚନ୍ଦନ୍, ସାଣ୍ଡାଲ୍

 

ଗଛର ବର୍ଣ୍ଣନା - ଚନ୍ଦନକାଠ ସଙ୍ଗେ ପ୍ରାୟ ସମସ୍ତେ ପରିଚିତ । ଗଛକୁ ହୁଏତ ଅନେକେ ଦେଖି ନ ଥିବେ । ଗଛ ମଝିଲା ରକମର ଚିରହରିତ୍‌ ଗଛ । ଡାଳଗୁଡ଼ିକ ତଳକୁ ଝୁଲିପଡ଼ିଥାଏ । ଗଛର ବକଳା ଗାଢ଼ ରଙ୍ଗର ଅଟେ । ଉପର ଖଦଡ଼ିଆ ଓ ମଝିମଝିରେ ଲମ୍ବା ଫାଟ ଥାଏ । ପତ୍ରଗୁଡ଼ିକ ୪-୭ ସେ.ମି. ଲମ୍ବ ଓ ସମ୍ମୁଖୀ ପତ୍ରବିନ୍ୟାସ ଅଟେ । ପତ୍ରର ଉପରିଭାଗ ଚିକ୍କଣ । ପତ୍ରର ଆକାର ବର୍ଚ୍ଛାକାର । ତଳଭାଗ ସରୁ ଓ ଅଗ୍ରଭାଗ ମଧ୍ୟ ସବୁ । ପତ୍ର ଧାର ସରଳ ଓ ଅଗ୍ର ସୂକ୍ଷ୍ମ । ସ୍ତବକ ଅସୀମ । ଫୁଲଗୁଡ଼ିକ ଛୋଟ ଛୋଟ, ଫିକା ବାଇଗଣି ରଙ୍ଗର ଅଟେ । ଫଳଗୁଡ଼ିକ ଗୋଲ ଗୋଲ, ରଙ୍ଗ ବାଇଗଣି, କଳା ଏବଂ ମାଂସଳ ।

 

ବିସ୍ତୃତି - ଦାକ୍ଷିଣାତ୍ୟରେ ଏହା ଜଙ୍ଗଲରେ ହୁଏ । ଚନ୍ଦନକାଠ ଅତି ମୂଲ୍ୟବାନ । ମାନ୍ଦ୍ରାଜ, କର୍ଣ୍ଣାଟକ, କେରଳ ଆଦି ଜଙ୍ଗଲମାନଙ୍କରେ ଏହି ଗଛ ପ୍ରଚୁର ହୁଏ । ସେହି ରାଜ୍ୟମାନଙ୍କର ଅର୍ଥନୀତିରେ ଏହା ବହୁତ ମୂଲ୍ୟବାନ ପଦାର୍ଥ ରୂପେ ପରିଗଣିତ ହୁଏ । କାଠ ଅତି ମୂଲ୍ୟବାନ । ଏଥିରେ ନାନା ଆସବାବପତ୍ର ଓ ଘରର ନାନା ଉପକରଣ ତଥା ସୌଖୀନ ପଦାର୍ଥମାନ ହୁଏ ।

 

ଔଷଧ ଓ ଅନ୍ୟାନ୍ୟ ଗୁଣ - ଚନ୍ଦନର ମଞ୍ଜିକାଠରୁ ମିଳୁଥିବା ତେଲ ନାନା ଔଷଧରେ ବ୍ୟବହୃତ ହୁଏ । ଏହି ତେଲ ପରିସ୍ରା ଭଲଭାବରେ କରାଇବାରେ ସାହାଯ୍ୟ କରେ । ନାନା ଯୌନ ବ୍ୟାଧିରେ ମଧ୍ୟ ଏହା ଉପକାର କରେ । କଫରୋଗରେ ମଧ୍ୟ ଏହା ଦିଆଯାଏ । ଯକ୍ଷ୍ମା ରୋଗରେ ଏହା ଭଲ ଫଳ ଦିଏ । ପିତ୍ତଥଳୀ (Gall Bladder) ଫୁଲିଥିଲେ ଚନ୍ଦନ ତେଲ ଉପଶମ କରାଏ ।

 

ଚନ୍ଦନ କାଠ ପାଣିରେ ଘୋରି ଫୁଲା ଜାଗାମାନଙ୍କରେ ଲଗାଇଲେ ଫୁଲା ଉପଶମ ହୁଏ । କପାଳରେ ଚନ୍ଦନ ବୋଳିଲେ ଜ୍ଵର ଉପଶମ ହୁଏ । ଉତ୍ତାପ କମିଯାଏ । ନାନା ପ୍ରକାର ଚର୍ମରୋଗରେ ମଧ୍ୟ ଚନ୍ଦନ ଲଗାଇଲେ ଭଲ ହୁଏ ।

 

ମଞ୍ଜିରୁ ମିଳୁଥିବା ତେଲ ମଧ୍ୟ ଚର୍ମରୋଗରେ ବ୍ୟବହାର କରାଯାଏ ।

 

ଅନ୍ୟ ବ୍ୟବହାର - ଏହି କାଠ ଖୁବ୍ ମୂଲ୍ୟବାନ ଓ ଶକ୍ତ । ଏଥିରୁ ଘରର ନାନା ପ୍ରକାର ଆସବାବପତ୍ର ତିଆରି ହୁଏ । ଏହାର ସୁଗନ୍ଧ ବହୁଦିନ ପର୍ଯ୍ୟନ୍ତ ରହେ । ଏହାର କାଠଗୁଣ୍ଠରୁ ଅଗରବତି ପ୍ରସ୍ତୁତ ହୁଏ । ଚନ୍ଦନ ତେଲ ଦେହରେ ଲଗାଇବାର ନାନା ସୁଗନ୍ଧି ପଦାର୍ଥ ଯଥା :- ସାବୁନ୍, ପାଉଡ଼ର ଆଦିରେ ମଧ୍ୟ ବ୍ୟବହୃତ ହୁଏ । ଏହା ମଧ୍ୟ ଏକ କୀଟନାଶକ ପଦାର୍ଥ ।

 

ଇସବଗୁଲ୍

(Ishabgul)

 

ବଂଶ – Plantaginaceae

ବୈଷୟିକ ନାମ – Plantago Ovata Forsk

 

ଭାରତୀୟ ନାମ –

ହିନ୍ଦୀ – ଇସପ୍‌ଗୁଲ

ସଂସ୍କୃତ – ଇସପ୍‌ଗୋଲ୍‌

ଓଡ଼ିଆ - ଇସପ୍‌ଗୁଲ, ନଣ୍ଡାବଗୁଲି

ବଙ୍ଗଳା - ଇସପ୍‌ଗୁଲ

ତେଲୁଗୁ - ଇସପ୍‌ଗୁଲ

 

ସଂସ୍କୃତ ନାମ ‘ଇସପ୍‌ଲ’ରୁ ପ୍ରାଦେଶିକ ନାମମାନ ହୋଇଅଛି । ତେଣୁ ଏ ନାମ ସବୁସ୍ଥାନରେ ପ୍ରାୟ ସମାନ । ସାମାନ୍ୟ ପରିବର୍ତନ ହୋଇପାରେ । ବ୍ୟବସାୟିକ ନାଁ’ ମଧ୍ୟ ସେହି ସଂସ୍କୃତ ନାମ ଉପରେ ଆଧାରିତ ।

 

ବର୍ଣ୍ଣନା - ଏହା ଗୋଟିଏ କ୍ଷୁପ ଜାତୀୟ ଛୋଟ ଗଛ । ଗଛ ଉପରେ ଗହଳ ନରମ ଲୋମ ଆବୃତ ଥାଏ । କାଣ୍ଡ ଅତି ଛୋଟ । ପତ୍ରଗୁଡ଼ିକ ୮-୨୫ ସେ.ମି. ଲମ୍ବା ଓ ସରୁ । ପତ୍ରଧାର ସରଳ ଓ ଅଗ୍ରଭାଗ ସୂକ୍ଷ୍ମ । ସ୍ତବକ ଶୂକୀଜାତୀୟ ଅଟେ । ଫୁଲଗୁଡ଼ିକ ଛୋଟ ଛୋଟ ଓ ୧.୫ ରୁ .୪ ସେ.ମି. ଲମ୍ବ । ଫଳ ୮ ମି.ମି. ଲମ୍ବ । ମଞ୍ଜିଗୁଡ଼ିକ ନୌକା ଆକାରର ଅଟନ୍ତି ।

 

ବିସ୍ତୃତି - ଏହା ପ୍ରାକୃତିକ ଭାବେ କେବଳ ଭାରତର ଉତ୍ତର-ପଶ୍ଚିମ ଅଞ୍ଚଳରେ କେତେକ ସ୍ଥାନରେ ଦେଖାଯାଏ । ଆଜିକାଲି ଏହା ଅନ୍ୟ ସ୍ଥାନମାନଙ୍କରେ ବହୁଳଭାବେ ଚାଷ କରାଯାଉଛି ।

 

ଔଷଧ ଓ ଅନ୍ୟାନ୍ୟ ଗୁଣ - ଇସବଗୁଲ୍‌ର ମଞ୍ଜି ଔଷଧ ରୂପେ ବ୍ୟବହାର କରାଯାଏ । Plantago ପ୍ରଜାତିର ଆଉ କେତେକ ଜାତିର ମଞ୍ଜିକୁ ମଧ୍ୟ ଔଷଧ ରୂପେ ବ୍ୟବହାର କରାଯାଏ-। କେତେକ ତୁଳସୀ ବଂଶର ଗଛର ମଞ୍ଜି ମଧ୍ୟ ଇସବଗୁଲ ପରି ବ୍ୟବହୃତ ହୁଏ । ମଞ୍ଜି ଉପରେ ରହିଥ‌ିବା ଶ୍ଳେଷ୍ମକ (Mucilage) ଓ ଆଲ୍‌ବୁମେନ୍ (Albumen) ଯୋଗୁଁ ଏହା ଔଷଧି ରୂପେ ବ୍ୟବହୃତ ହୁଏ ।

 

ଇସପ୍‌ଗୁଲ ବହୁଦିନର ନାଳଝାଡ଼ା ଭଲ କରାଏ । ବହୁଦିନର ପୁରାତନ ଆମିବିକ୍ ନାଳଝାଡ଼ା ବା ବାସିଲାରି ନାଳଝାଡ଼ା ବା ନାଳରକ୍ତ ଝାଡ଼ା ଓ ତରଳଝାଡ଼ା ମଧ୍ୟ ଏହି ମଞ୍ଜିଦ୍ଵାରା ଉପଶମ ହୁଏ । ଏହି ମଞ୍ଜି ଝାଡ଼ା କବଜରେ ଭଲ ଫଳ ଦିଏ । କାରଣ ଏହି ମଞ୍ଜିର ଶ୍ଳେଷ୍ମକ ସାଧାରଣତଃ ମଳଭାଣ୍ଡର ଶ୍ଳେଷ୍ମକ ଝିଲ୍ଲୀ ଉପରେ ଏକ ପ୍ରଭାବ ପକାଏ । ଏହା ଫଳରେ ମଳ ସହଜରେ ବାହାରିଆସେ । ବ୍ୟବହାର ପୂର୍ବରୁ ମଞ୍ଜିକୁ ପାଣିରେ ଭିଜାଇବା ଆବଶ୍ୟକ । ଶୁଖିଲା । ମଞ୍ଜି ଖାଇଲେ ପାକନଳୀକୁ ଉତ୍ତେଜନା ଦିଏ। ତାହା ଫଳରେ ପାକନଳୀରେ ନାନା ବାଧା ଉପୁଜେ । ଶ୍ଳେଷ୍ମକ ସାଧାରଣତଃ ମଳକୁ ଏକାଠି ବାନ୍ଧିଦିଏ ଓ ଏହା ଫଳରେ ମଳ ଶ୍ଳେଷ୍ମକ ସହିତ ବାହାରି ଆସିବାରେ ସୁବିଧା ହୁଏ । ଏହି ଶ୍ଳେଷ୍କକର କାର୍ଯ୍ୟ ଯାନ୍ତ୍ରିକ (Mechanical) ଭାବେ ହୁଏ ।

 

ଇସବଗୁଲ୍ ଭୁଷି ମଞ୍ଜିର ଶୁଖିଲା ଆବରଣ ଅଟେ । ମଞ୍ଜିକୁ କୁଟି ଭୁଷିକୁ ଅଲଗା କରାଯାଏ । ମଞ୍ଜିର ଗୁଣ ଓ ଭୁଷିର ଗୁଣ ଏକା ଅଟେ । ଭୁଷିକୁ ଆଗରୁ ନ ଭିଜାଇ ମଧ୍ୟ ଖାଇହୁଏ-। ଭୁଷି ସହିତ ମଞ୍ଜି ଖାଇଲେ ତାହାକୁ ଭିଜାଇବା ଦରକାର ।

 

ଗ୍ରିନ୍ଦୋଳ (କାରାୟା)

 

ବଂଶ – Sterculiceae

ବୈଷୟିକ ନାମ – Sterculia erens Roxle.

 

ଭାରତୀୟ ନାମ –

ହିନ୍ଦୀ – କୁଲୁ, ଗୁଲୁ, କରାଇ

ଓଡ଼ିଆ – ଗ୍ରିନ୍ଦୋଳା

ବଙ୍ଗଳା – କରାଇ

ତେଲୁଗୁ – ପୋନାକୁ

 

ଭାରତୀୟ ନାମ ଅନୁସାରେ ବ୍ୟବସାୟିକ ନାମ କାରାୟା ହୋଇଅଛି ।

 

ବିସ୍ତୃତି - ଏହା ହିମାଳୟର ଗ୍ରୀଷ୍ମମଣ୍ଡଳୀୟ ଅଞ୍ଚଳରେ ହୁଏ । ଆହୁରି ମଧ୍ୟ ଏହା ମଧ୍ୟ ଓ ଦକ୍ଷିଣ ଭାରତରେ ହୁଏ । ସାଧାରଣତଃ ଏହା ଶୁଷ୍କ ଜଳବାୟୁରେ ବଢ଼େ । ମିଶ୍ର ପର୍ଣ୍ଣମୋଚୀ ଅରଣ୍ୟମାନଙ୍କରେ ଏହା ଦେଖାଯାଏ ।

 

ଗଛର ବର୍ଣ୍ଣନା - ଏହା ମଧ୍ୟମ ଆକାରର ପର୍ଣ୍ଣମୋଚୀ ଗଛ । ଏହି ଗଛର ବକଳ ଅତିଶୟ ଧଳା ବା ସବୁଜ ମିଶା ଧଳାରଙ୍ଗର ଅଟେ । ତେଣୁ ଏହା ଜଙ୍ଗଲରେ ବାରିହୋଇଯାଏ । ପତ୍ରଗୁଡ଼ିକ ଡାଳ ଶେଷରେ ଏକତ୍ର ଥାଆନ୍ତି । ପତ୍ରସବୁ ବଡ଼ ବଡ଼ ଓ ସରଳ । ପାଞ୍ଚ ପାଳି ବିଶିଷ୍ଟ । ପତ୍ରର ବ୍ୟାସ ୨୦-୪୦ ସେ.ମି. ହେବ । ପତ୍ରର ତଳପାଖ ଲୋମଶ । ଫୁଲଗୁଡ଼ିକ ଯୌଗିକ ଅସୀମ ସ୍ତବକରେ ଥାଆନ୍ତି । ଫୁଲର ରଙ୍ଗ ହଳଦିଆ-ଧୂସର । ସ୍ତବକରେ ମଧ୍ୟ ଲୋମ ଥାଏ । ଫଳିକାଚକ୍ରରେ ୫ଟି ଫଳିକା ଥାଏ । ଫଳିକାଚକ୍ରର ରଙ୍ଗ ଲାଲ ହୋଇଥାଏ । ଫଳଗୁଡ଼ିକ କଣ୍ଟାଳିଆ ଲୋମ ଦ୍ଵାରା ଆବୃତ ହୋଇଥାଏ ।

 

ଔଷଧି ଓ ଅନ୍ୟାନ୍ୟ ଗୁଣ - ଏହାର କାଣ୍ଡରୁ ମିଳୁଥିବା ଅଠା ଔଷଧ୍ୟରେ ବ୍ୟବହୃତ ହୁଏ । ଏହାକୁ କାରାୟା ଅଠା ବା କାଦିରା ଅଠା କହନ୍ତି ।

 

ଏହି ଅଠା ସାଧାରଣତଃ ଝାଡ଼ା ପରିଷ୍କାର କରାଏ । ଏହା ତଣ୍ଟିର ନାନା ରୋଗରେ ବ୍ୟବହୃତ ହୁଏ-। ଦାନ୍ତ ବସାଇବାପାଇଁ ଏହା ବ୍ୟବହୃତ ହୁଏ । ନାନା ପ୍ରକାର ଲଜେନ୍ସ ଓ ଅଠାଜାତୀୟ ଦ୍ରବ୍ୟ ଏଥିରୁ ପ୍ରସ୍ତୁତ ହୁଏ ।

 

ଏହା ମଧ୍ୟପ୍ରଦେଶର ଜଙ୍ଗଲରେ ପ୍ରଚୁର ହୁଏ । ବସ୍ତରରେ ଆଦିବାସୀମାନେ ଏହି ଗଛର ଛେଲିକୁ କୁଟି ତାକୁ ପ୍ରସବ ପୂର୍ବରୁ ପ୍ରସ୍ତୁତିମାନଙ୍କୁ ଦିଅନ୍ତି । ଏହାଦ୍ଵାରା ଶୀଘ୍ର ସୁଖ ପ୍ରସବ ହୁଏ ।

ଅନ୍ୟ ବ୍ୟବହାର- ଏହି ଗଛର କାଠ ନାନା କାର୍ଯ୍ୟରେ ବ୍ୟବହୃତ ହୁଏ । ନାନା ଗୃହ-ଉପକରଣ ଏଥିରୁ ପ୍ରସ୍ତୁତ ହୁଏ । କବାଟ, ଝରକା, ନୌକା, ପ୍ୟାକିଂବାକ୍ସ ଆଦି ମଧ୍ୟ ଏଥିରୁ ତିଆରି ହୁଏ ।

 

ଗଛର ବିକଳରୁ ଏକ ତନ୍ତୁ ବାହାରେ । ଏହା ଖୁବ୍ ଶିଘ୍ର ଏବଂ ଏଥିରୁ ଦଉଡ଼ି ତିଆରି ହୁଏ-। ଏହି ଦଉଡ଼ି ଖୁବ୍ ଟାଣ । ମଧ୍ୟପ୍ରଦେଶର ଆଦିବାସୀମାନେ ଏହି ଦଉଡ଼ି ବ୍ୟବହାର କରନ୍ତି । ବକଳାର ତନ୍ତୁରୁ ମୋଟା ଲୁଗା ମଧ୍ୟ ତିଆରି ହୁଏ । ମଞ୍ଜିକୁ ଖାଇହୁଏ । ତରକାକରୀରେ ..........କଲେ ତରକାରି ସୁସ୍ଵାଦୁ ହୁଏ ।

 

ଅନ୍ୟ ଜାତି - ଏହି ଗଛର ( ପ୍ରଜାତିର) ଆଉ ଦୁଇଟି ଜାତି ଅଛି । ସେଗୁଡ଼ିକ ହେଲା : (୧) Sterculia Villoza Roxb (ହିନ୍ଦୀରେ ଉଦଳ ଅଟେ) । ଏହା ଭାରତର ପ୍ରାୟ ସବୁସ୍ଥାନରେ ହୁଏ । ଅନ୍ୟଟି (୨) ହେଲା Sterculia Foetida L. ଓ ଏହାକୁ ଜଙ୍ଗଲୀ ବାଦାମ କହନ୍ତି । ଏହି ଜଙ୍ଗଲୀ ବାଦାମୀ ଦକ୍ଷିଣ ଭାରତରେ ବହୁତ ପରିମାଣରେ ହୁଏ । ଏଥିରୁ ମଧ୍ୟ କିଛି ଔଷଧ ମିଳେ । ଜଙ୍ଗଲ ବାଦାମର ମଞ୍ଜିରୁ ଏକ ତେଲ ବାହାରେ । ଏହା ମଧ୍ୟ ଝାଡ଼ାକାରୀ ବା ମୃଦୁ ବିରେଚକ ଅଟେ ।

 

ଅର୍ଜୁନ

 

ବଂଶ – Conbretaceae

ବୈଷୟିକ ନାମ – Terminalia arjuna Wight & Arnott.

 

ଭାରତୀୟ ନାମ –

ହିନ୍ଦୀ – ଅର୍ଜୁନ, କାହୁ କୋଭା

ଓଡ଼ିଆ – ଅର୍ଜୁନ

ସଂସ୍କୃତ – ଇନ୍ଦ୍ରଦ୍ରୁମ, କକୁଭ

ବଙ୍ଗଳା – ଆରଜୁନ

ତେଲୁଗୁ – ମିରିଚମାଟି ଚେଟ୍ଟୁ

 

ବିସ୍ତୃତି - ଏହି ଗଛ ପୁରାଣରେ ଯାମଳାର୍ଜୁନ ଗଛ ନାମରେ ଖ୍ୟାତ । ଏହା ଭାରତର ସବୁସ୍ଥାନରେ ହୁଏ । ସନ୍ତସନ୍ତିଆ ଜାଗାମାନଙ୍କରେ ଓ ନଦୀ ବା କେନାଲ କୂଳରେ ଏହା ସାଧାରଣତଃ ହୁଏ । ସଂସ୍କୃତରେ ଏହାକୁ ନଦୀସରଜ୍ୱା ବୋଲି କହୁଥିଲେ । ନଦୀକୂଳରେ ଏହା ହେଉଥିବାରୁ ଏହାର ନାମ ଏପରି ଦିଆଯାଇଥିଲା ।

 

ବର୍ଣ୍ଣନା - ଏହା ସାଧାରଣତଃ ପାଣି ପାଖରେ ଜଙ୍ଗଲରେ ହୁଏ । ଏହାର ମୂଳକୁ ସ୍ଥିରକ ମୂଳ (Buttress root) କହନ୍ତି । ଏହି ଚେର କଳ୍ପଶାକାନ୍ଦି (Mangrove) ଜାତୀୟ ଗଛମାନଙ୍କରେ ଦେଖାଯାଏ । ଅର୍ଜୁନ ଗଛ ଏକ ବଡ଼ ଗଛ ଓ ଏହାର ଚେର ବାହାଡ଼ାଗଛ ପରି କଳ୍ପଶାକାନ୍ଦି ଜାତୀୟ ଅଟେ । କାଣ୍ଡ ବଡ଼ ହୁଏ ଓ ଶାଖାୟିତ । ପତ୍ରଗୁଡ଼ିକ ସମ୍ମୁଖୀ ଓ ପ୍ରତି ଗଣ୍ଠିରେ ଦୁଇଟିକରି ପତ୍ର ଥାଏ । ପତ୍ର ସରଳ ଓ ବଡ଼ ବଡ଼ । ପତ୍ରଗୁଡ଼ିକ ବସନ୍ତ ଋତୁ ଆରମ୍ଭରେ ଝଡ଼ିପଡ଼ନ୍ତି ଓ ପରେ ନୂଆ ପତ୍ର ବାହାରେ । ତେଣୁ ଏହା ପର୍ଣ୍ଣମୋଚୀ ଉଦ୍ଭିଦ ଅନ୍ତର୍ଗତ । ଶାଖା ଅଗରେ ସାଧାରଣତଃ ପତ୍ରଗୁଡ଼ିକ ଏକାଠି ଥାଆନ୍ତି । ଫୁଲଗୁଡ଼ିକ ଅସୀମ ଓ ଶୂକୀଜାତୀୟ ସ୍ତବକରେ ଥାଆନ୍ତି । ଫୁଲ ଛୋଟ ଛୋଟ ଓ ଫିକା ସବୁଜ ରଙ୍ଗର ଅଟନ୍ତି । ସାଧାରଣତଃ ବସନ୍ତଋତୁରେ ଫୁଲ ଫୁଟେ । ଫୁଲରେ ଫଳଗୁଡ଼ିକ ଚେପ୍ଟା ଓ ପାଚିଗଲେ ହଳଦିଆ ରଙ୍ଗର ହୁଏ । ଏହା ଭିତରେ ଥିବା ଶସ (ବୀଜପତ୍ର)କୁ ଅନେକେ ଖାଆନ୍ତି । ଏହା ସୁସ୍ଵାଦୁ ।

 

ଔଷଧ ଓ ଅନ୍ୟାନ୍ୟ ଗୁଣ - ହୃଦ୍‌ରୋଗ ପାଇଁ ଏହା ଏକ ଭଲ ଔଷଧଭାବେ ଗଣା । ହୃଦ୍‌ରୋଗୀମାନଙ୍କୁ ଏହାର ବକଳା ସିଝାଇ ସେହି ପାଣି ସହିତ କ୍ଷୀର ମିଶାଇ ପ୍ରତିଦିନ ସକାଳୁ ଖାଲି ପେଟରେ ଖାଇବାକୁ ଦେଲେ ହୃଦ୍‌ରୋଗ ହୁଏ ନାହିଁ । ରକ୍ତବାହୀ ଶିରା ସତେଜ ରହେ ଓ ରକ୍ତସଞ୍ଚାଳନରେ ଅସୁବିଧା ହୁଏ ନାହିଁ । ଏହାର ବିକଳ କାଷାୟ ଅଟେ । ହୃଦଯନ୍ତ୍ରକୁ ଏହା ଠିକ୍ ରଖିବାରେ ସାହାଯ୍ୟ କରେ । ଏହା ମଧ୍ୟ ଜ୍ଵରରୋଗରେ ଦିଆଯାଏ । ହାଡ଼ ଭାଙ୍ଗି ଯାଇଥିଲେ ଛେଲିକୁ ଗୁଣ୍ଡକରି ଭାଜି ବାନ୍ଧିଦେଲେ କିଛିଦିନ ପରେ ଉପକାର ମିଳେ । ହୃଦ୍‌ରୋଗରେ ଟନିକ୍‌ଭାବେ ଏହା ବ୍ୟବହୃତ ହୁଏ ।

 

ଏହାର ଛେଲିକୁ ପାଣିରେ ସିଝାଇ କ୍ଵାଥ କରି ଅଳ୍ପ ମହୁ ସହିତ ଖାଇଲେ ବହୁମୂଦ୍ର, ପ୍ରମେହ ଆଦି ରୋଗ ଭଲ ହୁଏ । ସାଧାରଣତଃ ଅର୍ଜୁନ କଷାୟ ରସ ବିଶିଷ୍ଟ, ବଳକାରକ ଏବଂ ହୃଦ୍‌ରୋଗ, କଫ, ଶୋଥ, ପିତ୍ତ, କ୍ଷତ, ରକ୍ତଦୋଷ ଆଦିରେ ବ୍ୟବହୃତ ହୁଏ ।

 

ତେଜପତ୍ର

(Bay leaf)

 

ବଂଶ – Lauraceae (ଡାଲଚିନି ବଂଶ)

ବୈଷୟିକ ନାମ – Cinnamomum tamala

 

ଭାରତୀୟ ନାମ –

ହିନ୍ଦୀ – ତେଜ୍‌ପତ୍‌

ଓଡ଼ିଆ – ତେଜପତ୍ର

ବଙ୍ଗଳା – ତେଜପାତା

ତେଲୁଗୁ ଓ ତାମିଲ୍ – ତଲିସା ପତ୍ରି

 

ଗଛର ବର୍ଣ୍ଣନା - ତେଜପତ୍ର ଗଛ ସହିତ ସମସ୍ତେ ଊଣାଅଧିକେ ପରିଚିତ । ଗଛଟି ମଧ୍ୟମ ଧରଣର ଗୁଳ୍ମଜାତୀୟ ବହୁବାର୍ଷିକ ଅଟେ । ପତ୍ରକୁ ତେଜପତ୍ର କହନ୍ତି । ଏହା ନାନା ବ୍ୟବହାରରେ ଲାଗେ । ଡାଲଚିନି ଓ ଏହା ଏକ ବଂଶର ଅଟନ୍ତି । ସାଧାରଣତଃ ଶୁଖିଲା ପତ୍ର ତେଜପତ୍ର ବୋଲି ସମସ୍ତେ ଜାଣନ୍ତି । ଏହି ଗଛଟି ଶାଖାୟିତ । ବସନ୍ତ ଋତୁରେ ଅସୀମ ସ୍ତବକରେ ଫୁଲ ଫୁଟେ । ପତ୍ରଗୁଡ଼ିକ ବର୍ଣ୍ଣା ଆକାରର ଅଟେ । ଗଛର ବକଳ ଓ ପତ୍ର ନାନା ଭାବରେ ବ୍ୟବହୃତ ହୁଏ । ପତ୍ରଗୁଡ଼ିକ ଅଗକୁ ଓ ମୂଳଆଡ଼କୁ ସରୁ। ପତ୍ରର ଶିରାବିନ୍ୟାସ ଜାଲିକା ଶିରାବିନ୍ୟାସ ଅଟେ । ସାଧାରଣତଃ ପତ୍ରରେ ତିନିଟା ମୋଟା ଶିରା ଥାଏ । ଏହାର ଅଗ୍ରଭାଗ ସୂକ୍ଷ୍ମ ଓ ପତ୍ରଧାର ସରଳ । ପତ୍ରବିନ୍ୟାସ ଏକାନ୍ତର ଅଟେ । ଫୁଲଗୁଡ଼ିକ ଛୋଟ ଛୋଟ । ଏହା ଅସୀମ ସ୍ତବକରେ ଥାଏ । ଫୁଲର ରଙ୍ଗ ଧଳା-ସବୁଜ ଅଟେ । ଫୁଲ ଉଭୟଲିଙ୍ଗୀ । ଫଳ ଛୋଟ ଛୋଟ ଓ ଗୋଲାକାର ।

 

ବିସ୍ତୃତି - ଏହା ଭାରତରେ ହିମାଳୟ ଅଞ୍ଚଳରେ ଖାସି ଓ ଜୟନ୍ତିଆ ପର୍ବତମାଳା ଅଞ୍ଚଳ, ବ୍ରହ୍ମଦେଶ ବା ମିଆଁମାର, ବାଂଲାଦେଶରେ ପ୍ରଚୁର ହୁଏ । କେତେକ ବଗିଚାରେ ମଧ୍ୟ ଏହା ଲଗାଯାଇଥାଏ । ପଶ୍ଚିମଘାଟ ପର୍ବତମାଳାରେ ଏହା ମଧ୍ଯ ହୁଏ । ପ୍ରାୟ ୧୦୦-୩,୦୦୦ ମିଟର ପର୍ଯ୍ୟନ୍ତ ଉଚ୍ଚତାରେ ଏହା ଭଲ ବଢ଼େ । ଗଛର ସବୁ ଅଂଶର ସୁଗନ୍ଧି ବା ସୌରଭ ଅଛି । ତେଣୁ ଏହାର ଆଦର ଅଛି । ଏହାର ଚାଷ ମଧ୍ୟ କେତେକ ଅଞ୍ଚଳରେ କରାଯାଏ । ଏହି ଗଛ ପ୍ରାୟ ୧୮୦ ବର୍ଷ ପର୍ଯ୍ୟନ୍ତ ବଞ୍ଚିରହେ । ଏହାର ଚାଷପାଇଁ ବିଶେଷ ଯତ୍ନର ଆବଶ୍ୟକତା ନାହିଁ । ପତ୍ରଗୁଡ଼ିକ ଅକ୍ଟୋବରରୁ ଡିସେମ୍ବର ମାସ ମଧ୍ୟରେ ତୋଳାଯାଏ । ତିନି ଚାରିଦିନ ଖରାରେ ଶୁଖିଗଲା ପରେ ଏଗୁଡ଼ିକ ବଜାରକୁ ବିକ୍ରିପାଇଁ ପଠାଯାଏ ।

 

ଔଷଧି ଓ ଅନ୍ୟାନ୍ୟ ଗୁଣ - ସୁରାସାର ବା ଆଲକୋହଲରେ ଦ୍ରବୀଭୂତ ହେଉଥିବା ଉଦ୍‌ବାୟୀ ତୈଳକୁ ଏହା ସୁଗନ୍ଧିତ କରେ । ଏହା ବେଶୀ ଭାଗ ପତ୍ରରେ ଥାଏ । ଇଉଜିନଲ୍ (Eugcnol) ନାମକ ରାସାୟନିକ ପଦାର୍ଥ ଏଥିରେ ଥାଏ । ଆୟୁର୍ବେଦରେ ଏହାର ବହୁଳ ବ୍ୟବହାର ଅଛି । ଡାଲଚିନିରୁ ମଧ୍ୟ ଏହି ରାସାୟନିକ ପଦାର୍ଥ ମିଳେ । ଲବଙ୍ଗ ତେଲରୁ ମଧ୍ୟ ଏହା ମିଳେ ।

 

ତେଜପତ୍ରର ନାନା ବ୍ୟବହାର ଅଛି । ରୋଷେଇରେ ଏହାର ବହୁଳ ବ୍ୟବହାର ଅଛି । ଏହା ବ୍ୟତୀତ ଏହା ନାନା ଔଷଧୁଭାବେ ମଧ୍ୟ ବ୍ୟବହୃତ ହୁଏ । ବଥ, କୁଣ୍ଡିଆ ଆଦିରେ ଏହା ବ୍ୟବହୃତ ହୁଏ । କଞ୍ଚା ତେଜପତ୍ରର ରସ ପେଟମରା ଓ ତରଳ ଝାଡ଼ାରେ ବ୍ୟବହାର କଲେ ସୁଫଳ ଦିଏ ।

 

ମେଥି

(Fenugreek)

 

ବଂଶ – (Family) Papilionaceae (Leguminosae)

ବୈଷୟିକ ନାମ – Trigonella foenum graecum Lin.

 

ଭାରତୀୟ ନାମ –

ସଂସ୍କୃତ – ମେଥିକା, ବୋଧନୀ, ମନ୍ଥା

ହିନ୍ଦୀ – ମେଥି

ଓଡ଼ିଆ – ମେଥି

ବଙ୍ଗଳା – ମେଥି

ତେଲୁଗୁ – ମେନ୍ଥାୟାମୁ

 

ଗଛର ବର୍ଣ୍ଣନା - ଏହା ଗୋଟିଏ ଶାଗଜାତୀୟ କ୍ଷୁପ ଓ ଏକବାର୍ଷିକ ଅଟେ । କାଣ୍ଡ ଶାଖାୟିତ ଓ ସରୁ । ଚେରରେ ଛୋଟ ଛୋଟ ଗଣ୍ଠି ଥାଏ । ଏହି ଗଣ୍ଠିରେ ଯବକ୍ଷାରଜାନ ବିବନ୍ଧନକାରୀ ବୀଜାଣୁ ଥାଆନ୍ତି । ଏହି କ୍ଷୁପର ଉଚ୍ଚତା ୩୦-୫୦ ସେ.ମି. ପର୍ଯ୍ୟନ୍ତ ହୁଏ । ପତ୍ର ଯୌଗିକ ଏବଂ ପ୍ରତ୍ୟେକ ପତ୍ରର ପ୍ରାୟ ତିନୋଟି ଉପପତ୍ର ଥାଏ । ବର୍ଷା ଆରମ୍ଭରେ ଓ ଶୀତଦିନେ ଏହା ଭଲ ହୁଏ । ଗଛ ୩/୪ ମାସର ହୋଇଗଲେ ଏହାକୁ ଶାଗଭାବେ ଖିଆଯାଏ । ଫୁଲଗୁଡ଼ିକ ଛୋଟ ଛୋଟ ଏବଂ ସସୀମ ସ୍ତବକରେ ଥାଆନ୍ତି । ଫୁଲ ଈଷତ୍ ଧଳା ବା ହଳଦିଆ ହୁଏ । Pepilionaceac ବା ଅଗସ୍ତ୍ୟବଂଶ ଫୁଲ ପରି ଏଗୁଡ଼ିକ ହୁଏ । ଫଳଗୁଡ଼ିକ ଛୁଇଁଜାତୀୟ ଅଟେ । ପ୍ରତ୍ୟେକ ଫଳରେ ଦୁଇରୁ ଅଧିକ ମଞ୍ଜି ରହିଥାଆନ୍ତି । ମଞ୍ଜିଗୁଡ଼ିକ ଆୟତାକାରର ଅଟନ୍ତି । ଏହି ମଞ୍ଜିରୁ ଔଷଧ ମିଳେ-। ଏଥରେ ସ୍ନେହାମ୍ଳ, ପୁଷ୍ଟିସାର, ଭିଟାମିନ୍ ‘କ’ ଏବଂ ‘ଗ’, ଶର୍କରା, କ୍ୟାଲ୍‍ସିୟମ୍‍, ଫସ୍‌ଫରସ୍ ଓ ଲୌହ ଥାଏ । ଏହା ଖୁବ୍‌ ପୁଷ୍ଟିକାରକ ଅଟେ । ଏହାର ବାସନାପାଇଁ ପତ୍ରକୁ ଶୁଖାଇ ରଖାଯାଏ ।

 

ବିସ୍ତୃତି - ମେଥି ପ୍ରଥମେ ଭାରତକୁ ଦକ୍ଷିଣ ୟୁରୋପରୁ ଆସିଲା ପରେ ଏହା ଏଠାରେ ସର୍ବତ୍ର ଚାଷ କରାଯାଇ ଏକ ଅତି ଦରକାରୀ ମସଲା ହୋଇଯାଇଛି । ଏହାର ଔଷଧଗୁଣ ଓ ସୁବାସପାଇଁ ମେଥ୍ ସମସ୍ତଙ୍କର ଜଣାଶୁଣା । ମେଥୁର ନାନା ଜାତି ପୃଥିବୀର ବିଭିନ୍ନ ସ୍ଥାନରେ ମିଳନ୍ତି । ଭାରତରେ ଏହା ହିମାଳୟ ପାଦଦେଶରୁ କେପ୍ କମୋରିନ୍ ପର୍ଯ୍ୟନ୍ତ ସର୍ବତ୍ର ଆଦୃତ ହୁଏ ।

 

ଔଷଧି ଓ ଅନ୍ୟାନ୍ୟ ଗୁଣ - ମେଥିର ନାନା ଔଷଧଗୁଣ ଅଛି । ଏହା କ୍ଳାନ୍ତି, ବସନ୍ତ, ପେଟ ଗୋଳମାଳ, ବାତ, କ୍ଷୁଧାହୀନତା ଏବଂ ସ୍ତ୍ରୀମାନଙ୍କର ମାସିକ ଋତୁସ୍ରାବରେ ଗୋଳମାଳ ଆଦି ଦୂର କରେ । ଏହା ମଧ୍ୟ ସ୍ଵାସ୍ଥ୍ୟବର୍ଦ୍ଧକ ଅଟେ । ଆହୁରି ମଧ୍ୟ ନାଳଝାଡ଼ା, ପତଳା ଝାଡ଼ା, ବହୁଦିନର କାଶ, ପ୍ଲୀହାବୃଦ୍ଧି, ଯକୃତ୍‍ବୃଦ୍ଧି, ଅସ୍ଥିକୋମଳ ରୋଗ ଓ ମଧୁମେହ ରୋଗର ସୁଫଳ ଦିଏ । ପ୍ରତିଦିନ ୨୫ ଗ୍ରାମ୍ କରି ମେଥିଗୁଣ୍ଡ ପାଣି ସହିତ ପ୍ରାୟ ଏକୋଇଶ ଦିନ ଖାଇଲେ ରକ୍ତ ଓ ମୂତ୍ରରେ ଶର୍କରା ଅଂଶ କମିଯାଏ । ଗାଈର କ୍ଷୀର ବୃଦ୍ଧି ପାଇଁ ମଧ୍ୟ କପାମଞ୍ଜି ସହ ମେଥି ଦିଆଯାଏ । ସ୍ତ୍ରୀଲୋକମାନଙ୍କର ମଧ୍ୟ କ୍ଷୀର ବୃଦ୍ଧି କରାଏ । ଏହା ଏକ ଟନିକ୍ ଭାବରେ ମଧ୍ୟ ବ୍ୟବହୃତ ହୁଏ ।

 

ମେଥି ପରିବାର ନିୟନ୍ତ୍ରଣରେ ବ୍ୟବହୃତ ହୁଏ । ପଶୁଚିକିତ୍ସା ଓ ହୋମିଓପ୍ୟାଥିକ୍‌ ଚିକିତ୍ସାରେ ମଧ୍ୟ ଏହାର ବହୁଳ ବ୍ୟବହାର ଅଛି । ଜାଭା, ସୁମାତ୍ରା ଆଦି ଦେଶମାନଙ୍କରେ ଏଥୁରୁ ନାନା ଟନିକ୍ ଓ ପ୍ରସାଧନ ସାମଗ୍ରୀ ପ୍ରସ୍ତୁତ ହୁଏ । ଏହା କେଶବର୍ଦ୍ଧକ ଭାବେ ବ୍ୟବହୃତ ହୁଏ । ରଙ୍ଗ କରିବା ଶିଳ୍ପରେ ଏହାର ବ୍ୟବହାର ଅଛି । ଭଜା ମେଥିଚୂର୍ଣ୍ଣ ଖାଇ ସକାଳୁ କିଛି କ୍ଷୀରପାନ କଲେ ଶରୀର

ପୁଷ୍ଟ ହୁଏ ।

 

ଅନ୍ୟ ପ୍ରଜାତି - Melilotus Indica ( ମେଲିଲୋଟସ୍ ଇଣ୍ଡିକା) ଏକ ବଣୁଆ ମେଥି ଅଟେ । ଏହାର ମେଥି ପରି ଗୁଣ ଅଛି । ଏହା ଅଗଚ୍ଛାଭାବେ ବଢ଼େ । ଛୋଟ ଛୋଟ କ୍ଷୁପ ଜାତୀୟ ଅଟେ । ଫୁଲ ମେଥି ଫୁଲ ପରି ଓ ଧଳାରଙ୍ଗର ଅଟେ ।

 

ଭାରତରେ ବହୁଳ ମେଥିଚାଷ ହୋଇ ବିଦେଶକୁ ମଧ୍ୟ ରପ୍ତାନୀ କରାଯାଏ । ପ୍ରାୟ ୪୦,୦୦୦ ହେକ୍ଟର ଜମିରେ ମେଥୁଚାଷ କରାଯାଏ । ପ୍ରାୟ ୨୦,୦୦୦ ଟନ୍ ମେଥିମଞ୍ଜି ଏଥିରୁ ମିଳେ ।

 

କଳାଦାନା (କନିଖଣ୍ଡ)

 

ବଂଶ – Convolvulaceac

ବୈଷୟିକ ନାମ – Ipomoea Sp. (L) Roth Syn. Ipomoea hederacea auct. non. Jacq.

 

ଭାରତୀୟ ନାମ –

ହିନ୍ଦୀ - କାଲାଦାନା, ନୀଳକଲମୀ

ଓଡ଼ିଆ - କୃଷ୍ଣବୀଜ, କନିଖଣ୍ଡ

ସଂସ୍କୃତ - କୃଷ୍ଣବୀଜ

ତେଲୁଗୁ – ଜିରିକି

 

ବ୍ୟବସାୟିକ ନାମ ଭାରତୀୟ ସ୍ଥାନୀୟ ନାମ ଉପରେ ଆଧାରିତ । ଫୁଲର ରଙ୍ଗ ନୀଳ ହୋଇଥିବାରୁ ‘ନୀଳ କଲମୀ’’ ନାମ ହିନ୍ଦୀରେ ରଖାଯାଇଛି ।

 

ବର୍ଣ୍ଣନା - ଏହି ଗଛଟି ଗୋଟିଏ ଗୁଡ଼ାଇ ହୋଇ ମାଡ଼ିଥିବା ଲତା । ଏହା ଏକବାର୍ଷିକ ଲତା ଅଟେ । ଡାଳ ଶାଖାୟିତ । ଏଥିରେ ଲୋମ ପ୍ରାୟ ନାହିଁ । ପତ୍ରଗୁଡ଼ିକର ବ୍ୟାସ ୫-୧୨ ସେ.ମି. ହେବ । ଆକାରରେ ଏହା ଅଣ୍ଡାକାର । ଅନେକ ସମୟରେ ପତ୍ର ତିନିଭାଗରେ ବିଭକ୍ତ ହୋଇଥାଏ । ପତ୍ର ସରଳ ଓ ଅନୁପର୍ଣ୍ଣ (Stipule) ନ ଥାଏ । ଫୁଲଗୁଡ଼ିକ ସସୀମ ସ୍ତବକରେ ପତ୍ରକକ୍ଷରେ ଥାଆନ୍ତି-। ଫୁଲ ନୀଳ ରଙ୍ଗର ଅଟେ । ତଳକୁ ସାମାନ୍ୟ କମଳାରଙ୍ଗର ହୋଇଥାଏ । ଫୁଲର ଦଳମଣ୍ଡଳ କାହାଳୀ ଆକାରର ଅଟନ୍ତି । ଏହା ଏହି ବଂଶର ଗଛମାନଙ୍କର ଲକ୍ଷଣ । ବୃତିଗୁଡ଼ିକ ଲାଗିଲାଗି ଥାଆନ୍ତି ଓ ଦଳଗୁଡ଼ିକ ମଧ୍ୟ ଲାଗିଲାଗି ରହିଥାଆନ୍ତି । ପୁଂକେଶର ପାଞ୍ଚଟି ଥାଏ ଓ ଗର୍ଭକେଶରରେ ଦୁଇଟି ଫଳିକା ଏକତ୍ର ଥାଆନ୍ତି । ଫଳ ଗୋଲାକାର । ମଞ୍ଜିଗୁଡ଼ିକ ଛୋଟ ଛୋଟ ଓ ଲୋମଶୂନ୍ୟ ।

 

ଫୁଲଗୁଡ଼ିକର ରଙ୍ଗ ଗଛରେ ଥିବା ପର୍ଯ୍ୟନ୍ତ ନୀଳ ଥାଏ । ଏହା ତୋଳି ଆଣିବା ପରେ ବାଇଗଣି ରଙ୍ଗର ହୋଇଯାଏ ।

ବିସ୍ତୃତି - ଏହି ଗଛ ଭାରତରେ ସର୍ବତ୍ର ମିଳେ । ୧,୮୦୦ ମିଟର ଉଚ୍ଚତାରେ ମଧ୍ୟ ଏହା ଦେଖାଯାଏ । ଏହା ଗୋଟିଏ ବଣୁଆଁ ଗଛ ହେଲେ ମଧ୍ୟ ଅନେକ ସ୍ଥାନରେ ଚାଷ କରାଯାଏ ।

 

ଔଷଧି ଓ ଅନ୍ୟାନ୍ୟ ଗୁଣ - ଶୁଖିଲା ମଞ୍ଜିରୁ ଔଷଧ ହୁଏ । ଏହା ଝାଡ଼ାକାରକ । କୋଷ୍ଠବଦ୍ଧତାରେ ଏହା ଦିଆଯାଏ । ପରିମାଣ ଡାକ୍ତର ବା କବିରାଜଙ୍କୁ ପଚାରି ଖାଇବା ଉଚିତ । ନଚେତ୍ ଉତ୍ତେଜନା ବୃଦ୍ଧି ପାଏ ।

 

ଅନ୍ୟ ବ୍ୟବହାର - ତଟକା ଫଳକୁ ତରକାରି କରି ମଧ୍ୟ ଖିଆଯାଏ । ଏହାର ସୁନ୍ଦର ଫୁଲପାଇଁ ଏହା ବାଡ଼ିବଗିଚାରେ ଲଗାଯାଏ ।

 

ଅନ୍ୟ ଜାତି - ଏହାର ନାନାପ୍ରକାର ଜାତି ଅଛି । ସେମାନଙ୍କର ଝାଡ଼ାକାରୀ ଗୁଣ ଅଛି । କେତୋଟି ସେଥିରୁ ଦିଆଗଲା ।

ଯଥା : Ipomoca Pescarpac (L.), (ହିନ୍ଦୀରେ ଦୋପ୍ତିଲତା, ଓଡ଼ିଆରେ କଂସାରୀଲଟା ବା ଛାଗଳପାଦ) ଏହା ସାଧାରଣତଃ ବାଲିରେ ହୁଏ । ଏହାକୁ ଇଂରାଜୀରେ Sand binder ବୋଲି କହନ୍ତି । ଏହିପରି ଆଉ କେତେକ ଜାତିର ମଧ୍ୟ ଅଛି ।

 

ହେଙ୍ଗୁ

 

ବଂଶ  - Umbelliferae

ବୈଷୟିକ ନାମ – Ferula narthex Boiss syn. Ferula Asafoetida L.

 

ଭାରତୀୟ ନାମ –

ହିନ୍ଦୀ – ହିଙ୍ଗ୍‌

ଓଡ଼ିଆ – ହେଙ୍ଗୁ

ବଙ୍ଗଳା – ହିଙ୍ଗ୍‌

ସଂସ୍କୃତ – ବାହ୍ଲିକା, ଅଙ୍ଗୁଦ ଗନ୍ଧା

ତେଲୁଗୁ - ଇନ୍‌ଗୁମୋ

 

ବ୍ୟବସାୟିକ ନାମ ବୈଜ୍ଞାନିକ ନାମ ଉପରେ ଆଧାରିତ । ‘ଆସାଫୋଇଟିଡ଼ା’ ହେଉଛି ବ୍ୟବସାୟିକ ନାମ ଓ ଇଂରାଜୀ ନାମ । ‘ଫେରୁଲା ଆସାଫୋଇଟିଡ଼ା’ (Ferula Asafoetida) ରୁ ଏହି ନାମ ଆସିଅଛି ।

 

ଗଛର ବର୍ଣ୍ଣନା - ଏହା ଗୋଟିଏ ବହୁବାର୍ଷିକ ଡେଙ୍ଗା ଗଛ । ଉଚ୍ଚତା ପ୍ରାୟ ଅଧମିଟରରୁ ଏକମିଟର ପର୍ଯ୍ୟନ୍ତ ହୁଏ । ଏହାର ଚେର ଖୁବ୍ ବଳିଷ୍ଠ ଓ ପ୍ରାୟ ଗାଜର ପରି ଅଟେ । ପତ୍ର ଦୁଇ ପ୍ରକାରର ଅଟେ । ଧନିଆଁ ବା ଜୀରା ଗଛର ପତ୍ର ପରି । ଏ ସବୁ ଏକା ବଂଶର ଗଛ । ତଳ ପତ୍ରଗୁଡ଼ିକ ସରଳ ଓ ପ୍ରାୟ ୩୦-୬୦ ସେ.ମି. ଲମ୍ବ ହୁଏ । ଏହା ଅଣ୍ଡାକାର (ovate) ଅଟେ । ଉପର ପତ୍ରଗୁଡ଼ିକ କଟା କଟା ଓ ଅସଂଖ୍ୟ ଭାଗରେ ବିଭକ୍ତ । ଜୀରା, ପାନମହୁରୀ ବା ଧନିଆଁପତ୍ର ପରି ଦିଶେ । ନୂଆ ପତ୍ରଗୁଡ଼ିକରେ ଲୋମ ଥାଏ । ଅନୁପର୍ଣ୍ଣ (Stifule) ନ ଥାଏ । ସ୍ତବକ ଅସୀମ ଓ ଅମ୍‌ବେଲ୍‌ (Umbel) ଜାତୀୟ ଅଟେ । ଫୁଲଗୁଡ଼ିକ ହଳଦିଆ ରଙ୍ଗର ଅଟନ୍ତି । ଏଗୁଡ଼ିକ ଏକତ୍ର ଡାଳର ଉପରିଭାଗରେ ରହିଥାଆନ୍ତି । ଫୁଲଗୁଡ଼ିକ ଛୋଟ ଛୋଟ । ଦଳମଣ୍ଡଳରେ ଚାରିଗୋଟି ବା ପାଞ୍ଚଗୋଟି ପାଖୁଡ଼ା ଥାଆନ୍ତି । ପୁଂକେଶର ଚାରୋଟି ବା ପାଞ୍ଚଟି ଥାଏ । ଗର୍ଭକେଶରରେ ଦୁଇଟି ଫଳିକା ଥାଏ । ଫଳିକା ଫୁଲ ନିମ୍ନଭାଗରେ ଥାଏ । ଫଳଗୁଡ଼ିକ ୮ ମି.ମି. ଲମ୍ବ । ଏହାର ଚଉଡ଼ା ଲମ୍ବଠାରୁ ବେଶୀ ।

 

ବିସ୍ତୃତି - ଏହା କେବଳ କାଶ୍ମୀରରେ ଚାଷ କରାଯାଏ । ଅନ୍ୟତ୍ର ସେତେ ଭଲ ବଢ଼େ ନାହିଁ । ଜଳବାୟୁ ଏହାର କାରଣ ।

 

ଔଷଧି ଓ ଅନ୍ୟାନ୍ୟ ଗୁଣ - ଏହି ଗଛର ମୋଟା ଚେରରୁ ବା ଧାବକ କନ୍ଦରୁ ଏକ ଅଠାଳିଆ (Resin) ପଦାର୍ଥ ବାହାରେ । ଚେର ବା କନ୍ଦକୁ ବା ଉପରେ ଥିବା କାଣ୍ଡକୁ ସାମାନ୍ୟ କାଟିଦେଲେ ଏହି ଅଠା ବାହାରେ । ଏଗୁଡ଼ିକ ହଳଦିଆ ରଙ୍ଗର ହୋଇଥାଏ । ଏହା ହେଙ୍ଗୁ ନାମରେ ସର୍ବତ୍ର ପରିଚିତ । ଏହାର ଏକ ପ୍ରକାର ବାସନା ଅଛି । ଏହାର ବାସନାରେ କବକ ବା କୀଟ ଦୂରେଇଯାଆନ୍ତି ।

 

ଏହା ବହୁ ଔଷଧ୍ୟରେ ବ୍ୟବହୃତ ହୁଏ । ଶ୍ଵାସରେ ଧଇଁ ପେଲିବା ଅବସ୍ଥାରେ, ଅଜୀର୍ଣରେ, ପେଟ ମାରିବାରେ, କଲେରାରେ ଓ ଲଟାକାଶରେ ଏହା ସୁଫଳ ଦିଏ । ଏହା ସ୍ନାୟୁସମୂହ ଓ ଶ୍ଵାସଯନ୍ତ୍ରକୁ ଉତ୍ତେଜନା ଦେଉଥିବାରୁ ନିମୋନିଆ ଓ ବ୍ରୋନ୍‌କାଇଟିସ୍ ବା ଶ୍ଵାସନୀରେ ଭଲ କାମ ଦିଏ । ବିଶେଷତଃ ପିଲାମାନଙ୍କର ଏହି ସବୁ ରୋଗରେ ଏହା ଅବ୍ୟର୍ଥ । ଅନ୍ତକୁ ଉତ୍ତେଜନା ଦେବାଲାଗି ଏହାକୁ ପେଟ ଉପରେ ମଧ୍ୟ ବୋଳିଦିଆଯାଏ । ଏହାଦ୍ଵାରା ଝାଡ଼ା ପରିଷ୍କାର ହୁଏ ।

 

ହେଙ୍ଗୁ ନିଦ୍ରାକାରୀ ବା ଶାମକ ଅଟେ । ଏହାକୁ ତେଣୁ ହୃଦ୍‌ରୋଗରେ ମଧ୍ୟ ବ୍ୟବହାର କରାଯାଏ ।

 

ଅନ୍ୟ ବ୍ୟବହାର - ହେଙ୍ଗୁ ଏକ ମସଲାଭାବେ ମଧ୍ୟ ନାନା ବ୍ୟଞ୍ଜନରେ ବ୍ୟବହୃତ ହୁଏ । ଆଚାର ଓ ନାନା ତରକାରିରେ ଏହା ବ୍ୟବହୃତ ହୁଏ ।

 

ଅନ୍ୟ ଜାତି - ମଧ୍ୟପ୍ରାଚ୍ୟରେ ଓ ଆଫଗାନିସ୍ଥାନ ଆଦିରେ Ferula foetida Regal ମଧ୍ୟ ହେଙ୍ଗୁପରି ଅଟେ । ଭାରତରେ ବର୍ଷକୁ ପ୍ରାୟ ଔଷଧ ଓ ଅନ୍ୟ ବ୍ୟବହାରପାଇଁ ୬,୦୦୦ କ୍ଵିଣ୍ଟାଲ୍ ହେଙ୍ଗୁ ଆବଶ୍ୟକ । ହିମାଳୟ ଅଞ୍ଚଳରେ ଏହି ଚାଷର ଆବଶ୍ୟକତା ଅଛି ।

 

କେଶଦୁରା ବା କେଶଦୁଦୁରା

 

(Trailing Eclipta)

ବଂଶ – Compositae (ସୂର୍ଯ୍ୟମୁଖୀ ବଂଶ)

ବୈଷୟିକ ନାମ – Eclipta alba L. Syn. Wedelia Calendulacea

 

ଭାରତୀୟ ନାମ –

ହିନ୍ଦୀ – କୋଶୋରାଜ୍

ଓଡ଼ିଆ – କେଶଦୁରା, କେଶ ଦୁଦୁରା, କେଶନ୍ଦ୍ରା

ବଙ୍ଗଳା - କେଶରାଜ୍ , କେଶରଞ୍ଜନ

ସଂସ୍କୃତ - କେଶରାଜ, କେଶରଞ୍ଜନ, କୁନ୍ତଳବର୍ଦ୍ଧନ, ଅଙ୍ଗାରକ, ମର୍କର, ଇତ୍ୟାଦି

ତେଲୁଗୁ - ଗୁଣ୍ଟକଲ, ଗରଚେଟ୍ଟୁ

 

ଗଛର ବର୍ଣ୍ଣନା - ଭୃଙ୍ଗରାଜ ପରି ଏହା ଏକ କ୍ଷୁପଜାତୀୟ ବହୁବାର୍ଷିକ ଗଛ । ପାଣି ପାଖରେ ଭୂଇଁ ଉପରେ ଏହା ମାଡ଼େ । ପ୍ରତି ଗଣ୍ଠିରୁ ଚେର ବାହାରି ଏହାକୁ ମାଟି ଉପରେ ମାଡ଼ିବାରେ ସାହାଯ୍ୟ କରେ । ଅନ୍ୟ ସନ୍ତସନ୍ତିଆ ଜାଗାରେ ମଧ୍ୟ ଏହା ଦେଖାଯାଏ । ଏହାକୁ ଏକ ଅଗଚ୍ଛା ଭାବେ ଗଣାଗଲେ ମଧ୍ୟ ଏହା ଅତି ଉପକାରୀ । ପତ୍ରବିନ୍ୟାସ ସମ୍ମୁଖୀ ଅଟେ । ପତ୍ରଗୁଡ଼ିକ ସରଳ ଓ ବର୍ଚ୍ଛାକାରର ଅଟନ୍ତି । ପତ୍ରଧାର ସରଳ ଓ ପତ୍ରର ଅଗ୍ରଭାଗ ସୂକ୍ଷ୍ମ । ପ୍ରତ୍ୟେକ ଗଣ୍ଠିରୁ ଦୁଇଟି କରି ସମ୍ମୁଖୀ ପତ୍ର ବାହାରିଥା’ନ୍ତି । ଏଗୁଡ଼ିକ ସମ୍ମୁଖୀ ଓ ଚତୁଃସାରୀ ଅଟେ । ଅର୍ଥାତ୍ ତଳ ପତ୍ର ଦୁଇଟି ଏକଦିଗକୁ ବାହାରିଥିଲେ ତା’ଉପର ପତ୍ରଦୁଇଟି ବିପରୀତ ଦିଗକୁ ବାହାରିଥାଏ । ଏହାକୁ ଚତୁଃସାରୀ କହନ୍ତି । ସ୍ତବକ ମୌଳି ଜାତୀୟ ବା ମୁଣ୍ଡପରି ଅଟେ । ଏହା ଏହି ବଂଶରେ ଦେଖାଯାଏ । ସୂର୍ଯ୍ୟମୁଖୀ ବା ଗେଣ୍ଡୁ ଗଛରେ ଏହି ପ୍ରକାରର ସ୍ତବକ ଦେଖାଯାଏ । ଫୁଲଗୁଡ଼ିକ ଧଳା । ଅନେକ ଫୁଲ ଏକତ୍ର ହୋଇ ସ୍ତବକରେ ଥା’ନ୍ତି । ଏହି ମୌଳି ଜାତୀୟ ସ୍ତବକରେ ଦୁଇ ପ୍ରକାରର ଫୁଲ ଥାଏ । ବାହାରକୁ ଥିବା ଫୁଲ ଏକଲିଙ୍ଗୀ ଓ ମାଈ ଅଟେ । ଭିତରକୁ ଥିବା ଫୁଲକୁ ଦ୍ୱି-ଲିଙ୍ଗୀ ବା ଉଭୟଲିଙ୍ଗୀ ଅଟେ । ଭିତରକୁ ଥିବା ଫୁଲକୁ ପୀଠପୁଷ୍ପକ କହନ୍ତି । ଏଗୁଡ଼ିକ ବହୁସଂଖ୍ୟାରେ ଏକତ୍ର ପୁଷ୍ପଦଣ୍ଡ ଉପରେ ଥାଆନ୍ତି । ମାଈଫୁଲରେ ଦ୍ୱି-ଫଳିକ ଗର୍ଭକେଶର ଥାଏ । ଉଭୟଲିଙ୍ଗୀ ଫୁଲରେ ପାଞ୍ଚଗୋଟି ପୁଂକେଶର ଓ ଗୋଟିଏ ଦ୍ଵି-ଫଳିକ ଗର୍ଭକେଶର ଥାଏ । ବୃତି ପାଞ୍ଚଗୋଟି ଥାଏ ଓ ଦଳ ମଧ୍ୟ ପାଞ୍ଚଗୋଟି ଥାଏ । ଦଳମଣ୍ଡଳ ଲାଗି ଲାଗି ଥା'ନ୍ତି । ଫଳ ଅତି ଛୋଟ ଓ ସେଥିରେ ଗୋଟିଏ ମାତ୍ର ମଞ୍ଜି ଥାଏ ।

 

କେଶଦୁରା ପତ୍ର ଗାଢ଼ ନୀଳବର୍ଣ୍ଣର ହୋଇଥାଏ । ଏହା ଶୃଙ୍ଗରାଜ ଗଛର ପତ୍ରଠାରୁ କିଛି ଅଧିକ ଚଉଡ଼ା । ଭୃଙ୍ଗରାଜର ପତ୍ର ଧଳା ଦିଶେ । ତେଣୁ ଦୁଇଟିକୁ ବାରିହୋଇଯାଏ । ଭୃଙ୍ଗରାଜ ବଦଳରେ କେଶଦୁରା ବ୍ୟବହାର କରାଯାଏ । ଗୁଣ ଉଭୟଙ୍କର ପ୍ରାୟ ଏକ ପ୍ରକାରର ଅଟେ । କେଶଦୁରା ଗଛ ଓ ପତ୍ରର ରସ ହାତରେ ଲାଗିଲେ ଅଳ୍ପ ସମୟରେ ହାତ କଳା ପଡ଼ିଯାଏ । ତେଣୁ ମୁଣ୍ଡର କେଶପାଇଁ ଏହା ଅତି ଉପକାରୀ ଅଟେ ।

 

ଔଷଧଗୁଣ - କେଶଦୁରା ଶୀତଳ, ତିକ୍ତରସ ଓ କେଶର ପ୍ରଧାନ ଉପକାରକ ଅଟେ । ନେତ୍ରରୋଗ, ଶୋଥ, କ୍ଷତ, କଫି, ଆମ ଦୋଷ, ବ୍ରଣ, ଧବଳ ଛଉ, ପାଣ୍ଡୁ ଓ ଚର୍ମରୋଗରେ ଏହା ବ୍ୟବହାର କରାଯାଏ ।

 

କେଶଦୁରା ଗଛକୁ ଶୁଖାଇ ରାଶିତେଲ, ନଡ଼ିଆତେଲ ବା ଜଡ଼ାତେଲରେ କିଛିଦିନ ପକାଇ ତାକୁ ଛାଣି ମୁଣ୍ଡରେ ଲଗାଇଲେ ମୁଣ୍ଡ ଥଣ୍ଡା ରହେ । କେଶ ଉପୁଡ଼ିଯିବା, କେଶ ପାଚିବା, ରୁପି, ମୁଣ୍ଡର କ୍ଷତ, ବ୍ରଣ ପ୍ରଭୃତି ଏଥିରେ ନିବାରିତ ହୁଏ । ଭୃଙ୍ଗରାଜ ବଦଳରେ ଏହାକୁ ବ୍ୟବହାର କରାଯାଏ ।

 

ଆହୁରି ମଧ୍ୟ ଏହା ଦ୍ଵାରା ଦୃଷ୍ଟିଶକ୍ତି, ଶ୍ରୁତିଶକ୍ତି, ଘ୍ରାଣଶକ୍ତି ଓ ଆସ୍ୱାଦନ ଶକ୍ତି ବୃଦ୍ଧିପାଏ । ଚର୍ମର ସ୍ପର୍ଶଶକ୍ତି ମଧ୍ୟ ଏହାଦ୍ଵାରା ବର୍ଷିତ ହୁଏ ।

 

ଘିକୁଆଁରୀ ବା ଘୃତକୁମାରୀ

(Aloe)

 

ବଂଶ – (ଲିଲି ବଂଶ)

ବୈଷୟିକ ନାମ – Aloe Vera Lin.

 

ଭାରତୀୟ ନାମ –

ଓଡ଼ିଆ – ଘିକକୁଆଁରୀ

ହିନ୍ଦୀ – ଘୃତକୁମାରୀ

ବଙ୍ଗଳା – ଘୃତକୁମାରୀ

ସଂସ୍କୃତ – ଘୃତକୁମାରୀ

 

ଏଥିରେ ୟାଲୋୟାନ ନାମକ ଏକ ରାସାୟନିକ ପଦାର୍ଥ ବହୁ ପରିମାଣରେ ଥାଏ । ତେଣୁ ଏହା ନାନା ଦରକାରୀ ଔଷଧରେ ବ୍ୟବହୃତ ହୁଏ।

 

ଗଛର ବର୍ଣ୍ଣନା – ଏହା ଏକବୀଜପତ୍ରୀ ଉଦ୍ଭିଦର ଅନ୍ତର୍ଗତ ଏବଂ ଲିଲି ବଂଶରେ ରଖାଯାଇଛି । ଘିକୁଆଁରୀ ଏକ କ୍ଷୁପ ଜାତୀୟ ବହୁବାର୍ଷିକ ଉଦ୍ଭିଦ । କାଣ୍ଡ ଧାବକ କନ୍ଦଜାତୀୟ ଓ ମାଟିତଳେ ଅଧିକ ଅଂଶ ଥାଏ । କିଛି ଅଂଶ  ଉପରକୁ ବାହାରି ଆସିଥାଏ ଓ ମାଟି ଉପରେ ମାଂସଳ ପତ୍ରମାନ ବାହାରେ ପତ୍ରଗୁଡ଼ିକ ଖୁବ୍ ମୋଟା ଓ ସେଥିରେ ବହୁତ କ୍ଲେଦ ବା ମିଉସିଲେଜ ଥାଏ । ଏହି ଅଠାଜାତୀୟ କ୍ଲେଦ ଔଷଧ୍ୟରେ ବ୍ୟବହୃତ ହୁଏ । ପତ୍ରଗୁଡ଼ିକର କଣ୍ଟକିତ ଧାର ଥାଏ ଓ ତାହାର ଅଗ୍ରଭାଗ ସୂକ୍ଷ୍ମ । ପତ୍ରଗୁଡ଼ିକର ଜଳଧାରଣ କରିବାର ଶକ୍ତି ଥିବାରୁ ଏହା ମରୁଉଦ୍ଭିଦ ଅଟେ । ବିନା ପାଣିରେ ବହୁଦିନ ବଞ୍ଚିପାରେ । ପତ୍ରକକ୍ଷରୁ ଲମ୍ବ ଅସୀମ ସ୍ତବକ ବାହାରେ । ଫୁଲଗୁଡ଼ିକ ଧଳାମିଶା ହଳଦିଆ ଓ ଲମ୍ବାକାର ଅଟେ । ପ୍ରତ୍ୟେକ ଫୁଲର ଛଅଗୋଟି ପରିଦଳ (Perianth) ଥାଏ । ବୃତି ଓ ଦଳରେ ଏହା ଅଲଗା ହୋଇ ନଥାଏ । ସବୁଗୁଡ଼ିକ ଏକାପରି ଓ ଦୁଇଧାଡ଼ିରେ ଥାଏ । ପରିଦଳ ଭିତରକୁ ଛଅଟି ପୁଂକେଶର ମଧ୍ୟ ଦୁଇଧାଡ଼ିରେ ଥାଆନ୍ତି । ଭିତରେ ତିନିଫଳିକା ବିଶିଷ୍ଟ ଗର୍ଭକେଶର ଥାଏ । ଏହି ପ୍ରକାର ଫୁଲ ସାଧାରଣତଃ ଏକବୀଜପତ୍ରୀମାନଙ୍କରେ ଦେଖାଯାଏ । ମଞ୍ଜିଗୁଡ଼ିକ ଗୋଲ ଗୋଲ ଓ ସବୁଜ ରଙ୍ଗର ଅଟନ୍ତି ।

 

ଔଷଧି ଓ ଅନ୍ୟାନ୍ୟ ଗୁଣ - ଘିକୁଆଁରୀର ବ୍ୟବହାର ପ୍ରଥମେ ଆରବ ଦେଶରେ ହୋଇଥିଲା । ପରେ ତାହା ଭାରତକୁ ଆସିଛି । ଘିକୁଆଁରୀ ଜୁଲାପ ବା ଝାଡ଼ାକାରୀ ହିସାବରେ ବ୍ୟବହୃତ ହୁଏ । ପତ୍ରରେ ଥିବା କ୍ଲେଦ (Mucilage)କୁ ଶୁଖାଇ ଏକପ୍ରକାର ଅଠା ପ୍ରସ୍ତୁତ କରାଯାଏ । ଏହି ଅଠାକୁ ଔଷଧରେ ବ୍ୟବହାର କରାଯାଏ । ଏହା କୋଷ୍ଠକାଠିନ୍ୟରେ ବ୍ୟବହାର କଲାବେଳେ ସାବଧାନତା ଅବଲମ୍ବନ ଓ ଚିକିତ୍ସକଙ୍କ ମତାମତ ଗ୍ରହଣ କରିବା ଉଚିତ । ନଚେତ୍ ବିପରୀତ ଫଳ ହୁଏ ।

 

ଏହା ମଧ୍ୟ ନାନା ଜ୍ୱରର ଉପସର୍ଗ କମାଇବାରେ ସାହାଯ୍ୟ କରେ । ଶ୍ଵାସରୋଗ ଓ କୁଷ୍ଠରୋଗରେ ମଧ୍ୟ ଏହା ବ୍ୟବହାର କରାଯାଇଥାଏ । ଅଧିକ ପିତ୍ତ ହେଲେ ଓ ଆମାଶୟ ରୋଗରେ ଏହାର ବ୍ୟବହାର କରାଯାଏ । ସାଧାରଣତଃ ଏହି ଗଛର ଫୁଲ ଆମାଶୟ ଓ ପିରାଧ୍ୟାକ୍ୟରେ ବ୍ୟବହୃତ ହୋଇଥାଏ । ମୁଣ୍ଡବ୍ୟଥାରେ ମଧ୍ୟ ଘିକୁଆଁରୀ ପତ୍ରର ରସ ଘଷିଲେ ମୁଣ୍ଡବ୍ୟଥା ଦୂର ହୁଏ । ନାନା ସ୍ତ୍ରୀରୋଗରେ ମଧ୍ୟ ଏହା ବ୍ୟବହାର କରାଯାଏ । ସଜପତ୍ର କାଟି ତା'ର ରସକୁ ଶୁଖାଇ ଔଷଧ୍ୟରେ ବ୍ୟବହାର କରାଯାଏ ।

 

ରୁଞ୍ଜ ବା ରତି

(Abrus)

 

ଅନ୍ୟନାମ – କାଇଁଚ

ବଂଶ - Papilionaceae (Leguminosas)ଶିମ୍ବ ବଂଶ

ବୈଷୟିକ ନାମ – Abrus Precatorius Linn

 

ଭାରତୀୟ ନାମ –

ହିନ୍ଦୀ – କୁଞ୍ଚ, ରତି

ଓଡ଼ିଆ – ଗୁଞ୍ଜ ବା ରତି

ସଂସ୍କୃତ – କୁଞ୍ଚ

ବଙ୍ଗଳା – କୁଞ୍ଚ

 

ଗଛର ବର୍ଣ୍ଣନା - ଏହା ଶିମ୍ବିବଂଶର ଏକ ଲତା । ଏହି ଗଛର ମଞ୍ଜି ଅତି ସୁନ୍ଦର । ପ୍ରାୟ ସମସ୍ତେ ରତି ବୋଲି କହନ୍ତି । କାଇଁଞ୍ଚର ବର୍ଣ୍ଣନା ପୁରାଣରେ ମଧ୍ୟ ଅଛି । ଏହାକୁ ମାଳ କରି ଅନେକେ ପିନ୍ଧନ୍ତି । ବହୁକାଳରୁ ଭାରତୀୟ ସ୍ଵର୍ଣ୍ଣକାରମାନେ ରତିରେ ସୁନା ଓଜନ କରନ୍ତି । ବୋଧହୁଏ ରତିର ମଞ୍ଜି ପାଚିଗଲେ ଏକ ନିର୍ଦ୍ଦିଷ୍ଟ ଓଜନକୁ ଆସେ ବୋଲି ଏହାର ବ୍ୟବହାର କରାଯାଇଥିଲା । ଆଜି ପର୍ଯ୍ୟନ୍ତ ମଧ୍ୟ ଏହା ଚଳୁଛି । ଜାଭା, ସୁମାତ୍ରା ଓ ମାଲୟରେ ମଧ୍ୟ ଏହିପରି ରତି ବ୍ୟବହାର ସୁନା ଓଜନବେଳେ କରାଯାଏ । ଭାରତୀୟ ମାନ ଅନୁସାରେ ଏକ ରତିର ଓଜନ ୧.୭୫ ଗ୍ରେନ । ଏ ଗଛର ଗ୍ରୀକ୍ ଭାଷାରେ ନାମକରଣ ହୋଇଛି । ତେଣୁ ବୈଷୟିକ ନାମ Abrus precatorius Linn. ରଖାଯାଇଛି । ଏହି ନାମ ପୃଥିବୀରେ ସର୍ବତ୍ର ଚଳୁଛି । ଗ୍ରୀକ୍ ଭାଷାରେ ଆକ୍ରସ୍ (Abrus)ର ଅର୍ଥ ସୁନ୍ଦର । ଭାରତରେ ରତିଗଛର ନାମ ଭିନ୍ନ ଭିନ୍ନ । ତଥାପି ‘ରତି’ ବୋଲି ସର୍ବତ୍ର କହନ୍ତି ।

 

ଏହି ଲତା ବହୁବାର୍ଷିକ ଅଟେ । ପତ୍ରଗୁଡ଼ିକ ଯୌଗିକ ଓ ସଜନାପତ୍ର ପରି ଅଟେ । ଏହାର ଫୁଲ ଫୁଟିଲେ ବଡ଼ ସୁନ୍ଦର ଦେଖାଯାଏ । ସ୍ତବକ ସସୀମ ଅଟେ । ଫୁଲଗୁଡ଼ିକ ଛୋଟ ଛୋଟ ଶିମ୍ବଫୁଲ ପରି । ରଙ୍ଗ ସାମାନ୍ୟ ଲାଲ ବା ଗୋଲାପୀ । ଫୁଲରେ ପାଞ୍ଚଟି ବୃତି ଓ ପାଞ୍ଚୋଟି ଦଳ ଥାଏ । ପୁଂକେଶର ଦଶଟି ଥାଏ । ଗର୍ଭକେଶରରେ ଗୋଟିଏ ଫଳିକା ଥାଏ । ମଞ୍ଜିଗୁଡ଼ିକ ଧାରୀୟଭାବେ ସଜାଇ ହୋଇ ରହିଥାଆନ୍ତି । ଏଗୁଡ଼ିକ ଗୋଲ ଓ ଲାଲ ରଙ୍ଗର ଓ ଏହା ଉପରେ ଗୋଟିଏ କଳା ଟୋପା ଥାଏ । ତେଣୁ ଏହି ମଞ୍ଜି ଖୁବ୍ ସୁନ୍ଦର ଦେଖାଯାଏ ।

 

ଏହି ଗଛର ଚେର ଖୁବ୍‌ ଶକ୍ତ । ଚେରର ବକଳ ପାତଳ । କାଠର ରଙ୍ଗ ଧଳା । ଚେର ଚୋବେଇଲେ ପ୍ରଥମେ ପିତା ଲାଗେ ଓ ପରେ ମିଠା ଲାଗେ ।

 

ଔଷଧି ଓ ଅନ୍ୟାନ୍ୟ ଗୁଣ - ରତିଗଛର ବିଭିନ୍ନ ଅଂଶକୁ ବହୁ ପୁରାକାଳରୁ ଔଷଧ ଭାବେ ବ୍ୟବହୃତ ହୋଇଆସୁଛି । ସର୍ଦ୍ଦି ଓ କାଶରେ ଯଷ୍ଟିମଧୁ ବଦଳରେ ଏହାର ଚେର ବ୍ୟବହୃତ ହୁଏ । ଗଳା ବସିଗଲେ ଏହି ଚେର ଯଷ୍ଟିମଧୁ ପରି ଚୋବାଇ ଖାଇଲେ ଗଳା ଭଲ ହୁଏ । କୁଞ୍ଚି ବା ରତିମଞ୍ଜିର ନାନା ଔଷଧଭାବେ ବ୍ୟବହାର ଅଛି । ଏହି ମଞ୍ଜିରୁ ‘ଆବ୍ରିନ’ ନାମକ ଏକ ଉପକ୍ଷାର ବାହାରେ । ଏହା ପରିମାଣ ଅନୁସାରେ ଖାଇଲେ ନାନା ପ୍ରକାର ସ୍ନାୟୁଜନିତ ରୋଗର ଉପଶମ ହୁଏ । ଏହା ବ୍ୟତୀତ ଏହି ମଞ୍ଜିର ଗୁଣ୍ଡ ମୁଣ୍ଡରେ ଘଷିଲେ କେଶର ଶ୍ରୀବୃଦ୍ଧି ହୁଏ । କେଶ ସୁନ୍ଦର ହୁଏ ଏବଂ କେଶ ମୋଟେ ଝଡ଼େ ନାହିଁ ।

 

ଅନେକ ସ୍ଥାନରେ ଏହାର କଞ୍ଚାମଞ୍ଜିକୁ ସିଝାଇ ଖିଆଯାଏ । ଆଦିବାସୀମାନେ ଏହାକୁ ଅନେକ ସମୟରେ ପ୍ରଧାନ ଖାଦ୍ୟଭାବେ ଖାଆନ୍ତି । ମଞ୍ଜିରେ ଥିବା ଉପକ୍ଷାର ଆବ୍ରିନ’ର ବିଷକ୍ରିୟା ଅଛି । ପାଣିରେ ସିଝିଗଲେ ବିଷକ୍ରିୟା ନଷ୍ଟ ହୁଏ।

 

ଏହାକୁ ଜୁଲାପ ହିସାବରେ ମଧ୍ୟ କୋଷ୍ଠକାଠିନ୍ୟରେ ବ୍ୟବହାର କରାଯାଏ । ମଞ୍ଜିକୁ ସିଝାଇ ପରେ ଜୁଲାପ ହିସାବରେ ବ୍ୟବହାର କରାଯାଇପାରେ । ଏହି ମଞ୍ଜିକୁ ନ ସିଝାଇ ଖାଇଲେ ଅନେକ ସମୟରେ ଗର୍ଭିଣୀ ସ୍ତ୍ରୀଲୋକମାନଙ୍କର ଗର୍ଭପାତ ହୁଏ । ତେଣୁ ଏଥିପ୍ରତି ସାବଧାନ ରହିବାକୁ ହେବ । କୁଷ୍ଠରୋଗରେ ମଧ୍ୟ ଏହି ମଞ୍ଜି ସାବଧାନତା ସହକାରେ ବ୍ୟବହାର କରାଯାଏ ।

 

ବିସ୍ତୃତି - ଏହି ଲତା ପ୍ରାୟ ସର୍ବତ୍ର ଭାରତରେ ଓ ଗ୍ରୀଷ୍ମମଣ୍ଡଳୀୟ ଦେଶମାନଙ୍କରେ ହୁଏ । ଏକହଜାର ମିଟର ଉଚ୍ଚତା ପର୍ଯ୍ୟନ୍ତ ସ୍ଥାନରେ ଏହି ଲତା ଦେଖାଯାଏ ।

 

ଚିତାମୂଳ ବା ଚିତା

 

ବଂଶ – Plumbaginaceae

ବୈଷୟିକ ନାମ – Plumbago zeylanica (ଧଳା ଚିତା)

 

ଭାରତୀୟ ନାମ -

ହିନ୍ଦୀ – ଚିତା

ଓଡ଼ିଆ - ଧଳା ଚିତା

ବଙ୍ଗଳା - ଚିତାମୂଲ, ଚିତା

 

ସଂସ୍କୃତ - ଚିତ୍ର, ଚିତ୍ରକ, କୃଷ୍ଣବର୍ଣ୍ଣ, ଜାତବେଦା, ଶାର୍ଦ୍ଦୂଳ, ସପ୍ତାର୍ଟ୍ଟି, ଅଗ୍ନି, ଦାରୁଣ, ଜ୍ୟୋତିଷ, ହିରଣ୍ୟରେତା, ଶମ୍ବର, ଶୂର, ଦାହକ, ଉଷଣ, ଦାରୁଣ, ପାବକ, ଚିତ୍ରାଙ୍ଗ, କୃଶାନୁ, ହିମାରାତି

 

ତେଲୁଗୁ – ଚିତ୍ରମୁଲଗୁ

 

ଗଛର ବର୍ଣ୍ଣନା - ଏହା ଏକ ପ୍ରକାର ଗୁଳ୍ମ ଓ ବହୁବାର୍ଷିକ ଅଟେ । ଫୁଲର ରଙ୍ଗଭେଦରେ ତିନିପ୍ରକାରର ଚିତାମୂଳ ଅଛି । ଧଳା ଫୁଲ ହେଉଥିବା ଗଛକୁ ଧଳାଚିତା, ଲାଲ ଫୁଲ ହେଉଥିବା ଗଛକୁ ଲାଲଚିତା ଓ ନେଳୀ ଫୁଲ ହେଉଥିବା ଗଛକୁ ନେଳୀ ଚିତା କହନ୍ତି । ଧଳାଚିତା ଔଷଧରେ ବେଶୀ କାମ ଦିଏ । ଧଳାଚିତାର ପତ୍ରର ଶିରା ମଧ୍ୟ ଧଳା ଓ ଲାଲଚିତାର ପତ୍ରର ଶିରା ଅଳ୍ପ ଲାଲ । ନେଳୀ ଚିତା ପତ୍ରର ଶିରା ଗାଢ଼ ସବୁଜ ବର୍ଣ୍ଣର ଅଟେ । ଧଳା ଚିତା ବହୁତ ସ୍ଥାନରେ ଦେଖାଯାଏ । ଲାଲ ଓ ନେଳୀ ଚିତା ଅଳ୍ପ ସ୍ଥାନରେ ଦେଖାଯାଏ ।

 

ଗଛଟି ଶାଖାୟିତ । ଏହା ବୁଦାଜାତୀୟ ଅଟେ । ପତ୍ରଗୁଡ଼ିକ ଅଣ୍ଡାକାର । ପତ୍ରର ଧାର ସରଳ । ଅଗ୍ରଭାଗ ସ୍ଥୂଳ ଅଟେ । ଶିରାଗୁଡ଼ିକ ସ୍ପଷ୍ଟ । ଡେମ୍ଫ ପତ୍ରର ଥାଏ । ସ୍ତବକ ଅସୀମ । ପ୍ରତ୍ୟେକ ଫୁଲର ବୃତି ଉପରେ ଅଠାଳିଆ ଗ୍ରନ୍ଥି ଥାଏ । ଏହା ଏହି ବଂଶର ଚିହ୍ନ । ତେଣୁ ଫୁଲକୁ ଧରିଲେ ହାତରେ ଅଠା ଲାଗିଯାଏ । ପାଞ୍ଚଟି ବୃତି ଲାଗି ଲାଗି ଥା’ନ୍ତି । ପାଞ୍ଚଟି ଦଳ ନଳୀ ଗଠନ କରି ତଳେ ଲାଗିଯାଇଥାନ୍ତି । ଫୁଲଗୁଡ଼ିକ ପେନ୍ଥା ପେନ୍ଥା ହୋଇ ସୁନ୍ଦର ଦିଶନ୍ତି । ସେଥିପାଇଁ ଏଗୁଡ଼ିକ ବଗିଚାରେ ଲଗାଯାଏ ।

 

ବିସ୍ତୃତି - ଏହା ସାଧାରଣତଃ ପାହାଡ଼ ଓ ଜଙ୍ଗଲରେ ହୁଏ । ଏହାର ସୁନ୍ଦର ଫୁଲ ଓ ଉପକାରୀ ଗୁଣପାଇଁ ଏହାକୁ ବାଡ଼ିବଗିଚା ଓ ଔଷଧ ଉଦ୍ୟାନରେ ମଧ୍ୟ ଲଗାଯାଇଥାଏ । ଏହା ଏବେ କେତେକ ସ୍ଥାନରେ ଚାଷ କରାଯାଉଛି ।

 

ଔଷଧିଗୁଣ - ରକ୍ତଚିତା ଶ୍ୱେତଚିତା ଅପେକ୍ଷା ଅଧିକ ବିଷାକ୍ତ ଓ ନୀଳଚିତାର ପ୍ରାୟ ବିଷ ନାହିଁ । ତେଣୁ ଶ୍ଵେତବିତାର ଆଦର ବେଶୀ । ନୀଳଚିତା ମଧ୍ୟ ଅଳ୍ପ ପରିମାଣରେ ମିଳେ । ତେଣୁ ନୀଳଚିତା ବା ରକ୍ତଚିତାର ବେଶୀ ବ୍ୟବହାର ନାହିଁ ।

 

ଏହା କଟୁବିପାକ, ଉଷ୍ଣବୀର୍ଯ୍ୟ, ପାଚକ, ବିରେଚକ, ଲଘୁପାକ ଓ ଅଗ୍ନିବର୍ଷକ । ଆହୁରି ମଧ୍ୟ ଏହା ବାତଶ୍ଳେଷ୍ମ, ଶୀତପିତ୍ତ, ଧବଳ କୁଷ୍ଠ, କୁଷ୍ଠ, ଶ୍ଳେଷ୍ମପିତ୍ତ, କୃମି, ଶୋଥ, ଅର୍ଶ, କାଶ, ଗୁଳ୍ମ, ଗ୍ରହଣୀ ଓ ତୃଷ୍ଣାରୋଗ ନିବାରକ ଅଟେ ।

 

ଏହି ଗଛର ଚେରକୁ ଔଷଧରେ ବ୍ୟବହାର କରାଯାଏ । ଚେରଗୁଡ଼ିକ ମାଂସଳ ଓ ମୋଟା ହୋଇଥାଏ । ଏହାର ରସକୁ ଔଷଧରେ ବ୍ୟବହାର କରାଯାଏ ।

 

ଚିତାମୂଳରୁ ଅଳ୍ପ ପରିମାଣରେ ନେଇ ଉଷ୍ଣଜଳ ସହିତ ମହୁ ମିଶାଇ ସେବନ କରାଇଲେ ପ୍ରସବ-ଯନ୍ତ୍ରଣା ଅନୁଭବ କରୁଥିବା ସ୍ତ୍ରୀର ଶୀଘ୍ର ପ୍ରସବ ହୁଏ ।

 

ଗାଈଦୁଧ ସଙ୍ଗେ ଧଳାଚିତା ମୂଳ ଅଳ୍ପ ମିଶାଇ ତିନିଦିନ ପର୍ଯ୍ୟନ୍ତ ଖାଇଲେ ଦେହ ନୀରୋଗ

ରହେ ।

 

ଧଳାଚିତା ମୂଳକୁ ଜଳରେ ବାଟି ଧବଳ ଛଉ ଉପରେ ବୋଳିଲେ କିଛିଦିନ ପରେ ଧବଳ ଛଉ ଭଲ ହୁଏ ।

 

ଧଳାଚିତା ମୂଳ ଚୂର୍ଣ୍ଣକରି ଗରମ ପାଣିରେ ଖାଇଲେ ଅଜୀର୍ଣ୍ଣ, ଅଗ୍ନିମାନ୍ଦ୍ୟ, ଅର୍ଶ, କ୍ଷତ, ଶୂଳ, ଉଦରୀ ଆଦି ରୋଗ ଆରୋଗ୍ୟ ହୁଏ ।

 

ସଦାବିହାରୀ ବା ଆଇଁଷକାତି

(Vinca)

 

ବଂଶ – Apocynaceae ବା ଟଗର ବଂଶ

ବୈଷୟିକ ନାମ – Vinca rosea

 

ଭାରତୀୟ ନାମ –

ଓଡ଼ିଆ - ସଦାବିହାରୀ, ଆଇଁଷକାତି

ବଙ୍ଗଳା - ସଦାବିହାରୀ

ସଂସ୍କୃତ – ସଦାବିହାରୀ

ଗଛର ବର୍ଣ୍ଣନା – ଏହା

-

ବହୁବାର୍ଷିକ କ୍ଷୁପଜାତୀୟ ଉଦ୍ଭିଦ ଅଟେ । କାଣ୍ଡ ଶାଖାୟିତ । ସାଧାରଣତଃ ବାଲି ଜାଗାରେ ହୁଏ । ଏହା ମରୁଉଭିଦ ଜାତୀୟ ଅଟେ । ଅଳ୍ପ ପାଣି ଆବଶ୍ୟକ କରେ । ପତ୍ରବିନ୍ୟାସ ସମ୍ମୁଖୀ ବା ଏକାନ୍ତର । ପତ୍ରର ଶିରାବିନ୍ୟାସ ଜାଲ ଶିରାବିନ୍ୟାସ । ଏହା ଏଣେତେଣେ ହୋଇଥାଏ । ସୁନ୍ଦର ଫୁଲପାଇଁ ଏହାକୁ ବଗିଚାରେ ଲଗାଯାଏ । ଫୁଲ ବର୍ଷସାରା ଫୁଟେ । ଏକପ୍ରକାର ଗଛରେ ଧଳା ରଙ୍ଗର ଫୁଲ ହୁଏ ଓ ଅନ୍ୟ ଏକ ପ୍ରକାର ଗଛରେ ଗୋଲାପୀ ରଙ୍ଗର ଫୁଲ ହୁଏ । ଅନେକ ସମୟରେ ଏହା ଲଟାଇ ମାଡ଼େ । ଫୁଲଗୁଡ଼ିକ ଗୋଟିଗୋଟିକିଆ ହୋଇ ପତ୍ରକକ୍ଷରେ ହୁଏ । ଅନେକ ସମୟରେ ସସୀମ ସ୍ତବକ ଥାଏ । ପତ୍ର ମୋଟା ଓ ପର୍ଣ୍ଣିକା ନ ଥାଏ। ପତ୍ରଗୁଡ଼ିକ ସରଳ । ପତ୍ର ଅଗ୍ରଭାଗ ସ୍ଥୂଳ ଓ ଧାର ସରଳ। ବୃନ୍ତ ବା ଡେମ୍ଫ ଛୋଟ ।

 

ଫୁଲଗୁଡ଼ିକ ଟଗରଫୁଲ ପରି । ବୃତି ଲାଗି ଲାଗି ଥାଆନ୍ତି ଓ ପାଖୁଡ଼ା ତଳେ ମିଶି ଏକ ନଳିକା କରିଥାଆନ୍ତି । ପୁଂକେଶର ପାଞ୍ଚଗୋଟି ଅଟେ । ଗର୍ଭକେଶରରେ ଦୁଇଟି ଫଳିକା (Carpel) ଥାଏ । ଭିତରେ ଛୋଟ ଛୋଟ ମଞ୍ଜି ଥାଏ । ଫଳଗୁଡ଼ିକ ଶୁଖିଗଲେ ଫାଟି

ପଡ଼ିଯାଏ ।

 

ବିସ୍ତୃତି- ଏହା ପ୍ରାୟ ସମୁଦ୍ରକୂଳିଆ ଜାଗାରେ ହୁଏ । ପୁରୀ ସମୁଦ୍ରକୂଳରେ ବହୁତ ଦେଖାଯାଏ । ବାଡ଼ି ବଗିଚାରେ ମଧ୍ୟ ଏହା ଥାଏ । ଭୂଇଁ ଉପରେ ଲଟାଇ ମାଡ଼େ ।

 

ଔଷଧିଗୁଣ- ଏହାର ବହୁ ଔଷଧିଗୁଣ ଅଛି । ସଦାବିହାରୀ ପତ୍ର ଓ ଗଛର ରସ ହୃଦ୍‌ରୋଗପାଇଁ ନିତାନ୍ତ ଦରକାର । ଏହା ଅଭ୍ୟାସ କରି କିଛି କିଛି ପ୍ରତିଦିନ ଖାଇଲେ ହୃଦ୍‌ରୋଗ ହୁଏ ନାହିଁ । ରକ୍ତସଞ୍ଚାଳନ ସ୍ଵାଭାବିକ ହୁଏ । ଏହା ମଧ୍ୟ ଗର୍ଭନିରୋଧକଭାବେ ବ୍ୟବହାର କରାଯାଏ । କଟା ଘା’ ଓ ପୋଡ଼ା ଘା’ରେ ମଧ୍ୟ ଏହି ରସ ଦେଲେ ଘା’ ଭଲ ହୁଏ ।

ଆଜିକାଲି ଏଥିରୁ ବାହାରୁଥିବା ଉପକ୍ଷାର (Alkaloid) ନାନା ଔଷଧିରେ ବ୍ୟବହୃତ ହେଉଛି । ବିଦେଶରେ ଔଷଧ ପ୍ରସ୍ତୁତିପାଇଁ ବହୁ ସଦାବିହାରୀ ଗଛ ବିଦେଶକୁ ମଧ୍ୟ ରପ୍ତାନୀ ହୁଏ । ଏଥିରେ ଥିବା ଉପକ୍ଷାର ହେଲା ରିସରପିନ୍, ସରବିନ୍‌ଟାଇନ୍ ଓ ଅଜମାଲିସିନ୍ । ଏହି ଉପକ୍ଷାରର ଶାମକ (Scdative) ଗୁଣ ଅଛି । ତେଣୁ ଏହା ରୋଗୀକୁ ନିସ୍ତେଜ କରିଦିଏ । ମଧୁମେହ ରୋଗରେ ଏହା ବ୍ୟବହାର କରାଯାଏ । ଏହା ପେଶୀମାନଙ୍କୁ ବିଶ୍ରାମ ଦିଏ ଓ ସ୍ନାୟୁକେନ୍ଦ୍ରକୁ ମଧ୍ୟ ଅବନମନ (Depression) କରାଏ । ଏହାର ଚେର ନାନା ଟନିକ୍‌ରେ ବ୍ୟବହୃତ ହୁଏ । ଜଠରର ନାନା ରୋଗରେ ଏହା ବ୍ୟବହୃତ ହୁଏ । ଏହାର ପତ୍ରରୁ ମଧ୍ୟ ଔଷଧ ହୁଏ ।

 

ଗଙ୍ଗଶିଉଳି

 

ବଂଶ – Obaceae

ବୈଷୟିକ ନାମ – Nyetaethes abortristis Lin.

ଭାରତୀୟ ନାମ –

ହିନ୍ଦୀ – ହରସିଙ୍ଗାର, ପାରିଜାତ

ଓଡ଼ିଆ – ଗଙ୍ଗଶିଉଳି, ଶିଙ୍ଗଡ଼ାହାର

ବଙ୍ଗଳା – ଶେଫାଳି

 

ଗଛର ବର୍ଣ୍ଣନା- ଏହା ଏକ ମଧ୍ୟମ ଧରଣର ଗଛ । ବହୁଦିନ ପର୍ଯ୍ୟନ୍ତ ଏହା ବଞ୍ଚେ । ଶରତ୍ ଋତୁରେ ଫୁଲ ଫୁଟେ । ପତ୍ରଗୁଡ଼ିକ ଚିରହରିତ୍‌ । ଗଛଟି ଶାଖାୟିତ । ପତ୍ରଗୁଡ଼ିକ ସରଳ । ହୃଦୟାକାର । ଅଗ୍ରଭାଗ ସୂକ୍ଷ୍ମ ଓ ପତ୍ରଧାର ଈଷତ୍ ଦନ୍ତୁରିତ । ପତ୍ରବିନ୍ୟାସ ସମ୍ମୁଖୀ ଓ ଚତୁଷ୍କୋଣୀ-। ଏକ ଶିରାଳ ଜାଲ ଶିରାବିନ୍ୟାସ ଅଟେ । ପୁଷ୍ପସ୍ତବକ ସସୀମ । ଫୁଲରେ ପାଞ୍ଚଗୋଟି ବୃତି ଓ ପାଞ୍ଚଗୋଟି ଦଳ ଥାଏ । ଦଳ ବା ପାଖୁଡ଼ା ତଳେ ଲାଗିଯାଇ ଏକ ନଳିକା ହୋଇଥାଏ । ଉପରକୁ ପାଞ୍ଚ ଭାଗ ବା ସ୍ଥଳବିଶେଷରେ ଛଅଭାଗ ହୋଇଥାଏ । ଫୁଲର ରଙ୍ଗ ଧଳା-। ନଳିକାଟି ଲାଲରଙ୍ଗର ହୋଇଥାଏ । ଏଥିରୁ ଏକ ରଙ୍ଗ ବାହାରେ । ପୁଂକେଶର ଦୁଇଟି ଥାଏ ଓ ଏହା ଦଳମଣ୍ଡଳରେ ଲାଗିଥାଏ । ଗର୍ଭକେଶରଟି ଦ୍ୱି-ଫଳିକା ଦ୍ୱାରା ଗଠିତ । ଫଳଟି ଚେଷ୍ଟା ଅଟେ ।

 

ବିସ୍ତୃତି - ଏହି ଗଛ ଭାରତର ସର୍ବତ୍ର ହୁଏ । ସୁବାସପାଇଁ ଏହା ଆଦୃତ । ଫୁଲ ରାତିରେ ଫୁଟେ ଓ ସକାଳେ ଝଡ଼ିଯାଏ । ଅଗଷ୍ଟ ମାସରୁ ନଭେମ୍ବର ମାସଯାଏ ଫୁଲ ଫୁଟେ ।

 

ଔଷଧି ଓ ଅନ୍ୟାନ୍ୟ ଗୁଣ- ଏହାର ଚେର, ପତ୍ର ଓ ଡାଳ ଔଷଧରେ ବ୍ୟବହୃତ ହୁଏ । ଫୁଲରୁ ଏକ ପ୍ରକାର ରଙ୍ଗ ବାହାରେ । ଜ୍ଵର ରୋଗ ବିଶେଷତଃ ମ୍ୟାଲେରିଆ ଜ୍ଵରରେ ଏହାର ପତ୍ରର ରସ ଅବ୍ୟର୍ଥ । ପୁରାତନ ଜ୍ଵରରେ ବା ମ୍ୟାଲେରିଆ ଜ୍ଵରରେ ଏହା ପରୀକ୍ଷିତ । ଏହା କଷାୟ ଓ ସାମାନ୍ୟ ତିକ୍ତ । ପତ୍ରରସକୁ ଗରମ କରି ଅଭ୍ୟାସ କରି ଅନ୍ତତଃ ଏକ ସପ୍ତାହ ଦିନକୁ ଥରେ ଲେଖାଏଁ ଖାଇଲେ ଜ୍ଵର ଶୀଘ୍ର ଉପଶମ ହୁଏ । କୀର୍ତ୍ତିକାର ଓ ବସୁ ତାଙ୍କ ଭାରତୀୟ ‘‘Medicinal Flash’’ରେ ଏକଥା ଲେଖିଛନ୍ତି । ବହୁ ଲୋକ ଅନ୍ୟ ଔଷଧ ନ ଖାଇ ଏହି ପତ୍ରରସ ଖାଇ ଜ୍ୱରମୁକ୍ତ ହୋଇଛନ୍ତି ।

 

ଏହା ବ୍ୟତୀତ ଚେର, କାଠ ଓ ଫୁଲର ମଧ୍ୟ ନାନା ଉପକାରୀ ଗୁଣ ଅଛି । ଏହି ଚିରହରିତ୍‌ ଗଛଟି ଘରର ଶ୍ରୀବୃଦ୍ଧି କରାଏ ବୋଲି ସାଧାରଣ ଲୋକଙ୍କର ବିଶ୍ଵାସ ।

 

ରାସନା

(Orchid) ଅର୍କିଡ଼୍‌

 

ବଂଶ – Orchidaceae ସାଧାରଣ ରାସ୍ନାର

ବୈଷୟିକ ନାମ – Vanda Roxburghii

 

ଭାରତୀୟ ନାମ –

ଓଡ଼ିଆ – ରାସ୍ନା

ହିନ୍ଦୀ – ରହସନୀ ଓ ରସନ୍‌

ବଙ୍ଗଳା – ରାସ୍ନା

ସଂସ୍କୃତ – ନାକୁଳୀ, ସୁରସା, ସୁଗନ୍ଧା, ଗନ୍ଧସାକୁଳୀ, ଏଳାପର୍ଣ୍ଣୀ, ସୁବହା, ରସନା, ରସା ଆଦି

ତେଲୁଗୁ - ରସନା ଗୁଡ଼୍‌କା

 

ନାନାପ୍ରକାରର ରାସନା ଗଛ ଅଛି । ଓଡ଼ିଶାରେ ସାଧାରଣତଃ ମଲାଙ୍ଗ ଭାବେ ଆମ୍ବ ଆଦି ଗଛ ଉପରେ ବଢ଼ୁଥିବା Vanda (ଭାଣ୍ଡା) ଦେଖାଯାଏ । ରାସନା ଗଛ ଅନ୍ୟ ଗଛ ଉପରେ ଆଶ୍ରୟ କରି ବଢ଼େ । ଖୁବ୍ କମ୍ ଜାତିର ରାସନା ମାଟି ଉପରେ ହୁଏ । ଅନ୍ୟ ସବୁ ରାସନା ବୃକ୍ଷରୁହ ଓ ଅନ୍ୟ ବଡ଼ ଗଛ ଉପରେ ଆଶ୍ରୟ ପାଇ ରହନ୍ତି । ଶିମିଳିପାଳ ଜଙ୍ଗଲରେ ପ୍ରାୟ ସତୁରିପ୍ରକାର ଅର୍କିଡ଼ ବା ରାସନା ମିଳେ । ଭାରତର ହିମାଳୟ ଅଞ୍ଚଳ, ସିକିମ୍, ଆସାମ ପ୍ରଭୃତିରେ ଏଗୁଡ଼ିକ ଭଲ ବଢ଼ନ୍ତି ।

 

ଏହାର ବାୟବୀୟ ଚେର ପବନରେ ଝୁଲୁଥାଏ । ଏହା ସାଧାରଣତଃ ମାଟିରେ ନ ଲାଗି ପବନରେ ଝୁଲୁଥାଏ ଓ ଚେର ଉପରେ ଗୋଟିଏ ସ୍ପଞ୍ଜ୍‌ପରି ପଦାର୍ଥ ଥାଏ । ଏହା ସାହାଯ୍ୟରେ ଏହି ଚେର ବାୟୁରୁ ଜଳକଣା ସଗ୍ରହ କରି ରଖେ ଓ ଗଛକୁ ଯୋଗାଏ। ପ୍ରତ୍ୟେକ ଚେରର ଅଗଟି ସାଧାରଣତଃ ସବୁଜ ବର୍ଣ୍ଣର ଅଟନ୍ତି । ସବୁଜ ରଙ୍ଗ ଥିବାରୁ ଏମାନେ ମଧ୍ୟ ଅନ୍ୟ ଉଭିଦ ପରି ବାୟୁରୁ ଅଙ୍ଗାରକାମ୍ଳ ସଗ୍ରହ କରି ଖାଦ୍ୟପ୍ରସ୍ତୁତ କରନ୍ତି । ଏହାଛଡ଼ା କେତେକ ରାସନାଙ୍କର ମଧ୍ୟ ପତ୍ର ଥାଏ । ମଲାଙ୍ଗର ମଧ୍ୟ ପତ୍ର ଥାଏ । ଏହି ପତ୍ର ମଧ୍ୟ ଖାଦ୍ୟପ୍ରସ୍ତୁତିରେ ସାହାଯ୍ୟ କରେ । ପତ୍ରଗୁଡ଼ିକ ମୋଟା ମୋଟା । କେତେକ ରାସନାର ମୋଟେ ପତ୍ର ନ ଥାଏ। ଚେରଗୁଡ଼ିକ ଝୁଲୁଥାଏ-। ଏହା ଏକବୀଜପତ୍ନୀ ବର୍ଗର ହୋଇଥିବାରୁ ପତ୍ରଗୁଡ଼ିକ ଏକବୀଜପତ୍ରୀ ପତ୍ରପରି ଅଟେ ।

 

ଅର୍କିଡ଼ ବା ରାସନା ଫୁଲ ଅନ୍ୟ ଫୁଲମାନଙ୍କଠାରୁ ଭିନ୍ନ । ଏହାର ତିନିଗୋଟି ବୃତି ଓ ଛଅଗୋଟି ଦଳ ବା ପାଖୁଡ଼ା ଥାଏ । ଅନେକ ସମୟରେ ତିନିଗୋଟି ବୃତି ଓ ତିନିଗୋଟି ପାଖୁଡ଼ା ଥାଏ । ତିନିଗୋଟି ପାଖୁଡ଼ା ମଧ୍ୟରୁ ମଝି ପାଖୁଡ଼ାଟି ବଡ଼ ହୋଇ ନାନା ରଙ୍ଗର ହୁଏ । ମଝିରେ ପୁଂକେଶର ଛଅଗୋଟି ଥାଏ । ସେମାନଙ୍କ ମଧ୍ୟରୁ ଅନେକ ସମୟରେ ପାଞ୍ଚଗୋଟି ପାଖୁଡ଼ା ପରି ହୋଇଥାନ୍ତି । ଗର୍ଭକେଶରଟି ତ୍ରି-ଫଳିକ ହୋଇଥାଏ । ଫଳଟି ଗୋଲାକାର ବା ଲମ୍ବାଳିଆ ହୁଏ । ମଞ୍ଜିଗୁଡ଼ିକ ଅତି ଛୋଟ ଛୋଟ । ଏହାର ଅଙ୍କୁରୋଦମ ଏକ ଫିମ୍ପି ସାହାଯ୍ୟରେ ହୁଏ ।

 

ପୃଥିବୀରେ ବହୁ ପ୍ରକାରର ଅର୍କିଡ଼୍‌ ଅଛି । ଅର୍କିଡ଼୍‌ ବା ରାସନା ଫୁଲର ବିଶ୍ଵ ବଜାରରେ ଚାହିଦା ଅଧିକ । ମାଲୟ, ସିଙ୍ଗାପୁର ଆଦିର ଅର୍କିଡ଼୍ ବ୍ୟବସାୟୀମାନେ କୋଟି କୋଟି ଟଙ୍କାର ଅର୍କିଡ଼୍‌ ବ୍ୟବସାୟ କରନ୍ତି । ଆମ କେରଳରେ ମଧ୍ୟ ଏହି ବ୍ୟବସାୟ ହୁଏ । ଏହି କାରଣରୁ ଭାରତରେ ଅର୍କିଡ଼୍ ଚାଷପାଇଁ ଆଗ୍ରହ ପ୍ରକାଶ ପାଇଲାଣି ।

 

ଔଷଧିଗୁଣ- ଫୁଲ ବ୍ୟତୀତ ଏହାର ବାୟବୀୟ ଚେର ନାନା ଔଷଧିରେ ବ୍ୟବହୃତ ହୁଏ । ଏହା ତିକ୍ତରସ, ଉଷ୍ଣବୀର୍ଯ୍ୟ ଓ ଶକ୍ତିକାରକ। ଜ୍ଵର, କଫ, ଶୋଥ, ଶ୍ଵାସ, କାଶ, ଶୂଳ, ଉଦରରୋଗ, ବାୟୁଦୋଷ, ରକ୍ତଦୋଷ, ବିଷଦୋଷ, ଆମବାତ, ଆମଦୋଷ, ଗଣ୍ଠିବାତ, କଟିବାତ, ଶିରବାତ, ମେଣ୍ଢାମୁଣ୍ଡିଆ ବାତ, ଘୋଳବିନ୍ଧା ବାତ ଆଦି ନାନା ବାତରୋଗ ବିନାଶକ ଅଟେ ।

 

ରାସ୍ନାଚେରକୁ ଖରାରେ ଶୁଖାଇ ଗୁଣ୍ଡକରି ସେହି ଗୁଣ୍ଡକୁ ଔଷଧ ରୂପେ ବ୍ୟବହାର କରାଯାଏ ।

 

ରାସ୍ନାଚେରର ଗୁଣ୍ଡ ରାଶିତେଲରେ ଭିଜାଇ ତାକୁ ମୁଣ୍ଡରେ ଲଗାଇଲେ ନାନା ପ୍ରକାରର ମୁଣ୍ଡବ୍ୟଥା ଓ ବାତ ଭଲ ହୁଏ ।

 

ଆହୁରି ମଧ୍ୟ ରାସ୍ନାର ପତ୍ର ପାଣିରେ ସିଝାଇ, ସେହି ସିଝା ପାଣିରେ ଶୁଣ୍ଠିଚୂର୍ଣ୍ଣ ମିଶାଇ ମାତ୍ରା ଅନୁସାରେ ଖାଇଲେ ଆମବାତ, ଗଣ୍ଠିବାତ ଓ କଟିବାତ ଭଲ ହୁଏ ।

 

ରାସ୍ନାଚେରକୁ ଜଳରେ ସିଝାଇ ସେହି ସିଝାଜଳ ସଙ୍ଗେ ମହୁ ଦେଇ ଖାଇଲେ ସର୍ବାଙ୍ଗ ଘୋଳାବିନ୍ଧା ବାତ ଆରୋଗ୍ୟ ହୁଏ ।

 

ଏହିପରି ନାନା ବାତରୋଗରେ ଏହାର ବ୍ୟବହାର ଅଛି ।

 

ହାଡ଼ଭଙ୍ଗା

(Vitis quadrangularis Linn).

 

ବଂଶ – Vitaceae (ଅଙ୍ଗୁର ବଂଶ)

ବୈଷୟିକ ନାମ – Vitis quadrangularis Linn.

 

ଭାରତୀୟ ନାମ -

ଓଡ଼ିଆ – ହାଡ଼ଭଙ୍ଗା, ହାଡ଼ଯୋଡ଼ା, ପବଅଇରି

ହିନ୍ଦୀ – ହରଶଙ୍କରୀ, ହରଯୋଡ଼ି, ହରଶଙ୍ଖାରି

ବଙ୍ଗଳା – ହାଡ଼ଯୋଡ଼ା, ହାଡ଼ଭଙ୍ଗା

ସଂସ୍କୃତ - ବଜ୍ରାଙ୍ଗୀ, ଅସ୍ଥିଶୃଙ୍ଖଳ, ଅସ୍ଥିଯୋଜ୍ୟ, ଅସ୍ଥିସଂହାର, ଗଣ୍ଠିଅନା, ଗ୍ରନ୍ଥିମନ

ତେଲୁଗୁ – ନଲ୍ଲଦ, ନାଲ୍ଲଦ

 

ଗଛର ବର୍ଣ୍ଣନା- ଏହା ଏକ ପ୍ରକାର ଲତା । ଅନ୍ୟ ଗଛ ସାହାଯ୍ୟରେ ଉପରକୁ ମାଡ଼େ । ହାଡ଼ର ଗଣ୍ଠି ଓ ପବ ପରି ଏହାର ଗଣ୍ଠି ଓ ପବ ପରିଷ୍କାର ଦେଖାଯାଏ । ଏହା ବେଶ୍ ମୋଟା । ପତ୍ରବିନ୍ୟାସ ଏକାନ୍ତର ଅଟେ । ପତ୍ରର ବିପରୀତ ଦିଗରେ ଶାଖା ରୂପାନ୍ତରିତ ହୋଇ ଆକର୍ଷୀ (Tendril)ରେ ପରିଣତ ହୋଇ ଗଛକୁ ଅନ୍ୟ ଗଛ ଉପରେ ମାଡ଼ିବାରେ ସାହାଯ୍ୟ କରେ । କାଣ୍ଡ ମୋଟା ଓ ଚାରିକୋଣିଆ । ପତ୍ରକକ୍ଷରୁ ସ୍ତବକ ବାହାରେ । ସ୍ତବକ ସସୀମ ଓ ଫୁଲଗୁଡ଼ିକ ଛୋଟ ଛୋଟ ଓ ଧଳା ଅଟନ୍ତି । ଫୁଲଗୁଡ଼ିକରେ ଚାରୋଟି ବା ପାଞ୍ଚଟି ବୃତି ଥାଏ ଓ ସେହିପରି ଚାରିଗୋଟି ବା ପାଞ୍ଚଗୋଟି ପାଖୁଡ଼ା ଥାଏ । ପୁଂକେଶର ଚାରିଗୋଟି ବା ପାଞ୍ଚଗୋଟି ଥାଏ । ଗର୍ଭକେଶର ଏକଫଳିକ ବା ଅଧିକ ଥାଏ । ଫଳଗୁଡ଼ିକ ଛୋଟ ଛୋଟ ଓ ଗୋଲ ଗୋଲ । ମଞ୍ଜି ଅଧିକ ଥାଏ।

 

ଲତାର ଡାଳ ପବ ପବ ଭାବେ ହୋଇଥିବାରୁ ତାକୁ ଅନେକ ପବଅଇରି କହନ୍ତି । ଭାଙ୍ଗି ଯାଇଥିବା ହାଡ଼କୁ ଏହା ଯୋଡ଼ିପାରେ ବୋଲି ହାଡ଼ଯୋଡ଼ା ମଧ୍ୟ କହନ୍ତି ।

 

ଔଷଧିଗୁଣ - ହାଡ଼ଭଙ୍ଗା କଟୁତିକ୍ତ ରସ, ଭଗ୍ନସଂଯୋଜକ, କୃମିଘ୍ନ, ପାଚକ, ମଳଭେଦକ, କୃମି, ଅର୍ଶ, ଚକ୍ଷୁରୋଗ, ଭଗ୍ନସ୍ଥାନ ପୀଡ଼ା ପ୍ରଭୃତିର ନିବାରକ ଅଟେ ।

 

ଏହି ଲତାକୁ କଞ୍ଚା ବାଟି ଭାଙ୍ଗିଯାଇଥିବା ସ୍ଥାନରେ ଲେପ ଦେଲେ ଓ ତା’ଉପରେ କନା ପଟି ବାନ୍ଧିଦେଇ କିଛିଦିନ ରଖିଲେ ଭଙ୍ଗାହାଡ଼ ଯୋଡ଼ି ହୋଇଯାଏ । ଗଛର ରସ ଶୁଣ୍ଠି ଓ ସୈନ୍ଧବ ଲୁଣ ସହ ମିଶାଇ କିଛିଦିନ ଖାଇଲେ ପୁରାତନ ଆମବାତ ଭଲ ହୁଏ । ଅର୍ଶରୋଗପାଇଁ ମଧ୍ୟ ଏହାକୁ ବାଟି କଞ୍ଚା ଗାଈକ୍ଷୀର ସହ ପ୍ରତ୍ୟହ ସକାଳୁ ଖାଇଲେ କଠିନ ଓ ପୁରାତନ ଅର୍ଶରୋଗ ଭଲ ହୁଏ । ଜଳରେ ଏହି ଲତାକୁ ସିଝାଇ ସେହି କ୍ୱାଥ୍ ଜଳରେ କିଛି ପିପ୍ପଳୀ ମିଶାଇ ଖାଇଲେ କୃମି ନଷ୍ଟ ହୁଅନ୍ତି । ଗବଗଛର ମୂଳ, ବେଗୁନିଆ ପତ୍ର ଓ ହାଡ଼ଭଙ୍ଗା, ଏ ତିନିକୁ ପାଣିରେ ସିଝାଇ ସେହି ଜଳ ଉଷୁମ ଉଷୁମ କିଛିଦିନ ପିଇଲେ ଆଣ୍ଠୁଗଣ୍ଠି ଫୁଲା, ଦରଜ, ଆମବାତ, କଟିବାତ ଓ ଗଣ୍ଠିବାତ ଆଦି ଭଲ ହୁଏ ।

 

ଅପରାଜିତା

(Clitoria)

 

ବଂଶ – Papilionaceae (Leguminosae) ଶିମ୍ବୀଜାତୀୟ

ବୈଷୟିକ ନାମ – Clitoria ternatea L.

ଭାରତୀୟ ନାମ –

ଓଡ଼ିଆ – ଅପରାଜିତା ସଂସ୍କୃତ

ହିନ୍ଦୀ – ବିଷ୍ଣୁକ୍ରାନ୍ତି, ତୋୟଳ

ସଂସ୍କୃତ – ହରିକ୍ରାନ୍ତା, ବିଷ୍ଣୁକ୍ରାନ୍ତା

ବଙ୍ଗଳା – ବିଷ୍ଣୁକ୍ରାନ୍ତା

ତେଲୁଗୁ – ନୀଲଗୁଣ୍ଟୁନା

 

ଗଛର ବର୍ଣ୍ଣନା- ଏହା ଗୋଟିଏ ଲତାଜାତୀୟ ଗଛ ଅଟେ । ଅନ୍ୟ ଆଶ୍ରୟରେ ମାଡ଼େ । ଆକର୍ଷୀ (Tendril) ସାହାଯ୍ୟରେ ଏହା ମାଡ଼ିଯାଏ । ଏହା ଭାରତର ନାନା ସ୍ଥାନରେ ହୁଏ । ଅନେକ ସ୍ଥଳରେ ଅଗଛା (Weed) ହିସାବରେ ଏହା ବଢ଼େ । ବର୍ଷାଦିନେ ଅଧିକ ହୁଏ । ଏହି ଲତା ଏକବାର୍ଷିକ ବା ଦ୍ୱିବାର୍ଷିକ ହୁଏ । ଚେର ମୋଟା । ଗଛଟିର କାଣ୍ଡ ଦୁର୍ବଳ । ତେଣୁ ଲତାପରି ଅନ୍ୟ ଆଶ୍ରୟରେ ମାଡ଼େ । ଦୁଇ ପ୍ରକାରର ଅପରାଜିତା ଦେଖାଯାଏ । ଫୁଲର ରଙ୍ଗ ଅନୁସାରେ ଏହା ଧଳା ବା ନୀଳ ଅପରାଜିତା ବୋଲି କୁହାଯାଏ । ପତ୍ରଗୁଡ଼ିକ ଯୌଗିକ ଓ ଏକାନ୍ତର । ଫୁଲ ପ୍ରତି ପତ୍ରକକ୍ଷରେ ଏକୁଟିଆ ଥାଆନ୍ତି । ଫୁଲଟି ଶିମ୍ବଫୁଲ ପରି ଅଟେ । ଫୁଲ ଉଭୟଲିଙ୍ଗୀ । ବୃତି ପାଞ୍ଚଗୋଟି ଓ ଲାଗି ଲାଗି ଥାଏ । ଦଳ ବା ପାଖୁଡ଼ା ପାଞ୍ଚଗୋଟି । ଏହା ବିଭିନ୍ନ ଆକାରର । ଗୋଟିଏ ବଡ଼ ଓ ଅନ୍ୟ ଚାରୋଟି ଛୋଟ ଛୋଟ । ଫଳଗୁଡ଼ିକ କୋଳଥଛୁଇଁ ପରି ହୋଇଥାଏ । ମଞ୍ଜିଗୁଡ଼ିକ କୋଳଥ ପରି ଅଟେ ।

 

ଔଷଧି ଓ ଅନ୍ୟାନ୍ୟ ଗୁଣ- ଅପରାଜିତା କଟୁ କଷାୟ ଓ ତିକ୍ତ ରସ । ଏହା କଣ୍ଠଶୋଧକ, ମେଧାଜନକ, ବୁଦ୍ଧିକର, ସ୍ମରଣଶକ୍ତି ବର୍ଦ୍ଧକ, ଚକ୍ଷୁର ହିତକର ଓ ଜ୍ଵର, କାଶ ଆଦି ରୋଗରେ ଭଲ ଫଳ ଦିଏ । ଶୂଳ, ଆମଦୋଷ ଓ କୁଷ୍ଠ ଆଦି ରୋଗରେ ମଧ୍ୟ ଏହା ଦିଆଯାଏ ।

 

ନୀଳ (କୃଷ୍ଣ) ଅପରାଜିତା ମୂଳକୁ ଜଳରେ ବାଟି ସେଥିରେ ମହୁ ଦେଇ ପ୍ରତିଦିନ ଖାଇଲେ ସମସ୍ତପ୍ରକାର ଶୂଳ ରୋଗ ନିବାରିତ ହୁଏ । କୃଷ୍ଣ ବା ଧବଳ ଅପରାଜିତା ମଞ୍ଜି ଲହୁଣି ଓ ଶୁଣ୍ଠିଚୂର୍ଣ୍ଣ ସହିତ ଖାଇଲେ ଝାଡ଼ା ହୋଇ ପେଟ ଗୋଳମାଳ ବନ୍ଦ ହୁଏ । ନୀଳ ବା କୃଷ୍ଣ ଅପରାଜିତା ମୂଳକୁ ଜଳରେ ବାଟି ସେବନ କଲେ ସର୍ପ ଆଦି ବିଷାକ୍ତ ଜନ୍ତୁମାନଙ୍କର ବିଷ ନଷ୍ଟ ହୁଏ । ଶ୍ଵେତଅପରାଜିତା ଗଛର ସମସ୍ତ ଅଂଶକୁ ଆଣି ଜଳରେ ବାଟି ଗୁଆଘିଅ ସହିତ ମିଶାଇ ପ୍ରତିଦିନ ଦୁଇବେଳା ଖାଇଲେ ଗଳଗଣ୍ଡ, କଣ୍ଠନଳୀ ଭିତରର ରୋଗ ଅଳ୍ପ ଦିନରେ ଆରୋଗ୍ୟ ହୁଏ ।

 

ଜଟାମାଂସୀ

(Spikenard)

 

ବଂଶ - Valerianaceae

ବୈଷୟିକ ନାମ – Nardostachys Jatamansi DC.

 

ଭାରତୀୟ ନାମ –

ହିନ୍ଦୀ – ଜଟାମାଂସୀ, ଭୂତକେଶ

ଓଡ଼ିଆ - ଜଟାମାଂସୀ

ବଙ୍ଗଳା - ଜଟାମାଂସୀ

ସଂସ୍କୃତ - ଜଟାମାଂସୀ

ତେଲୁଗୁ – ଜଟାମାଂସୀ

 

ଏହାର ବ୍ୟବସାୟିକ ନାମ ସଂସ୍କୃତ ଓ ଅନ୍ୟ ଭାରତୀୟ ନାମ ‘‘ଜଟାମାଂସୀ’’ରୁ ହୋଇଅଛି । ଏହାର ଧାବକ କନ୍ଦରେ (ମାଟିତଳେ ଥିବା କାଣ୍ଡ) ସରୁ ସରୁ ଚେର ଓ ଶୁଖିଲା ଶଳ୍କପତ୍ର ମାଟିତଳେ ଜଟାଭଳିଆ ଦିଶେ । ତେଣୁ ଏହାକୁ ଜଟାମାଂସୀ ନାମ ଦିଆଯାଇଛି ।

 

ଗଛର ବର୍ଣ୍ଣନା- ଏହା ଗୋଟିଏ ବହୁବାର୍ଷିକ କ୍ଷୁପଜାତୀୟ ଉଦ୍ଭିଦ । ଉଚ୍ଚତା ପ୍ରାୟ ୬୦ ସେ.ମି. ହୁଏ । କାଣ୍ଡ ମାଟିତଳେ ରହି ଧାବକ କାଣ୍ଡରେ ରୂପାନ୍ତରିତ ହୋଇଥାଏ । ଏହି ଧାବକ କାଣ୍ଡ ଗଣ୍ଠିରୁ ଶଳ୍କପତ୍ର (Scale Leaf) ବାହାରି ଶୁଖିଯାଇ ଜଟାପରି ଦିଶେ । ତେଣୁ ଏହାକୁ ଜଟାମାଂସୀ କହନ୍ତି । ମାଟି ଉପରେ ଥିବା କାଣ୍ଡରୁ ବାହାରୁଥିବା ପତ୍ର ଲମ୍ବା ଏବଂ ବର୍ଚ୍ଛାକାରର ଅଟେ । ପତ୍ରଟି ବୃନ୍ତ ଆଡ଼କୁ ସରୁ ହୋଇଥାଏ । ଶିରାବିନ୍ୟାସ ଜାଲିକା ଶିରାବିନ୍ୟାସ ଅଟେ । ଗୋଟିଏ ବଡ଼ ମଧ୍ୟଶିରା ପତ୍ରରେ ଥାଏ । ପତ୍ରର ଧାର ସରଳ ଓ ଅଗ୍ରଭାଗ ସୂକ୍ଷ୍ମ । ତା’ଉପରକୁ ଥିବା ପତ୍ର ଅଣ୍ଡାକାର ଓ ଛୋଟ ଛୋଟ । ସ୍ତବକ ସସୀମ ଓ ଫୁଲ ପେନ୍ଥା ପେନ୍ଥା ହୋଇଥାଏ। ଫୁଲଗୁଡ଼ିକ ଛୋଟ ଛୋଟ । ଉଭୟଲିଙ୍ଗୀ ବା ଏକଲିଙ୍ଗୀ ହୋଇଥାଏ । ଏହା ଏକାର୍ଦ୍ଧାସମ (Zygomorphic) । ବୃତି ଏକ ମୁଦ୍ରିକାପରି ଲାଗିଥାଏ ଓ ଏହା ଅଧଗର୍ଭୀ ଅଟେ । ଅର୍ଥାତ୍ ଗର୍ଭକେଶର ଉପରେ ଥାଏ । ଫଳରେ ଏହା ବଢ଼ିଯାଏ । ଦଳମଣ୍ଡଳ ଲାଗି ଲାଗି ଥାଏ । ପାଞ୍ଚଗୋଟି ଦଳ ଏକତ୍ର ଲାଗିଯାଇ ଏକ ନଳିକା ଆକାରର ହୋଇଥାନ୍ତି । ପୁଂକେଶର ୧-୪ ପର୍ଯ୍ୟନ୍ତ ଥାଆନ୍ତି । ଗର୍ଭକେଶରରେ ତିନିଗୋଟି ଫଳିକା ଥାଏ । ଏହା ମୁଣ୍ଡଯୁକ୍ତ ହୋଇଥାଏ । ଏଥି ମଧ୍ୟରେ ଗୋଟିଏ ଫଳିକା ଫଳନଶୀଳ ଅଟେ । ଏଥି ମଧ୍ୟରେ ଗୋଟିଏ ଡିମ୍ବକ ଥାଏ । ଫଳରେ ଗୋଟିଏ ମଞ୍ଜି ଥାଏ । ଫଳ ଉପରେ ଛୋଟ ଛୋଟ ଲୋମ ଥାଏ ।

 

ବିସ୍ତୃତି- ଏହି ଜଟାମାଂସୀ ଗଛ ହିମାଳୟର ଆଲ୍‌ପାଇନ୍ ଅଞ୍ଚଳରେ ୩,୦୦୦-୪,୫୦୦ ଉଚ୍ଚରେ ହୁଏ । ଭୁଟାନ୍‌ରେ ମଧ୍ୟ ଏହା ପ୍ରଚୁର ହୁଏ ।

 

ଔଷଧିଗୁଣ- ଏହାର ଧାବକ କନ୍ଦ ଓ ଚେର ନାନା ଔଷଧିରେ ବ୍ୟବହୃତ ହୁଏ । ଜଟାମାଂସୀର ଉତ୍ତେଜକ ଗୁଣ ଅଛି । ତେଣୁ ଏହା ମୂର୍ଚ୍ଛାରୋଗ, ହୃତ୍‌ପିଣ୍ଡ ଧଡ଼୍‌ପଡ଼ କରିବା ଆଦି ରୋଗରେ ବ୍ୟବହୃତ ହୁଏ । ଏହା ମଧ୍ୟ ଝାଡ଼ା କରାଇବା, ପରିସ୍ରା କରାଇବା, ନିୟମିତ ଋତୁସ୍ରାବ ଓ ହଜମ କ୍ରିୟାରେ ସାହାଯ୍ୟ କରେ ।

 

ଏଥିରୁ ‘‘ଭାଲେରିଆନ୍’’ ନାମକ ଏକ ଔଷଧ ମିଳେ ।

ବର୍ଷକୁ ପ୍ରାୟ କୋଡ଼ିଏ କ୍ୱିଣ୍ଟାଲ୍ ‘‘ଜଟାମାଂସୀ’’ର ଆବଶ୍ୟକତା ଭାରତରେ ଅଛି । ତେଣୁ ବିଦେଶରୁ ବେଶୀ ଆମଦାନୀ ନ କରି ହିମାଳୟର ଉଚ୍ଚ ସ୍ଥାନରେ ଏହାର ଚାଷ କରିବା

ଆବଶ୍ୟକ ।

 

କେନ୍ଦୁ

(Diospyrus melanoxylon L.)

 

ବଂଶ – Sapotaceae (ବଉଳ ବା ସପେଟାଜାତୀୟ)

ବୈଷୟିକ ନାମ – Diospyrus melanoxylon L.

 

ଭାରତୀୟ ନାମ –

ହିନ୍ଦୀ –

ଓଡ଼ିଆ – କେନ୍ଦୁ

ବଙ୍ଗଳା – ଗାବ୍‌

ସଂସ୍କୃତ – ତିନ୍ଦୁ, ତିନ୍ଦୁଳ, ତିନ୍ଦୁକ, ତିନ୍ଦୁକୀ, କାଳାସାର, ସୂର୍ଯ୍ୟାକ ଆଦି

ତେଲୁଗୁ – ତମିକ୍

 

କେନ୍ଦୁଗଛ ସାଧାରଣତଃ ବଣଜଙ୍ଗଲମାନଙ୍କରେ ହୁଏ । ଓଡ଼ିଶା, ମଧ୍ୟପ୍ରଦେଶ ଆଦିରେ ଏହା ବିଶେଷ ପରିମାଣରେ ଦେଖାଯାଏ । କେନ୍ଦୁପତ୍ରରୁ ବିଡ଼ି ତିଆରି ହୁଏ । ତେଣୁ ସରକାର ଏଥିରୁ ବହୁତ ଲାଭ କରନ୍ତି । ଛୋଟ ବଡ଼ ଭେଦରେ ଦୁଇପ୍ରକାରର କେନ୍ଦୁ ଦେଖାଯାଏ । ଆଉ ଏକ ପ୍ରକାରର କେନ୍ଦୁ ଦେଖାଯାଏ । ଫଳଗୁଡ଼ିକ ଆକାରରେ ଛୋଟ ଓ ଗଛ ମଧ୍ୟ ବେଶୀ ବଡ଼ ନୁହେଁ । ଏହାକୁ ମାଙ୍କଡ଼ା କେନ୍ଦୁ କହନ୍ତି । ଏହା ମଧ୍ୟ ଜଙ୍ଗଲମାନଙ୍କରେ ହୁଏ । କେନ୍ଦୁକାଠ ଖୁବ୍ ଟାଣ । ଏହି କାଠ ରଙ୍ଗ ଚିକ୍କଣ କଳା । ତେଣୁ ଇଂରାଜୀରେ ଏହାକୁ Ebony କହନ୍ତି । କେନ୍ଦୁଗଛର ପତ୍ରସବୁ ଗାଢ଼ ସବୁଜବର୍ଣ୍ଣ ଅଟେ । ଆହୁରି ମଧ୍ୟ ପତ୍ରଗୁଡ଼ିକ ଚିକ୍କଣ ଦେଖାଯାଏ। ପତ୍ର ଏକାନ୍ତର, ସରଳ ଓ ଆକାର ଆୟତାକାର ଅଟେ । ପତ୍ରଫଳକ ଅଗ୍ରଭାଗକୁ ଓ ମୂଳ ଆଡ଼କୁ ଗୋଜିଆ ହୋଇଥାଏ । ପତ୍ରର ବୃନ୍ତ ଥାଏ ଓ ଏହାର ଅଗ୍ରଭାଗ ସୂକ୍ଷ୍ମ । ଫୁଲଗୁଡ଼ିକ ଅସୀମ ସ୍ତବକରେ ଥାଆନ୍ତି । ଫୁଲଗୁଡ଼ିକ ଉଭୟଲିଙ୍ଗୀ । ବୃତି ଓ ଦଳ ପାଞ୍ଚଗୋଟି ଲେଖାଏଁ ଥାଆନ୍ତି । ପୁଂକେଶର ପାଞ୍ଚଟିରୁ ବେଶୀ ଥା’ନ୍ତି । ଅନେକ ସମୟରେ ପାଞ୍ଚର ଦୁଇଗୁଣ ହୁଅନ୍ତା । ଗର୍ଭକେଶର ଦୁଇଟି ଥାଏ । ମଞ୍ଜି ଦୁଇଟି ଥାଏ । ଅନେକ ସମୟରେ ବେଶୀ ଥାଏ । ଫୁଲ ସୁଗନ୍ଧୀ ଥାଏ ଏବଂ ଏହା ଶୁକ୍ଳବର୍ଣ୍ଣର ଅଟେ । ଫଳଗୁଡ଼ିକ ସରଳ ଓ ଗୋଲ । ଏଥିରୁ ଏକ ଅଠା ବାହାରେ । ଏହି ଅଠା ଖୁବ୍ ଭଲ ଓ ଅନେକ କାର୍ଯ୍ୟରେ ଲାଗେ । କେନ୍ଦୁଫଳ ସପେଟା ପରି ଓ ସୁସ୍ୱାଦୁ ।

 

ବିସ୍ତୃତି- ଏହି ଗଛ ସାଧାରଣତଃ ଜଙ୍ଗଲମାନଙ୍କରେ ହୁଏ । ମଧ୍ୟପ୍ରଦେଶ, ଓଡ଼ିଶା ଆଦି ଜଙ୍ଗଲରେ ଏହା ପ୍ରଚୁର ହୁଏ । କେନ୍ଦୁପତ୍ର ଯୋଗୁଁ ସରକାର ବହୁ ରାଜସ୍ଵ ପାଆନ୍ତି । ଏ କଥା ଆଗରୁ କୁହାଯାଇଛି ।

 

ଔଷଧିଗୁଣ- ଗଛର ଛେଲି, ଫଳର କ୍ଷୀର, କଞ୍ଚାଫଳ ଓ ପାଚିଲା ଫଳ ଔଷଧରେ ଲାଗେ । ଗଛର ଛେଲି କଷାୟ ରସଯୁକ୍ତ ଅଟେ । ଏହା କ୍ଷତ-ନିବାରକ । ମୁଖକ୍ଷତ ହୋଇଥିଲେ ଏହି ଛେଲିକୁ ପାଣିରେ ସିଝାଇ ସେହି ପାଣି କୁଳି କଲେ କ୍ଷତ ନିବାରିତ ହୁଏ । ଗଛର କଞ୍ଚା ଫଳ ମଧ୍ୟ କଷାୟ ରସଯୁକ୍ତ ଓ ମଳରୋଧକ ଅଟେ । ବାରମ୍ବାର ତରଳଝାଡ଼ା ହେଉଥିଲେ ଏହି ଫଳ କଞ୍ଚା ବାଟି ବା ସିଝାଇ ଦିଆଯାଏ । ପାଚିଲା ଫଳ କଷାୟମିଶ୍ରିତ ମଧୁର ରସଯୁକ୍ତ ଅଟେ । ଏହା ମଧ୍ୟ ଶ୍ଳେଷ୍ମାବର୍ଦ୍ଧକ ଓ କଣ୍ଠରୋଧକ ଅଟେ ।

 

କଣ୍ଟାକୁସୁମ ବା ଅଗରା

 

ବଂଶ – Papavaraceae (ଅଫିମବଂଶ)

ବୈଷୟିକ ନାମ – Argamore Mexicana L.

 

ଭାରତୀୟ ନାମ –

ଓଡ଼ିଆ – କଣ୍ଟାକୁସୁମ

ହିନ୍ଦୀ – ଭେରିବନ୍ଦ, କଟେରୀ

ବଙ୍ଗଳା – ଶିଆଲକାଣ୍ଟା

ତେଲୁଗୁ – କାଣ୍ଟାଲୁଆ ଜେଟ୍ଟୁ

ସଂସ୍କୃତ - ସ୍ଵର୍ଣ୍ଣକ୍ଷୀରୀ, କଟୁପର୍ଣ୍ଣୀ, ହୈମବତୀ, ପୀତଦୁଗ୍ଧା, ହେମକ୍ଷୀରା, ହେମାହ୍ୱା ଆଦି

 

ଗଛ ସାଧାରଣତଃ ବସନ୍ତ ଋତୁରେ ଅଗଛା ଭାବେ ହୁଏ । ଏ ଗଛରୁ ଏକ ହଳଦିଆ କ୍ଷୀର ବାହାରେ ।

ଗଛର ବର୍ଣ୍ଣନା- ଏକବାର୍ଷିକ କ୍ଷୁପଜାତୀୟ ଉଦ୍ଭିଦ ଅଟେ । ପତ୍ରଗୁଡ଼ିକରେ କଣ୍ଟା ଥାଏ । ପତ୍ରର ଧାର ସାଧାରଣତଃ କଣ୍ଟକିତ ହୁଏ । ଗଛ ବେଶୀ ବଡ଼ ହୁଏ ନାହିଁ । ଏହା ଶାଖାୟିତ । ଫୁଲ ଏକକ ଭାବେ ପତ୍ରକକ୍ଷରେ ହୁଏ । ଜାଲ ଶିରାବିନ୍ୟାସ ଦେଖାଯାଏ । ଫୁଲ ବଡ଼ ବଡ଼ ଓ ହଳଦିଆ ରଙ୍ଗର ଅଟେ । ଏହାର ପତ୍ର ଆଦିରୁ ଏକ କଟୁ ଗନ୍ଧ ବାହାରେ । ଗଛରୁ ଏକ ହଳଦିଆ ରସ ବାହାରୁଥିବାରୁ ଏହାକୁ ସ୍ଵର୍ଣ୍ଣକ୍ଷୀରୀ ଗଛ ବୋଲି କହନ୍ତି । ଫଳଗୁଡ଼ିକ ଶୁଷ୍କ ଓ ସେଥିରେ ବହୁତ ମଞ୍ଜି ରହେ । ଫୁଲରେ ପାଞ୍ଚଗୋଟି ବୃତି, ପାଞ୍ଚଗୋଟି ଦଳ ବା ପାଖୁଡ଼ା ଓ ଅନେକ ପୁଂକେଶର ଥାଏ । ଗର୍ଭକେଶର ପଞ୍ଚଫଳିକ ଅଟେ ।

 

ଔଷଧି ଓ ଅନ୍ୟାନ୍ୟ ଗୁଣ- ଏହା ତିକ୍ତରସ, ବିରେଚକ, ବମନକାରକ ଏବଂ କଫ, କୃମି, କୁଷ୍ଠ, କଣ୍ଡୁ, ବିଷଦୋଷ ଆଦିର ନିବାରକ ଅଟେ ।

 

ଏହି ଗଛର ରସକୁ ଗରମ କରି ସୋରିଷ ତେଲ ସଙ୍ଗେ ମିଶାଇ ଲଗାଇଲେ କାଛୁ, କୁଣ୍ଡିଆ ଆଦି ଭଲ ହୁଏ । ପତ୍ରକୁ ବାଟି ଫାମ୍ପିଥିବା ପେଟ ଉପରେ ଲେପଦେଲେ ପେଟଫମ୍ପା ଦୂର ହୁଏ । ଏହି ଗଛର ପତ୍ର ଡାଳ ସହିତ ସିଝାଇ ସେଥିରେ ଅଳ୍ପ ମହୁ ମିଶାଇ କିଛିଦିନ ପାନ କଲେ ଝାଡ଼ା ପରିଷ୍କାର ହୋଇ ଅଜୀର୍ଣ୍ଣ, କଫ, କୃମି, କୁଷ୍ଠରୋଗ ଆଦି ଦୂର ହୁଏ । ଆହୁରି ମଧ୍ୟ ମଳରୋଧ ହୋଇଥିଲେ ଏହି ଗଛର ମୂଳକୁ ଛେଚି ଚିପୁଡ଼ି ସେହି ରସରେ ଅଳ୍ପ ମହୁ ମିଶାଇ ସେବନ କଲେ ଝାଡ଼ା ପରିଷ୍କାର ହୁଏ । ଏହାଦ୍ଵାରା ଦେହର ଅନ୍ୟ ଉପସର୍ଗମାନ ମଧ୍ୟ ନିବାରିତ ହୁଏ ।

 

କଣ୍ଟାକୁସୁମକୁ ଅନେକେ ଅଗରା ବୋଲି କହନ୍ତି । ଏହା ସୋରିଷ ବିଲରେ ସାଧାରଣତଃ ହୁଏ । ଏହାର ମଞ୍ଜିକୁ ସୋରିଷ ମଞ୍ଜି ସଙ୍ଗେ ମିଶାଇ ଅସାଧୁ ବ୍ୟବସାୟୀମାନେ ସୋରିଷ ତେଲକୁ ଅପମିଶ୍ରଣ କରନ୍ତି । ଏହା କିନ୍ତୁ ବିଷାକ୍ତ ଓ ଦେହପକ୍ଷେ ଅହିତକର ଅଟେ ।

 

ବେଗୁନିଆଁ

(Vitex)

 

ବଂଶ – Verbenaceae ( ବେଗୁନିଆଁ ବଂଶ)

ବୈଷୟିକ ନାମ – Vitex negundo Linn.

 

ଭାରତୀୟ ନାମ –

ଓଡ଼ିଆ – ବେଗୁନିଆଁ

ହିନ୍ଦୀ – ନିର୍ଗୁଣ୍ଡି, ସେଉଁଡ଼ିଖଣ୍ଡୀ, ସନ୍ତାଲୁଇନ୍‌ ଛୁଇଁ

ବଙ୍ଗଳା – ନିସିନ୍ଦା

ସଂସ୍କୃତ – ନିର୍ଗୁଣ୍ଡି, ଇନ୍ଦ୍ରାଣୀ, କାଶନାଶିନୀ, ସିନ୍ଦୁବାରିକ, ବିସୁନ୍ଧକ, ସନ୍ଦୁର୍କ ଆଦି

 

ବେଗୁନିଆଁ ଗଛ ଅତି ଜଣାଶୁଣା । ଗାଁଗହଳରେ ବାଡ଼ମାନଙ୍କରେ ବେଗୁନିଆଁ ଗଛ ହୋଇଥାଏ । ଏହାର ଫୁଲ ପ୍ରାୟ ନୀଳରଙ୍ଗର ହୁଏ । କ୍ଵଚିତ୍‌ ଫୁଲ ଧଳାରଙ୍ଗର ହୁଏ । ଗଛର ଏକ ପ୍ରକାର ଗନ୍ଧ ଅଛି । ଏହା କୀଟମାନଙ୍କୁ ଦୂରେଇ ରଖେ । ଆଜିକାଲି ନୂତନ ବସତି ସ୍ଥାପନପାଇଁ ଏହି ଗଛ କ୍ରମେ ଲୋପ ପାଇଯାଉଛି ।

 

ଗଛର ବର୍ଣ୍ଣନା- ଏହା ଅଗଛା ଭାବେ ବଢ଼େ । ଗଛଟି ବହୁବାର୍ଷିକ ଓ ଗୁଳ୍ମଜାତୀୟ ଅଟେ । ଏହା ପ୍ରାୟ ଦୁଇ ମିଟର ଉଚ୍ଚ ହୁଏ । କୀଟନାଶକ ଔଷଧର ଆବିଷ୍କାରର ବହୁ ପୂର୍ବରୁ ଏହାକୁ କୀଟନାଶକ ଭାବେ ବ୍ୟବହାର କରାଯାଉଥିଲା । ଆଜିକାଲି ମଧ୍ୟ ଗାଁଗହଳରେ ଖାଦ୍ୟଶସ୍ୟ ସାଇତି ରଖିବା ପାଇଁ ଏହା ବ୍ୟବହାର କରାଯାଏ ।

 

ଗଛଟି ଶାଖାୟିତ । ପତ୍ରଗୁଡ଼ିକ ସମ୍ମୁଖୀ ଓ ପର୍ଣ୍ଣିକା (Stipula) ନ ଥାଏ । ପତ୍ର ସାଧାରଣତଃ ସରଳ ଓ ଅନେକ ସମୟରେ ଯୌଗିକ ଅଟେ । ଶିରାବିନ୍ୟାସ ଏକଶିରାଳ ଓ ଜାଲିକା ଅଟେ । ଏକଶିରାଳ ହେଉଛି ଏକ ବଡ଼ ମଧ୍ୟ ଶିରା । ଜାଲପରି ଶାଖା ଶିରାସବୁ ଥିବାରୁ ଏହାକୁ ଜାଲିକା ଶିରାବିନ୍ୟାସ କହନ୍ତି । ପୁଷ୍ପବିନ୍ୟାସ ଶାଖାୟିତ ଅସୀମ ଅଟେ । ଫୁଲରେ ଉପପତ୍ର ଓ ଉପପତ୍ରକ ଥାଏ । ଫୁଲ ଉଭୟଲିଙ୍ଗୀ ଅଟେ । ବୃତି ପାଞ୍ଚଗୋଟି ଥାଏ । ଦଳଗୁଡ଼ିକ ଲାଗି ଲାଗି ଥାଆନ୍ତି । ତେଣୁ ଏହାକୁ ସଂଯୋଜିତ ଦଳକ (Gampatalous) କହନ୍ତି । ନଳିକା ଆକାରର ଅଟେ । ଏହା ମଧ୍ୟ ଦ୍ୱିପାଳିକ ଅଟେ । ପୁଂକେଶର ଚାରିଗୋଟି ଥାଏ । ଗର୍ଭକେଶର ଦ୍ୱି-ଫଳିକ ବିଶିଷ୍ଟ ଅଟେ । ଫଳ ସରଳ ଓ ଏଥିରେ ଗୋଟିଏ ମଞ୍ଜି ହୁଏ ।

 

ଔଷଧିଗୁଣ - ବେଗୁନିଆଁ କଟୁତିକ୍ତ, କଷାୟ ରସ, ଉଷ୍ଣବୀର୍ଯ୍ୟ, କେଶ ଓ ଚକ୍ଷୁର ହିତକାରକ ଅଟେ-। ଏହା ମଧ୍ୟ ସ୍ମୃତିଶକ୍ତି ବର୍ଦ୍ଧକ, ମେଧାଶକ୍ତି ଜନକ, କୃମି, ପ୍ଳୀହା, ପେଟଫାମ୍ପିବା, ଶୂଳ, ଆମଦୋଷ, କୁଷ୍ଠ, ବ୍ରଣ, ବିଷଦୋଷ, ଅରୁଚି, ନାନାପ୍ରକାର ଜ୍ଵର, ନାସାରୋଗ, କାଶ, ଶ୍ଵାସ, ଶୋଥ, କଣ୍ଡୁ, ଗଣ୍ଠିବାତ, ଆମବାତ, ପକ୍ଷାଘାତ, ଯକ୍ଷ୍ମାରୋଗ ପ୍ରଭୃତିର ବିନାଶକ ଅଟେ ।

 

ଆଣ୍ଠୁଗଣ୍ଠି ବାତ ଆଦି ରୋଗରେ ଅତ୍ୟନ୍ତ ଯନ୍ତ୍ରଣା ହେଉଥିଲେ କିଛି ବେଗୁନିଆଁପତ୍ର ଛେଚି ଉଷୁମ କରି ସେହି ସ୍ଥାନରେ ବାନ୍ଧିଦେଲେ ବାତ ବେଦନା ଓ ଫୁଲା ଭଲ ହୁଏ ।

 

ବେଗୁନିଆଁ ପତ୍ରକୁ ଗରମ କରି ଅଳ୍ପ ଉଷୁମ ଥାଉଁ ଥାଉଁ ସେକ ଦେଲେ ଗାଲମୂଳ ପୀଡ଼ା, ଦାନ୍ତମୂଳ ପୀଡ଼ା ଓ କର୍ଣ୍ଣମୂଳର ଯାବତୀୟ ପୀଡ଼ା ଭଲ ହୁଏ । ଆହୁରି ମଧ୍ୟ ବେଗୁନିଆଁ ପତ୍ରର ରସ ସହିତ ଅଳ୍ପ ମହୁ ମିଶାଇ କିଛିଦିନ ଦୁଇବେଳା ଖାଇଲେ କଣ୍ଠସ୍ଵର ମଧୁର ହୁଏ ଓ ସମସ୍ତ ପ୍ରକାରର କଣ୍ଠରୋଗ ଭଲ ହୁଏ । ବେଗୁନିଆଁପତ୍ର କୀଟନାଶକ ଅଟେ ।

 

ପିଆଶାଳ (ବୀଜାଶାଳ)

(Indian Kinotree)

 

ବଂଶ – Papilionaceae (Leguminosae)

ବୈଷୟିକ ନାମ – Petreocarpus marsupium Roxb.

 

ଭାରତୀୟ ନାମ –

ହିନ୍ଦୀ – ପିଆଶାଳ, ବୀଜାଶାଳ

ଓଡ଼ିଆ – ପିଆଶାଳ

ବଙ୍ଗଳା – ବୀଜାଶାଳ

ସଂସ୍କୃତ – ମହାଗୁଟଜ

ମାଲୟାଲମ୍‌ - କିନୋ

 

ବ୍ୟବସାୟିକ ନାମ ଏହି ଗଛରୁ ବାହାରୁଥିବା ଅଠା ‘‘କିନୋ’’ର ନାମ ଅନୁସାରେ

ହୋଇଛି ।

 

ଗଛର ବର୍ଣ୍ଣନା- ଏହା ଗୋଟିଏ ବଡ଼ ଗଛ । ସାଧାରଣତଃ ଜଙ୍ଗଲମାନଙ୍କରେ ହୁଏ । ଗଛଟି ବହୁତ ଉଚ୍ଚ ହୁଏ । ଦେଖିବାକୁ ସୁନ୍ଦର ଶାଖାୟିତ ଓ ପ୍ରାୟ ଏକଶହ ବର୍ଷରୁ ଊର୍ଦ୍ଧ୍ଵ ପର୍ଯ୍ୟନ୍ତ ବଞ୍ଚରହେ । ପତ୍ରଗୁଡ଼ିକ ଯୌଗିକ ଓ ୫-୭ ପତ୍ରକ ଥାଏ । ପତ୍ରକଗୁଡ଼ିକ ୮-୧୩ ସେ.ମି. ଲମ୍ବା । ଏହି ପତ୍ରକ ଆୟତାକାର ବା ବୃତ୍ତାଭାସ (elliptical) ହୋଇଥାଏ । ପତ୍ରକର ଶିରାବିନ୍ୟାସ ଏକ ଶିରାଳ ଜାଲିକା ଜାତୀୟ ଅଟେ । ପତ୍ରକର ଧାର ସରଳ ଓ ଅଗ୍ରଭାଗ ସୂକ୍ଷ୍ମ । ପୁଷ୍ପସ୍ତବକ ଅସୀମ ଓ ସ୍ତବକରେ ବହୁତ ଫୁଲ ଥାଏ । ଫୁଲଗୁଡ଼ିକର ରଙ୍ଗ ହଳଦିଆ । ଏହା ସାଧାରଣତଃ ହରଡ଼ଫୁଲ ପରି ଦିଶେ । ଫୁଲ ୧.୫ ସେ.ମି. ଲମ୍ବ ହୁଏ । ଫୁଲର ବୃତି ପାଞ୍ଚଟି ଲାଗି ଲାଗି ଥାଏ । ଦଳ ପାଞ୍ଚଟିରୁ ଗୋଟିଏ ବଡ଼ ଓ ଆଉ ଚାରିଗୋଟି ତା’ଠାରୁ ସାନ । ଶିମ୍ବଫୁଲ ପରି ବା ହରଡ଼ଗଛ ଫୁଲପରି ଏହା ଅଟେ । ପୁଂକେଶର ଦଶଗୋଟି ଥାଏ । ସେଥିରୁ ନଅଟି ଲାଗି ଲାଗି ଥାଆନ୍ତି ଓ ଗୋଟିଏ ଅଲଗା ହୋଇଥାଏ । ଗର୍ଭକେଶର ଏକଫଳିକ ଅଟେ । ଏହା ମଧ୍ୟରେ ଧାଡ଼ି ହୋଇ ଡିମ୍ବକଗୁଡ଼ିକ ଥାଆନ୍ତି । ଫଳ ବିନ୍ ବା ମଟରଫଳ ପରି ଅଟେ । ମଞ୍ଜିଗୁଡ଼ିକ

 

ଗୋଲ ଗୋଲ ।

 

ବିସ୍ତୃତି- ଏହା ମିଶ୍ର ପର୍ଣ୍ଣମୋଚୀ ଜଙ୍ଗଲମାନଙ୍କରେ ଗ୍ରୀଷ୍ମମଣ୍ଡଳୀୟ ଅଞ୍ଚଳରେ ଦେଖାଯାଏ । ପ୍ରଚୁର ପରିମାଣରେ ଏହା ଗୁଜୁରାଟ, ମଧ୍ୟପ୍ରଦେଶ ଓ ହିମାଳୟର ପାଦଦେଶରେ ଦେଖାଯାଏ । ଓଡ଼ିଶାରେ ମଧ୍ୟ ଜଙ୍ଗଲମାନଙ୍କରେ ଅଳ୍ପ ଦେଖାଯାଏ । ଫୁଲ ଫୁଟିଥିବା ଅବସ୍ଥାରେ ଏହି ଗଛ ଖୁବ୍‌ ସୁନ୍ଦର ଦିଶେ ।

 

ଔଷଧିଗୁଣ- ପତ୍ର, ଫୁଲ ଓ ଅଠାର ଔଷଧଗୁଣ ଅଛି । ଅଠା ‘‘କିନୋ’’ ଗଛର ଗଣ୍ଡିକୁ ଖଣ୍ଡିଆ କଲେ ବାହାରେ । ଏହା କଷାୟ (astringent) ହୋଇଥିବାରୁ ତରଳ ଝାଡ଼ାରେ ଖୁବ୍ ଉପକାରୀ । ଏହା ମଧ୍ୟ ଦାନ୍ତବିନ୍ଧାରେ ଭଲ କାମ ଦିଏ । ଏହି ଅଠା ନାନା ଜ୍ଵରରେ ଓ ମୂତ୍ରଯନ୍ତ୍ରର କାମ ଠିକ୍ କରିବାରେ ବ୍ୟବହୃତ ହୁଏ । ପତ୍ରକୁ ବାଟି ବଥ, ଘା’ ଓ ଅନ୍ୟ ଚର୍ମରୋଗରେ ବୋଳି ଦିଆଯାଏ ।

 

ଆହୁରି ମଧ୍ୟ ଏହା ମଧୁମେହ ରୋଗରେ ବ୍ୟବହାର କରାଯାଏ । ଏହି କାଠକୁ ପାଣିରେ ରାତିରେ ବତୁରାଇ ସକାଳେ ସେହି ପାଣିକୁ ଅଭ୍ୟାସ କରି ପିଇଲେ ମଧୁମେହ ରୋଗର ଉପଶମ ହୁଏ । ବହୁ ରୋଗୀ ଏହି କାଠବତୁରା ପାଣି ଖାଇ ଭଲ ହୋଇଛନ୍ତି ।

 

ଅନ୍ୟ ବ୍ୟବହାର- ଏହାର କାଠ ଖୁବ୍ ମୂଲ୍ୟବାନ । ଘରର ଆସବାବପତ୍ର ଏହାଦ୍ଵାରା ତିଆରି ହୁଏ । ଏହି ଆସବାବପତ୍ର ସବୁ ବହୁଦିନ ଯାଏ ଓ ସୁନ୍ଦର ଦେଖାଯାଏ । ଶାଗୁଆନ କାଠ ତଳକୁ ପିଆଶାଳର ସ୍ଥାନ ରହିଛି । ଜଙ୍ଗଲମାନଙ୍କରେ ଏବେ ଏହା ଲଗାଯାଉଛି ।

 

ଅନ୍ୟ ଜାତି- ରକ୍ତଚନ୍ଦନ ଏହି ପ୍ରଜାତିର ଅନ୍ୟ ଏକ ଜାତି । ତାହାର ନାମ Picrocapus santalinus L.f. । ଏହାକୁ ସଂସ୍କୃତରେ ରକ୍ତଚନ୍ଦନ କହନ୍ତି । ଓଡ଼ିଆରେ ମଧ୍ୟ ରକ୍ତଚନ୍ଦନ ଓ ହିନ୍ଦୀରେ ଲାଲଚନ୍ଦନ କହନ୍ତି । ଏହାର ବହୁତ ଔଷଧିଗୁଣ ଅଛି । ମଞ୍ଜକାଠରୁ ରକ୍ତଚନ୍ଦନ ମିଳେ । ଫୁଲା କମାଇବାପାଇଁ ଓ ମୁଣ୍ଡବ୍ୟଥା କମାଇବାପାଇଁ ଏହା ଅବ୍ୟର୍ଥ । ମୁଖମଣ୍ଡଳକୁ ସୁନ୍ଦର କରିବାପାଇଁ ଏହା ବ୍ୟବହୃତ ହୁଏ । ଏହା ସାଧାରଣତଃ ଦକ୍ଷିଣଭାରତରେ ମିଳେ । ଏହା ମଧ୍ୟ ଭଲ କାଠ ହିସାବରେ ବ୍ୟବହୃତ ହୁଏ ।

 

କରଞ୍ଜ

(Pongamia)

 

ବଂଶ – Papilionaceae (Leguminosae)

ବୈଷୟିକ ନାମ – Pongamia glabra Vent.

 

ଭାରତୀୟ ନାମ –

ଓଡ଼ିଆ – କରଞ୍ଜ

ହିନ୍ଦୀ – କରଜୁବା, କଣ୍ଟକରେଜୀ

ବଙ୍ଗଳା – କରମ୍‌ଚା

ସଂସ୍କୃତ – କରଞ୍ଜ, କରଜ, ନକ୍ତମାଳ, ଚିରକଜ୍ୱଳ ଆଦି

ତେଲୁଗୁ – କାନୁଗଜେଟୁ

 

ଗଛର ବର୍ଣ୍ଣନା- କରଞ୍ଜଗଛ ସାଧାରଣତଃ ଜଙ୍ଗଲମାନଙ୍କରେ ହୁଏ । ଲୋକବସତି ନିକଟରେ ମଧ୍ୟ ହୋଇଥାଏ । ଏହା ବହୁବାର୍ଷିକ ବଡ଼ ଗଛ । ଉଚ୍ଚତା ପ୍ରାୟ ୩-୫ ମିଟର ପର୍ଯ୍ୟନ୍ତ ହୁଏ । ଏହା ଶାଖାୟିତ । ବସନ୍ତ ଋତୁରେ ଓ ଖରାଦିନେ ଫୁଲ ଫୁଟେ । କରଞ୍ଜ ମଞ୍ଜିରୁ ତେଲ ବାହାରେ । ସାଧାରଣତଃ ଏହି ତେଲକୁ ଦୀପରେ ଜଳାଯାଏ । ତେଲ ଅନ୍ୟ ବ୍ୟବହାରରେ ମଧ୍ୟ ଲାଗେ । ଗଛର ଡାଳ ଓ ପତ୍ରରେ ସାମାନ୍ୟ ଦୁର୍ଗନ୍ଧ ଥାଏ । ପତ୍ରଗୁଡ଼ିକ ଗାଢ଼ ସବୁଜବର୍ଣ୍ଣର ଅଟନ୍ତି ଓ ଯୌଗିକ । ଉପପତ୍ରର ଆକାର ଅଣ୍ଡାକାର । ପର୍ଣ୍ଣିକା ନ ଥାଏ । ଶିରାବିନ୍ୟାସ ଏକଶିରାଳ ଜାଲ ଶିରାବିନ୍ୟାସ ଅଟେ । ପତ୍ରଧାର ସରଳ ଓ ଅଗ୍ରଭାଗ ସୂକ୍ଷ୍ମ । ସ୍ତବକ ଅସୀମ । ଫୁଲଗୁଡ଼ିକ ଛୋଟ ଛୋଟ । ଶିମ୍ବିବଂଶର ଫୁଲ ପରି ଅଟେ । ଏହାର ବୃତିପତ୍ର ପାଞ୍ଚଗୋଟି । ଦଳ ପାଞ୍ଚଗୋଟି । ପୁଂକେଶର ଦଶଟି ଥାଏ । ଏଥୁରୁ ନଅଟି ଯୁକ୍ତ ଓ ଗୋଟିଏ ଅଲଗା ଥାଏ । ଗୋଟିଏ ଦଳ ବା ପାଖୁଡ଼ା ବଡ଼ ଥାଏ । ଅନ୍ୟଗୁଡ଼ିକ ଛୋଟ । ଗର୍ଭକେଶର ଏକଫଳିକ ଅଟେ । ଏଥିରେ ଡିମ୍ବକଗୁଡ଼ିକ ଲମ୍ବଭାବରେ ସଜାଇ ହୋଇ ଥାଆନ୍ତି । ଫଳଟି ଶୁଷ୍କ ଓ ଛୁଇଁଜାତୀୟ ଫଳ ପରି ଅଟେ । ମଞ୍ଜିଗୁଡ଼ିକ ଲମ୍ବଭାବରେ ସଜାଇ ହୋଇ ଥାଆନ୍ତି । କରଞ୍ଜ କଟୁ କଷାୟ, ନେତ୍ର ହିତକର, ମଳଭେଦକ, ଦନ୍ତ ଦୃଢ଼କାରକ ଅଟେ । ଏହା କଫ, ପିତ୍ତ, ବାତ, ପ୍ରମେହ, ଶୂଳ, ଗୁଳ୍ମ, ପ୍ଳୀହାବୃଦ୍ଧି, କଣ୍ଡୁ, ଯାଦୁ, କୃମି ଓ କୁଷ୍ଠନାଶକ ଅଟେ । କରଞ୍ଜ ଯାବତୀୟ ଚର୍ମରୋଗ ନାଶକ ଅଟେ ।

 

କରଞ୍ଜ ପତ୍ର, ଡାଳ, ଚେର ଓ ଫଳ ସାମାନ୍ୟ ବିଷାକ୍ତ ଅଟେ । ଏହାର ଡାଳ ଦାନ୍ତକାଠି କରି ସବୁଦିନେ ଦାନ୍ତ ଘଷିଲେ ନାନାପ୍ରକାର ଦନ୍ତରୋଗ ଭଲ ହୁଏ । କରଞ୍ଜ ମଞ୍ଜିକୁ ଜଳରେ ବାଟି ଛଉ, କୁଷ୍ଠ ଓ ଯାଦୁ ପ୍ରଭୃତି ସ୍ଥାନରେ ୩/୪ ଥର ପର୍ଯ୍ୟନ୍ତ ଲଗାଇଲେ ସବୁପ୍ରକାର ଚର୍ମରୋଗ ଭଲ ହୁଏ-। କରଞ୍ଜ ମଞ୍ଜିକୁ ଗୋଲମରିଚ ସଙ୍ଗେ ବାଟି ସେହି ପାଣିକୁ କିଛିଦିନ ପିଇଲେ ପାଳିଜ୍ଵର ଭଲ ହୁଏ-। କରଞ୍ଜପତ୍ର ରସକୁ ସୋରିଷତେଲ ସଙ୍ଗରେ ରାନ୍ଧି କାଛୁ, ଛଉ, ଯାଦୁ, ମଚଳା ଆଦି ଚର୍ମରୋଗରେ ବ୍ୟବହାର କଲେ ସେଗୁଡ଼ିକ ଭଲ ହୁଏ ।

 

ଅନ୍ୟ ବ୍ୟବହାର - କରଞ୍ଜ ତେଲକୁ ସାବୁନ ତିଆରିରେ ଓ ଜାଳେଣିଭାବେ ବ୍ୟବହାର କରାଯାଏ । ଚମଡ଼ା କାରଖାନାରେ ମଧ୍ୟ ଏହା ବ୍ୟବହାର କରାଯାଏ । ଏହାର କୀଟନାଶକ ଓ ବୀଜାଣୁନାଶକ ଶକ୍ତି ମଧ୍ୟ ଅଛି ।